ଲୋକ ଯୋଜନା ଅଭିଯାନ-୨୦୨୧ ନିମନ୍ତେ ୨ୟ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଲୋକ ଯୋଜନା ଅଭିଯାନ ୨୦୨୧ ନିମନ୍ତେ ୨ୟ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ବୈଠକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଉଷା କୁମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା କିଲିଟାରି ସଭାକକ୍ଷରେ ଅନୁଷ୍ଠିତ ବୈଠକରେ ଡ଼ିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଡୋଳାମଣି ପଟେଲ, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ବିଭିନ୍ନ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକ ପ୍ରାରମ୍ଭରେ ଆଜି ସମ୍ବିଧାନ ଦିବସ ପରିପ୍ରେକ୍ଷୀରେ ଭାରତ ରତ୍ନ ଡ଼ଃ ଭୀମ ରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଉପସ୍ଥିତ ଅଧ୍ୟକ୍ଷା ତଥା ସମସ୍ତ ସଦସ୍ୟ ସଦସ୍ୟା ଓ ଜିଲ୍ଲାସ୍ତରୀୟ ଅଧିକାରୀ । ପରେ ପରେ ପ୍ରକଳ୍ପ ନିର୍ଦେଶକ, ଡ଼ିଆର୍‌ଡ଼ିଏ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିବା ସହ ଏହି ସ୍ୱତନ୍ତ୍ର ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ଉଷା କୁମାରୀ ନିଜର ବକ୍ତବ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ ଆବଣ୍ଟିତ ଅର୍ଥ ଖସଡ଼ାର ଉପଯୁକ୍ତ କାର୍ଯ୍ୟକାରିତା ଦ୍ୱାରା ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସମ୍ଭବ ବୋଲି କହିବା ସହ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ଵୟ ରଖି ଲୋକ ଯୋଜନା କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଆଜି ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚଦଶ ଅର୍ଥ କମିଶନର ଆବଦ୍ଧ ପାଣ୍ଠିରୁ ୧,୯୮,୧୧୪୬୦ ଟଙ୍କା ସେହିପରି ଅନାବଦ୍ଧ ପାଣ୍ଠିରୁ ୧,୩୨,୦୭୬୩୨ ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ୧,୭୪,୮୫୯୮୬ ଟଙ୍କାର ପ୍ରସ୍ତାବିତ କାର୍ଯ୍ୟ ପ୍ରକଳ୍ପଗୁଡିକୁ ଗୃହରେ ସର୍ବସମ୍ମତି କ୍ରମେ ପାରିତ କରାଯାଇଛି । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ନିଜ ନିଜର ବିଭାଗର ଲୋକ ଯୋଜନା କାର୍ଯ୍ୟକ୍ରମଗୁଡିକୁ ଅନ୍ୟ ବିଭାଗ ସହଯୋଗରେ ଯୋଜନାର କାର୍ଯ୍ୟକାରିତାକୁ ପ୍ରଭାବୀ ଓ ଏକାଭିମୁଖୀ କରାଯାଇ ପାରିବ ତାହା ଉପରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥାପନ କରିଥିଲେ । ଜିଲ୍ଲାର ଗ୍ରାମ୍ୟଞ୍ଚଳରେ ନିଆଯାଉଥିବା ପ୍ରତ୍ୟେକ ଲୋକ ଯୋଜନା କାର୍ଯ୍ୟକ୍ରମକୁ ସମସ୍ତଙ୍କୁ ଉପଲବ୍ଧ ସହ ସୁସମନ୍ୱୟ ରକ୍ଷା ପୂର୍ବକ ସୁବ୍ୟବସ୍ଥିତ ଓ ସୁନିଶ୍ଚିତ କରିବାକୁ ସରକାରଙ୍କ ନିର୍ଦେଶ ମୁତାବକ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ସଦସ୍ୟ ସଦସ୍ୟା ଗୁରୁତ୍ୱାରୋପ କରିଛନ୍ତି । ଶେଷରେ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ -ଆରଡବ୍ଲୁଏସ୍‌ଏସ୍‌, ବିଭୂପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.