ବିଶିଷ୍ଟ ଦାସ କାଠିଆ ଗାୟକ ଇନ୍ଦ୍ରମଣି ଭୋଇଙ୍କ ପରଲୋକ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ପଞ୍ଚାୟତର ସୁନାମଧନ୍ୟ ଦାଶ୍ କାଠିଆ ଗୁରୁ ଇନ୍ଦ୍ରମଣି ଭୋଇଙ୍କର ଗତକାଲି ପରଲୋକ ଘଟିଛି । ତାଙ୍କ ପରଲୋକ ଖବର ପାଇବା ପରେ କର୍ଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ । ଦୀର୍ଘ ୫୦ ବର୍ଷ ଧରି ଲୋକ କଳା ସହିତ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନୀତ ହୋଇ ଏ ଅଞ୍ଚଳକୁ ଗୌରବାନ୍ୱିତ କରିଥିଲେ । ତାଙ୍କ ବିୟୋଗରେ ଗ୍ରାମର ବିଭିନ୍ନ ସଂଘ, ଅନୁଷ୍ଠାନ, ପ୍ରେସ୍‌ କ୍ଲବ ଓ ବ୍ଲକ ତଥା ଜିଲ୍ଲା କଳାକାର ସଙ୍ଘ, ରାଜନୈତିକ ବ୍ୟକ୍ତି ବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି । ତେବେ ଭୋଇଙ୍କ ପରିବାରରେ ସ୍ତ୍ରୀ ଓ ବଢ଼ିଲା ଝିଅ ଅଛନ୍ତି, ପରିବାରରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି । ସେ କିଡ଼ନୀ ଜନିତ ରୋଗର ଶିକାର ହୋଇଥିଲେ ଓ ଆର୍ଥିକ ଅଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାଇ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ସେ ଯଦିଓ କଳାକାର ଭତ୍ତା ପାଉଥିଲେ କିନ୍ତୁ ତାହା ନଗଣ୍ୟ ଥିଲା । ସପରିବାର ପରିଚାଳନା ସହ ନିଜ ଚିକିତ୍ସା ଖର୍ଚ୍ଚ ପାଇଁ ଏହା ଯଥେଷ୍ଟ ନ ଥିଲା । ସରକାରଙ୍କ ଠାରେ ଏହି ସ୍ୱାଭିମାନୀ କଳାକାର ଜଣକ ହାତ ପତାଇନ ଥିଲେ ବି ସରକାର ନିଜ ଆଡୁ ଆଗ୍ରହ ଦେଖାଇନଥିଲେ । ଜଣେ ଦାୟିତ୍ୱବାନ ଓ ସ୍ୱାଭିମାନ କଳାକାରଙ୍କୁ ହରାଇ ଅଞ୍ଚଳବାସୀ ସ୍ତବ୍ଧ ଅଛନ୍ତି ।

Leave A Reply

Your email address will not be published.