
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ବାଲ୍ୟ ବିବାହକୁ ବନ୍ଦ କରିବା ଏବଂ କିଶୋରୀ ଓ କିଶୋର ମାନଙ୍କୁ ବାଲ୍ୟ ବିବାହ ପରି କୁସଂସ୍କାରରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁରର ଏକ ଅଭିନବ ପଦକ୍ଷେପକୁ “ସଂକଳ୍ପ” ନାମକରଣ କରାଯାଇଛି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତି ବାଲ୍ୟ ବିବାହକୁ ରୋକିବା ପାଇଁ “ସଂକଳ୍ପ” ନେବା ଏବଂ ପ୍ରତ୍ୟେକ ଫୁଲ ପରି ଝିଅ ପିଲାମାନଙ୍କୁ ଫୁଲ ଫୁଟିବାର ସୁଯୋଗ ଦେବା । ତାଙ୍କ ନିମନ୍ତେ ଉପଲବ୍ଧ ଉତ୍ସ ଗୁଡିକର ସର୍ବୋତ୍ତମ ଉପଯୋଗ କରି ସେମାନଙ୍କ ଜୀବନରେ ନିଜର ପଥ ବାଛିବା ନିମନ୍ତେ ସହାୟକ ହେବ । ଆଜି ପର୍ଯ୍ୟନ୍ତ ୯୬୦ ଟି ଗାଁ ମଧ୍ୟରୁ ୭୬୭ଟି ଗାଁକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇଛି । ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୬ ଅନୁସାରେ, ଆମ ଜିଲ୍ଲାରେ କିଶୋରୀମାନଙ୍କର ବାଲ୍ୟ ବିବାହ ଅନୁପାତ କମିଥିଲେ ମଧ୍ୟ କିଶୋରମାନଙ୍କର ବାଲ୍ୟ ବିବାହ ସଂଖ୍ୟା ବଢିଛି ଏହା ବ୍ୟତୀତ ଅନ୍ୟ ତିନି ଗୋଟି ପ୍ରମୁଖ ସମସ୍ୟା ଯେପରି ଅଧାରୁ ପାଠ ଛାଡ଼ିବା, ବାଲ୍ୟ ବିବାହ ଓ କମ୍ ବୟସରେ ମାତୃତ୍ବ ଲାଭ କରିବା ଆଦି ସମସ୍ୟାକୁ କମେଇବା ପାଇଁ ଜିଲ୍ଲାସ୍ତରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଅବୋଲିଳୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ୧୨/୧୨/୨୦୧୧ ତାରିଖର ନିଷ୍ପତି ଅନୁଯାୟୀ ଜିଲ୍ଲାର ସବୁ ଉଚ୍ଚ ବିଦ୍ୟାଳୟରେ ପ୍ରତ୍ୟେକ ଶୁକ୍ରବାର ଓ ଶନିବାର ଦିନ ଛାତ୍ର ଓ ଛାତ୍ରୀ ଏବଂ ତାଙ୍କର ଅଭିଭାବକମାନଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି ଏବଂ ଏହା ନିୟମିତ ଭାବରେ ସଚେତନତା ସୃଷ୍ଟି କରି ଆସୁଅଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନର ସହଯୋଗ ତଥା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପୋଲିସ ବିଭାଗର ସହଯୋଗରେ ଏହା କାର୍ଯ୍ୟକାରି କରାଯାଇଅଛି । ଅନୁଷ୍ଠିତ ହେଉଥିବା ଏହି “ସଂକଳ୍ପ” ସଭାରେ ବାଲ୍ୟ ବିବାହ ଭଳିକୁ- ପ୍ରଥା ବିଷୟରେ ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବକ୍ତବ୍ୟ ରଖିଥାନ୍ତି । ଅଧାରୁ ପାଠ ଛାଡିଥିବା ପିଲା ମାନଙ୍କୁ ପୁନର୍ବାର ସ୍କୁଲରେ ଯୋଗ ଦେବା ନିମନ୍ତେ ବ୍ଲକ ଶିକ୍ଷା ଅଧିକାରୀ ଉତ୍ସାହିତ କରନ୍ତି, ତାଙ୍କର ସ୍ବାସ୍ଥ୍ୟ ଅଧିକାରୀ ବାଲ୍ୟ ବିବାହରକୁ ପରିଣାମ ବିଷୟରେ ଏବଂ ପୋଲିସ ଅଧିକାରୀ ମାନେ ଶିଶୁ ଯୌନ ନିର୍ଯ୍ୟାଚନା ସୁରକ୍ଷା ଆଇନ ୨୦୧୨ ଉପରେ ବୁଝାଇଥାନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ସବୁ ପାଠ ଛାଡିଥିବା ପିଲାମାନେ ବିଦ୍ୟାଳୟରେ ପୁନର୍ବାର ନାମ ଲେଖାନ୍ତୁ, ଝିଅ ଓ ପୁଅର ଆଇନଗତ ବୟସ ନ ହେବା ପର୍ଯ୍ୟନ୍ତ ବିବାହ ନ କରିବା ଏବଂ ନିୟମର ଉଲଂଘନ କଲେ ଦଣ୍ଡ ବିଧାନ ସମ୍ବନ୍ଧରେ ସଚେତନ କରାଯାଇ ଥାଏ । ବାଲ୍ୟ ବିବାହ ମୁକ୍ତ ଦିଗରେ ଜିଲ୍ଲା ପ୍ରଶାସନ ମିଳିତ ଭାବରେ କିଶୋର ଓ କିଶୋରୀ ମାନଙ୍କର ସଶକ୍ତିକରଣ, ସଚେତନତା ସୃଷ୍ଟି ଓ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ଟାସ୍କ ଫୋର୍ସ, ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ ଏବଂ ଗ୍ରାମ ପଞ୍ଚାୟତ ସ୍ତରୀୟ ଟାସ୍କଫୋର୍ସ ଗଠନ କରିବା ଆଦି ଜିଲ୍ଲା ପ୍ରଶାସନ ତରଫରୁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀଙ୍କ ଅଭିଭାବକ ବିରାମହରାଜପୁରର ନିହାର ରଞ୍ଜନ ମହାକୁର ଓ ବିଚିତ୍ରା ସେଠୀ ଯୋଗଦେଇ କହିଛନ୍ତି ଯେ ଏଭଳି ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟରେ କରାଯାଇ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକମାନଙ୍କୁ ସଚେତନ କରାଯାଇ ଥିବାରୁ ଏହା ପ୍ରଶଂସନୀୟ ଏବଂ ଜିଲ୍ଲା ପ୍ରଶାସନର ଏହା ଏକ ଅଭିନବ ପଦକ୍ଷପ ବୋଲି ମତ ପ୍ରକାଶ କରିଛନ୍ତି ।