କବିତା : ଆଖି

  • ରୁଚିସ୍ମିତା ମହାପାତ୍ର

ନା ଅତୀତ
ନା ଭବିଷ୍ୟତ
ନା ସତ ନା ସର୍ତ୍ତ
ଆଜି ମତେ ଏମିତି
ଆଖି ବୁଜି ଦବାକୁ ପଡିଲା ।

କାହାକୁ ଦୋଷ ଦବ
ରାତିକୁ ନା ନିଦକୁ
ସ୍ବପ୍ନକୁ ନା ସତକୁ ।

ଆଖି ବୁଜିଲେ ଅସୁମାରୀ ଅନ୍ଧାର
ଆଖି ଖୋଲିଲେ ଅଣାକାର ଆକାଶ
ଆଖି ବୁଜିଲେ ଅସମ୍ପୂର୍ଣ ସ୍ବପ୍ନ
ଆଖି ଖୋଲିଲେ ଅସମ୍ଭାଳ ଲୁହ
ଆଖି ବୁଜିଲେ ଅତି ଚିନ୍ହା ମୁହଁ
ଆଖି ଖୋଲିଲେ ଅଚିନ୍ହା ଚେହେରା
ସବୁ ଯେମିତି ଆକ୍ତା ମାକ୍ତା
କରିଦଉଛନ୍ତି ଆଖିକୁ ମୋର ।

ଏବେ ଆଉ ମୋ ଆଖି
ଜମାବି ବୋଲ ମାନୁନି ମୋର.
କାହାପାଇଁ
ଏମିତି ଭିଜେଇ ଚାଲିଛୁ
ଲୁହରେ ଲଟ ପଟେଇ ଦଉଚୁ
ପ୍ରଶ୍ନ କରୁଚି ବାର ବାର ।

ଯାହାକୁ ଏଯାଏ
ଆଖିରେ ବସେଇ ରଖିଥିଲି
ମୋ ଲୁହ ସାଙ୍ଗରେ ଗଡି ନଯାଉ
ଯାହାକୁ ଆଖିର ତାରା ସଜେଇଥିଲି
ଆଖିରୁ ବାହାରି ଆକାଶ ର ତାରା
ସାଜି ନଯାଉ ।

ସବୁ ସତ ଦେଖିହୁଏନା ଆଖିରେ
ସବୁ କ୍ଷତ ରଖିହୁଏନା ଛାତିରେ
ସବୁ ସ୍ବପ୍ନ ଦେଖିହୁଏନା ରାତିରେ
ସବୁ ସୁଖ ସାଇତି ହୁଏନା ମନରେ ।

ଜାଣେନା ରାତି ପାହିଲେ
ମୋ ପାଇଁ
ସକାଳ ପରି ଫର୍ଚ୍ଚା ରାସ୍ତା ଥିବ
କି କିଟି କିଟି ଅନ୍ଧାର
ଫୁଲ ଫୁଟିଥିବ କି ବୋମା
ତମେ ଥିବ କି ଆଉ କିଏ
ଆଖି ବୁଜି ଦେଇଚି ମୁଁ
ମୋ ଆଖି ଭିତରେ କିନ୍ତୁ
ତମେ ଅଛ । ।

Leave A Reply

Your email address will not be published.

3 × 3 =