ବେଲପଡା ପୋଲିସ ଦ୍ୱାରା ୩ ହତ୍ୟାକାରୀ ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବେଲପଡା ଥାନା ଅନ୍ତର୍ଗତ ପଲସାପଡା, ଭରୁଆପାଲି ଗ୍ରାମର ସୁରେନ୍ଦ୍ର ବନଛୋରଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜକୁମାର ବନଛୋର, ଉଦ୍ଧବ ଛତ୍ରିଆ ଏବଂ ନରସିଂହ ଛତ୍ରିଆ । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗୋଟେ ପଲିଥିନ ବ୍ୟାଗ, ଗୋଟେ ଟି’ ସାର୍ଟ, ହିରୋହଣ୍ଡା ସିଡି ଡିଲକ୍ସ (ଓଡି.୨୬.ଡି.୨୩୧୧), ଏକ ହିରୋ ପ୍ଲେଜର (ସିଜି.୦୬.ପି.୮୦୨୧) ଜବତ କରିଛି । ଅଭିଯୁକ୍ତ ମାନଙ୍କୁ ଆଜି ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି । ଏନେଇ ପାଟଣାଗଡ ଏସ.ଡି.ପି.ଓ. ଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ.ଡି.ପି.ଓ. ସୁରେଶ ନାଏକ । ପଲସାପଡା ଗ୍ରାମର ସୁରେନ୍ଦ୍ର ବନଛୋର ତାଙ୍କ ବାପା ଏବଂ ଭାଇଙ୍କ ମୃତ୍ୟୁ ପରେ ତାଙ୍କ ଭାଉଜଙ୍କ ସହିତ ରହୁଥିଲେ । ଅଭିଯୁକ୍ତ ରାଜକୁମାର ବନଛୋର ତାଙ୍କ ସମ୍ପର୍କୀୟ ଭାଇ ଏବଂ ତାଙ୍କ ପଡୋଶୀ ମଧ୍ୟ ଥିଲେ । ସୁରେନ୍ଦ୍ର ବନଛୋରଙ୍କ ସମ୍ପତି ଉପରେ ରାଜକୁମାରଙ୍କ ଲୋଳୁପ ଦୃଷ୍ଟି ଥିଲା ଏବଂ ସୁରେନ୍ଦ୍ରଙ୍କୁ ହତ୍ୟା କଲାପରେ ସେ ଏକା ସବୁ ସମ୍ପତିର ମାଲିକ ହେବେ ବୋଲି ଏକ ଷଡଯନ୍ତ୍ର କରିଥିଲେ । ଘଟଣା ଦିନ ରାତି ରାଜକୁମାର ତାଙ୍କ ସାଙ୍ଗ ଉଦ୍ଧବ ଛତ୍ରିଆ ଏବଂ ନରସିଂହ ଛତ୍ରିଆଙ୍କୁ ଡାକି ଏକ ଭୋଜିର ଆୟୋଜନ କରିଥିଲେ । ସେଥିରେ ମୃତ ସୁରେନ୍ଦ୍ରଙ୍କୁ ମଧ୍ୟ ସେମାନେ ସାମିଲ କରିଥିଲେ । ସେମାନେ ଭରୁଆପାଲିର ଏକ ପଡିଆରେ ମାଂସ ଏବଂ ମଦ ନେଇ ଏକ ମୋଟର ସାଇକେଲ ଏବଂ ସ୍କୁଟିରେ ପହଂଚିଥିଲେ । ପରେ ମୃତ ସୁରେନ୍ଦ୍ର ମଧ୍ୟ ଏକ ସାଇକେଲ ଯୋଗେ ଭୋଜି ଖାଇବାକୁ ପହଂଚିଥିଲେ । ସେଠାରେ ସେମାନେ ଭୋଜି ଭାତ ଖାଇବା ପରେ ପୂର୍ବ ଯୋଜନା ମୂତାବକ ଉଦ୍ଧବ ଏବଂ ନରିସଂହ ସୁରେନ୍ଦ୍ରଙ୍କ ସହ ପାଟି ତୁଣ୍ଡ ହୋଇଥିଲେ । ରାଜକୁମାର ଏବଂ ନରିସଂହ ସୁରେନ୍ଦ୍ରଙ୍କୁ ଜାବୁଡି ଧରିବା ବେଳେ ଉଦ୍ଧବ ଏକ ପଲିଥିନ ନେଇ ସୁରେନ୍ଦରଙ୍କୁ ମୁଣ୍ଡରେ ବାନ୍ଧି ରଖିଥିଲା । ଫଳରେ କିଛି ସମୟ ପରେ ସୁରେନ୍ଦ୍ରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ସୁରେନ୍ଦ୍ରଙ୍କ ମୃତ ଦେହକୁ ନେଇ ରାସ୍ତାକଡରେ ଫିଙ୍ଗି ଦେଇଥିଲେ ଏବଂ ପାଖରେ ସାଇକେଲକୁ ମଧ୍ୟ ଫୋପାଡି ଦେଇ ଏକ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ ଆଗରେ ସ୍ୱୀକାର କରିଥିଲେ । ବେଲପଡା ଥାନାଧିକାରୀ ସଚିଦାନନ୍ଦ ବରିହା ସମଗ୍ର ଘଟଣାର ତଦନ୍ତ କରି ସମସ୍ତ ଦୋଷୀମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ।

Leave A Reply

Your email address will not be published.