jayashree

ବଣ ମଲ୍ଲୀ ପ୍ରତିଭାକୁ ସ୍ୱୀକୃତି ଦେଲେ ଜିଲ୍ଲପାଳ

  • ସଂସ୍କୃତରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ମହେନ୍ଦ୍ରୀର କୁଡ଼ିଆ ଘରେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବଣମଲ୍ଲୀର ବାସ୍ନା ଅତ୍ୟନ୍ତ ନିଆରା ଏହା ସମସ୍ତେ ଜାଣନ୍ତି । କିନ୍ତୁ ସେହି ପ୍ରତିଭାକୁ ଖୋଜିବାକୁ ଚିହ୍ନିବାକୁ ଆଗେଇ ଆସନ୍ତି ଖୁବ୍ କ୍ୱଚିତ୍ ଲୋକ । ଗୁଣଗ୍ରାହୀ ଗୁଣର ମହତ୍ୱ ଚିହ୍ନିଲା ପରି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ନନ୍ଦନମାଳ ପରି ଏକ ମଫସଲ ଗାଁର ବଣମଲ୍ଲୀ ପରି ପ୍ରସ୍ପୁଟିତ ଏକ ପ୍ରତିଭା ମହେନ୍ଦ୍ରି ନାଗ ଯିଏକି ପ୍ରଖ୍ୟାତ ତିରୁପତି ବିଶ୍ୱ ବିଦ୍ୟାଳୟ ସଂସ୍କୃତ ସ୍ନାତକୋତ୍ତର ବିଭାଗରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିବା ସହ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ଜିଲ୍ଲାପାଳ ଆଜି ନିଜେ ମହେନ୍ଦ୍ରୀର କୁଡ଼ିଆ ଘରକୁ ଯାଇ ସମ୍ୱର୍ଦ୍ଧିତ କରିବା ସହ ଆର୍ଥିକ ସହାୟତା କରି ବିଜ୍ଞତା ତଥା ମହନୀୟତାର ପରିଚୟ ସୃଷ୍ଟି କରିଛନ୍ତି । ପ୍ରକାଶ ଥାଉ କି ଯେ, ମହେନ୍ଦ୍ରି ସୋନପୁର କଲେଜରେ ଅଧ୍ୟୟନ କରୁଥିବା ବେଳେ ଗ୍ରାଜୁଏସନରେ ସଂସ୍କୃତ ସମ୍ମାନରେ କଲେଜ୍ ଟପ୍ପର ହୋଇଥିଲେ । ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ମହେନ୍ଦ୍ରୀ ନିଜେ ଚକୋଲେଟ୍, ବିସ୍କେଟ, କୁରକୁରେ ବିକି ଘରେ ଦି ପଇସା ରୋଜଗାର କରି ସେହି ଅର୍ଥରେ ପାଠ ପଢୁଥିଲେ । ପରେ ପରେ ଘରେ ଶିକ୍ଷାଦାନ କରିବା ସହ ଗ୍ରୁପ ଋଣ ସହାୟତାରେ ଖୁବ ସଙ୍ଘର୍ଷ କରି ସେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଦୃଢ଼ ଇଚ୍ଛାଶକ୍ତି ବଳରେ ଆଜି ସେ ୧୦ ସିଜିପିଏରୁ ୯.୪% ମାର୍କ ରଖି ତାଙ୍କୁ ପ୍ରଖ୍ୟାତ ସଂସ୍କୃତ ବିଶ୍ଵ ବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ମିଳିଛି । ମହେନ୍ଦ୍ରି ଏବେ ଲକ୍ଷ୍ନୌରେ ବିଇଡି କରୁଥିବା ବେଳେ ସିଟିଇଟି (ସିଟେଡ)ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ସବୁ କଥା ଜିଲ୍ଲାପାଳଙ୍କୁ କହୁଥିବା ବେଳେ ଭାବ ପ୍ରବଣ ହୋଇ ଯାଇ କାନ୍ଦି ପକାଇଥିଲେ ଆଜି ମହେନ୍ଦ୍ରୀ । ମୁଁ ନିଜେ ବି ଏହିଭଳି କୁଡ଼ିଆ ଘରୁ ବଢ଼ିଛି ଖୁବ୍ ସଙ୍ଘର୍ଷ କରି ପାଠ ପଢ଼ିଛି ଖୁବ୍ ଦୁଃଖ କଷ୍ଟ ସହିଛି ଆଉ ସଫଳତା ପାଇଛି ବୋଲି ତୋ ଭଳିଆ ପ୍ରତିଭା ଅନ୍ୱେଷଣରେ ଆସି ଆଜି ତୋ ପାଖକୁ ପହଞ୍ଚିଛି ବୋଲି ଏହାର ପ୍ରତି ଉତ୍ତରରେ ମେଧା ଛାତ୍ରୀକୁ କହିଥିଲେ ଜିଲ୍ଲାପାଳ । ସେ ଭବିଷ୍ୟତରେ ଜଣେ ଦକ୍ଷ ତଥା ଆଦର୍ଶ ଶିକ୍ଷୟିତ୍ରୀ ହେବାର ଲକ୍ଷ ରଖିଥିବା କହିଛନ୍ତି ମହେନ୍ଦ୍ରୀ ଏବଂ କହିଛନ୍ତି ଯେ, ସମାଜର ଉଚ୍ଚରୁ ଉଚ୍ଚତର ସୋପାନରେ ପହଞ୍ଚିଲେ ମଧ୍ୟ ମାଟିକୁ ନ ଭୁଲିବାର ପ୍ରତିଶ୍ରୁତି ଦେଇଛନ୍ତି । ମହେନ୍ଦ୍ରୀଙ୍କ ବାପା ମା’ଙ୍କ ଅନୁରୋଧ କ୍ରମେ ତାଙ୍କ ପାଇଁ ଏକ ଆବାସ ଘର ମଧ୍ୟ ଯୋଗାଇ ଦେବାକୁ ପ୍ରତିଶୁତି ଦେଇଥିଲେ ଜିଲ୍ଲାପାଳ । ଆଗକୁ ମହେନ୍ଦ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ପକ୍ଷରୁ ୫ ହଜାର ଟଙ୍କା ଓ ଅଧ୍ୟାପକ ମଦନ ସୁନ୍ଦର ଖେତିଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ସହ ଉଚ୍ଚ ଶିକ୍ଷା ଉପରେ ଅନେକ ଟିପ୍ସ ପ୍ରଦାନ କରାଯାଇଥିଲା । ପ୍ଲାବନ ମହାପାତ୍ରଙ୍କ ମହାନଦୀ ଧାରା ଶିକ୍ଷାନୁଷ୍ଠାନ ପକ୍ଷରୁ ମହେନ୍ଦ୍ରୀଙ୍କ ନାମରେ ଏକ ସ୍କୋଲାରସିପ ଆରମ୍ଭ କରାଇ ଆଜି ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ ପ୍ଲାବନ ମହାପାତ୍ର । ସୋନପୁର ପୋଷ୍ଟାଲ କର୍ମଚାରୀ ମିସ୍ ଋତୁ ନନ୍ଦା ସିଂହ ଦୂର୍ଘଟଣାରେ ମୃତ୍ୟୁ ବରଣ କରିଥିବା ତାଙ୍କ ଭାଇ ରୁଦ୍ର ପ୍ରତାପ ସିଂହଙ୍କ ସ୍ମୃତିରେ ଦଶ ଲକ୍ଷ ଟଙ୍କା କଭର କରୁଥିବା ଏକ ଦୂର୍ଘଟଣା ଜନିତ ପୋଷ୍ଟାଲ ଇନ୍ସୁରେଂସ ଓ ଏକାଉଣ୍ଟ ମହେନ୍ଦ୍ରିଙ୍କ ନାମରେ ଖୋଲି ଥିଲେ ଯାହାକି ଉଚ୍ଚ ଶିକ୍ଷା ଯାଏ ଏହି ବୃତ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ଋତୁ ନନ୍ଦା । ଜିଲ୍ଲାପାଳଙ୍କ ସହିତ ଆଜିର ଏ ଗସ୍ତରେ ଓଡ଼ିଶା ସାମ୍ୱାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ ପାତ୍ର, ସଂପାଦକ ମହାଦେବ ମଲ୍ଲିକ ଓ ରାଜ୍ୟ ସଂପାଦକ ରାଜ କିଶୋର ତ୍ରିପାଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.