ପିଲାଙ୍କ ଲାଳନ ପାଳନ ଉପରେ ନିର୍ଭର କରେ ତାଙ୍କ ଭବିଷ୍ୟତ

ପିଲାଙ୍କ ଲାଳନ ପାଳନ ଉପରେ ତାଙ୍କ ଭବିଷ୍ୟତ ନିର୍ଭର କରେ । ସେମାନେ ଯାହା ନିଜ ପିତାମାତା ତଥା ପରିବାରର ସଦସ୍ୟମାନଙ୍କ ଆଚରଣରୁ ଶିଖନ୍ତି, ତାହା ହିଁ ତାଙ୍କ ଉପରେ ପ୍ରଖର ଭାବେ ପ୍ରଭାବ ପକାଇଥାଏ । ମନସ୍ତତ୍ତ୍ୱବିଦ୍ମାନେ କୁହନ୍ତି, ନିଜ ପିଲାମାନଙ୍କ ସାମ୍ନାରେ ନିଜକୁ ଯେତିକି ଶୁଦ୍ଧ ଓ ଶୃଙ୍ଖଳିତ ରଖାଯାଇ ପାରିବ, ସେତିକି ପରିବାରର ସମୃଦ୍ଧି ସମ୍ଭବ ହୋଇପାରେ । ଏ ସଂପର୍କରେ କିଛି ଟିପ୍ସ୍ ଉପରେ ଆସନ୍ତୁ ନଜର ପକାଇବା ।
  • ପିଲାମାନେ ସବୁବେଳେ ଅନୁକରଣ ପି୍ରୟ । ସେମାନଙ୍କୁ ଯାହା କୁହାଯାଏ, ହୁଏତ’ ସେମାନେ ତାହା କରନ୍ତି ନାହିଁ । କିନ୍ତୁ ତାଙ୍କ ସାମ୍ନାରେ ଯାହା କରାଯାଏ, ତାହା କରିବାକୁ ବିଳମ୍ବ କରନ୍ତି ନାହିଁ । ଏଣୁ ତାଙ୍କ ସାମ୍ନାରେ ଶୃଙ୍ଖଳିତ ଓ ଶୁଦ୍ଧ ଆଚରଣ ପ୍ରଦର୍ଶନ କରିବା ଏକାନ୍ତ ଆବଶ୍ୟକ ।
  • ପିଲାମାନେ ଆଦେଶକୁ ପସନ୍ଦ କରନ୍ତି ନାହିଁ । ପରିବାରର ବୟୋଜ୍ୟେÂ ବ୍ୟକ୍ତି ବା ପିତାମାତା କହୁଛନ୍ତି ଭାବି ଯଦିବି ଆଦେଶ ପାଳନ କରନ୍ତି, ସେଥିରେ ସେମାନେ ଆନନ୍ଦ ପାଆନ୍ତି ନାହିଁ । ଏଣୁ ତାଙ୍କୁ ଆଦେଶ ନ ଦେଇ ତାଙ୍କ ପ୍ରତି ଜଣେ ବିଶ୍ୱସ୍ତ ବନ୍ଧୁର ସଂପର୍କ ରକ୍ଷା କରି ସେମାନଙ୍କୁ କୌଣସି କାମରେ ନିୟୋଜିତ କରନ୍ତୁ । ଦେଖିବେ ସେମାନେ ଆପଣଙ୍କ ଇଚ୍ଛାକୁ ପୂରଣ କରିବାରେ ବି ଆନନ୍ଦିତ ହେବେ ।
  • ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯାହା ବି କଳହ ଥାଉ, ତାହା ପୁତ୍ରକନ୍ୟାଙ୍କ ସମ୍ମୁଖକୁ ନ ଆସିବା ଭଲ । ଏ ଦିଗରେ ନିଜକୁ ସଚେତନ ରଖିବା ଆବଶ୍ୟକ । କାରଣ ଏହା ସେମାନଙ୍କୁ କଠୋର ଆଘାତ ଦିଏ ।
  • ପିଲାମାନଙ୍କ ସମ୍ମୁଖରେ ସ୍ୱାମୀ ସ୍ତ୍ରୀଙ୍କୁ କିମ୍ବା ସ୍ତ୍ରୀ ସ୍ୱାମୀଙ୍କୁ ହେୟଜ୍ଞାନ କରିବା ଭଳି କଥାବାର୍ତ୍ତା କରିବା ଏକାନ୍ତ ବର୍ଜନୀୟ । ଏପରିକି ପିଲାମାନଙ୍କ ସମ୍ମୁଖରେ ପରିବାରରେ ବୟୋଜ୍ୟେÂମାନଙ୍କୁ ଅସମ୍ମାନ କରିବା ବି ଉଚିତ ନୁହେଁ । ଏହାଦ୍ୱାରା ପିଲାମାନଙ୍କ ଭିତରେ ପଲ୍ଲବିତ ହେଉଥିବା ସମ୍ମାନବୋଧ ନଷ୍ଟ ହୋଇଯିବାର ସମ୍ଭାବନା ଦେଖାଦିଏ ।
