କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ କାର୍‌ଗିଲ୍‌ ଯୋଦ୍ଧା ପ୍ରତାପ ରଥ ସେବାକୁ ହିଁ ଜୀବନର ବ୍ରତ ମଣନ୍ତି । ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ଶ୍ରୀ ରଥ ସୈନିକ ଭାବେ ଦେଶ ପାଇଁ ଯେମିତି ସମର୍ପିତ ଥିଲେ, ଅବସର ନେବା ପରେ ସମାଜ ପାଇଁ ସେମିତି ସମର୍ପିତ । ଅବସରପ୍ରାପ୍ତ ସୈନିକମାନଙ୍କ ହକ୍‌ ପାଇଁ ସର୍ବଦା ତାଙ୍କର ଲଢେ଼ଇ ସ୍ପଷ୍ଟ ଅନୁଭବ କରିହୁଏ । କେବଳ ସେତିକି ନୁହେଁ, ଅନ୍ୟାନ୍ୟ ସମାଜସେବା କ୍ଷେତ୍ରରେ ବି ତାଙ୍କ ଯୋଗଦାନ ବେଶ୍‌ ପ୍ରଶଂସନୀୟ । ସହରର ବିଭିନ୍ନ ସାହିତ୍ୟ, ସାଂସ୍କୃତିକ, ସାମାଜିକ ତଥା ସେବା ଅନୁଷ୍ଠାନ ସହ ସେ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଯିଏ ଯେତେବେଳେ ବି କୌଣସି ମେଡ଼ିକାଲ୍‌ କାମ କିମ୍ବା ଅନ୍ୟ ସହଯୋଗ ପାଇଁ ତାଙ୍କ ସାହାଯ୍ୟ ଲୋଡେ଼, ସେ ନିଜର ସାମର୍ଥ୍ୟ ଭିତରେ କେବେ କାହାକୁ ନିରାଶ କରନ୍ତି ନାହିଁ । ନିଜର ଯୋଗଦାନ ନିଶ୍ଚୟ ପ୍ରମାଣିତ କରନ୍ତି । ଆଜିର ସମୟରେ ଏଭଳି ଜଣେ ମଣିଷ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଆଜି ଶାନ୍ତିପଡ଼ା ସ୍ଥିତ ତାଙ୍କ କାର୍‌ଗିଲ୍‌ କୁଟୀର ସମ୍ମୁଖରେ ସେ ପାରାମାନଙ୍କୁ ଖାଦ୍ୟ ବାଂଟୁଥିବାର ଦେଖିବାକୁ ମିଳିଥିଲା, ଯାହା ବେଶ୍‌ ଉତ୍ସାହଜନକ । ସେ କହିଛନ୍ତି ଯେ, ଏଇ ପାରାମାନେ ଦିନରେ ତିନି ଚାରିି ଥର ଏମିତି ଦଳ ଦଳ ହୋଇ ମୋ’ ପାଖକୁ ଆସନ୍ତି ଏବଂ ମୁଁ ସେମାନଙ୍କୁ ବୁଟ, ଚଣା, ମିକ୍‌ଚର ଆଦି ଖାଇବାକୁ ଦିଏଁ । ମୋ’ କାର୍‌ଗିଲ୍‌ କୁଟୀର ଉପରେ ଗୁଡ଼ାଏ ପାରା ଘର କରି ମଧ୍ୟ ରହିଛନ୍ତି, ଯାହା ମୋ’ କୁଟୀରକୁ ସାଫଲ୍ୟମଣ୍ଡିତ କରିଛି । ସେମାନଙ୍କ ସେବା ଯତ୍ନ ବି ନେବାକୁ ହୁଏ । ପ୍ରତ୍ୟହ ଚଢେ଼ଇମାନଙ୍କ ସେବାରେ ବି ସେ ମନୋନିବେଶ କରୁଥିବା ସମାଜ ପାଇଁ ନିଶ୍ଚୟ ପ୍ରେରଣାଦାୟକ । ତାଙ୍କ ସେବା ମାନସିକତା ଆହୁରି ବଳିଷ୍ଠ ହେଉ, ଏହା ହିଁ କାମନା କରାଯାଇପାରେ ।

Leave A Reply

Your email address will not be published.