  • ବାରମ୍ବାର ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ଧମକ୍ ଚମକ୍ ଦେବା ଅନୁଚିତ । ଏହାଦ୍ୱାରା ଅଧ୍ୟୟନ ପ୍ରତି ସେମାନଙ୍କ ଶ୍ରଦ୍ଧା ଲୋପ ପାଇବାର ସମ୍ଭାବନା ଅଧିକ । ଏଣୁ ସେମାନଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧାର ସହ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଚିତ । ଅଧ୍ୟୟନ ଦ୍ୱାରା ପ୍ରାପ୍ତ ହେଉଥିବା ସଫଳତା ସଂପର୍କୀୟ ବିଭିନ୍ନ ଉଦାହରଣ ଓ କାହାଣୀ ଶୁଣାଇ ସେମାନଙ୍କୁ ଆଗ୍ରହୀ କରାଯାଉ ।
  • ଘରର ସ୍ୱଚ୍ଛତା ଓ ପରିବାର ସଦସ୍ୟମାନଙ୍କ ଶୁଦ୍ଧ ଚିନ୍ତାଧାରା ଏବଂ ସମୟାନୁବର୍ତ୍ତିତା ପିଲାମାନଙ୍କୁ ଗଢ଼ିବା ପାଇଁ ଉତ୍ତମ ବାତାବରଣ ସୃଷ୍ଟି କରିପାରେ । ଏଣୁ ପିତାମାତା ଏ ଦିଗରେ ଯତ୍ନବାନ ହେବା ଉଚିତ ।
  • ବାପା ମା’ ନିଜ ଆଚରଣରେ ଏତିକି ଶୁଦ୍ଧତା ରକ୍ଷା କରିବା ଉଚିତ, ଯାହା ପିଲାମାନଙ୍କ ପାଇଁ ଭବିଷ୍ୟତରେ ଏକ ଉଜ୍ୱଳ ଉଦାହରଣର ଭୂମିକା ନେଇ ପାରିବ । ଏହା ପିଲାମାନଙ୍କୁ ଅନେକ ଦିଗରୁ ସୁସ୍ଥ ମାନସିକତା ପ୍ରଦାନ କରେ ।
  • ସବୁବେଳେ ପିତାମାତା ଧ୍ୟାନ ରଖିବା ଉଚିତ ସେମାନଙ୍କ କାର୍ଯ୍ୟବ୍ୟସ୍ତତା ଭିତରେ ପିଲାମାନେ ଏକ୍ଲା ଅନୁଭବ କରୁନାହାନ୍ତି ତ! ଯଥୋଚିତ ପିଲାମାନଙ୍କୁ ସମୟ ଦିଅନ୍ତୁ । ସେମାନଙ୍କ ସହ ଖେଳନ୍ତୁ, ବୁଲନ୍ତୁ, ହସନ୍ତୁ, ଥଟ୍ଟାମଜା କରନ୍ତୁ । ଏହା ଫଳରେ ପିଲାମାନେ ପ୍ରଫୁଲ୍ଲିତ ରୁହନ୍ତି ।
  • ଅନେକ ପିଲା ସାଧାରଣତଃ ବେଶୀ କଥାବାର୍ତ୍ତା ହେବାକୁ ପସନ୍ଦ କରନ୍ତି । ବେଶୀ ପ୍ରଶ୍ନ ବି ପଚାରନ୍ତି । ଏଥିରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ହୁଏତ ଆପଣଙ୍କ ବିରକ୍ତି ଭାବ ପିଲାଙ୍କ ମନରୁ ଜାଣିବାର ପ୍ରବଳ ଆଗ୍ରହକୁ ଦମନ କରି ଦେଇପାରେ । ସଜାଗ ହେବା ଆବଶ୍ୟକ ।
  • ପିଲାଙ୍କ ପ୍ରତି ରୁକ୍ଷ ବ୍ୟବହାର ସର୍ବଦା ବର୍ଜନୀୟ । ନୂଆ ନୂଆ ଦର୍ଶନୀୟ ସ୍ଥାନ ସଂପର୍କରେ, ବୈଜ୍ଞାନିକ ଦାର୍ଶନିକମାନଙ୍କ ବିଷୟରେ, ମୁନୀଋଷୀଙ୍କ ତପସ୍ୟା ସଂପର୍କରେ ତାଙ୍କୁ କାହାଣୀ ଶୁଣାନ୍ତୁ । ସାହିତ୍ୟ ଜଗତ ପ୍ରତି ସେମାନଙ୍କ ରୁଚି ବଢ଼ାଇବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେମାନେ ଆବେଗର ଏକ ସୂକ୍ଷ୍ମ ସ୍ପର୍ଶ ଅନୁଭବ କରିବେ । ନିଜକୁ ଗଢ଼ି ତୋଳିବା ପାଇଁ ଆଗଭର ହେବେ । – ସୁଶ୍ରୀ ସ୍ନେହଲତା
Leave A Reply

Your email address will not be published.