- ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ହେଲୋ ନିଲେଶ
ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବିମ୍ବ ନାଟ୍ୟ ସଂଗମ ୨୦୨୬ର ପ୍ରଥମ ସନ୍ଧ୍ୟାରେ ପ୍ରତିବିମ୍ବ ଅନୁଷ୍ଠାନର ପ୍ରଭାକର ପାତ୍ର ରଚିତ ଓ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶନାରେ ନାଟକ ହେଲୋ ନିଲେଶ ମଞ୍ଚସ୍ଥ ହୋଇଯାଇଛି । ସିଭିକ ସେଣ୍ଟର୍ ଠାରେ ଆୟୋଜିତ ଏହି ନାଟ୍ୟ କାର୍ଯ୍ୟକ୍ରମରେ ଝିଲିମା ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅତିଥି ଭାବେ ଆର୍ଏସ୍ପିର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକ୍ଷକ ପ୍ରମୋଦ କୁମାର ସାହୁ, ନାଟ୍ୟକାର ପ୍ରଫେସର ଡ. ସମର ମୁଦାଲି, ଆର୍ଏସ୍ପିର ବରିଷ୍ଠ ଅଧିକାରୀ ରାଜକିଶୋର ଧାରୁଆ, ଚଳଚ୍ଚିତ୍ର ପ୍ରଯୋଜକ ସଲିଳ ବୋଷ, ଜିଏନ୍ ଆଗ୍ରୋଭେଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିଲ୍ଲୀପ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ସଭାପତି ସୋମନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇଥିଲେ । ହେଲୋ ନିଲେଶ ନାଟକର ମୁଖ୍ୟ ବିଷୟବସ୍ତୁ ହେଲା ପ୍ରତ୍ୟେକ ସମ୍ପର୍କର ମୂଳମନ୍ତ୍ର ହେଲା ବିଶ୍ଵାସ ଆଉ ଭରସା । ଯାହା ପାଇବା ପାଇଁ ହେଲେ ସାରା ଜୀବନ କମ୍ ପଡ଼ିଯାଏ, କିନ୍ତୁ ହରେଇବା ପାଇଁ ଗୋଟିଏ ମୁହୂର୍ତ ଲାଗେ । ଭଲ ପାଇବାର ମୁଦ୍ରାରେ ଦୁଇଟି ପାର୍ଶ୍ବ, ଗୋଟିଏ ବିଶ୍ଵାସ ଏବଂ ଅନ୍ୟଟି ସନ୍ଦେହ । ବିଶ୍ଵାସରେ ହିଁ ଭଲ ପାଇବାର ରଙ୍ଗ ଗାଢ଼ ହେଇଥାଏ । ଆଉ ଜୀବନର ଥରେ ସନ୍ଦେହର ନିଆଁ ଲାଗିଗଲେ ସବୁ ହସଖୁସି ସ୍ୱପ୍ନକୁ ଜାଳି ପୋଡ଼ି ପାଉଁଶ କରିଦେଇଥାଏ । ଗୋଟେ ମିଛ ନାଟକ ଯେ, ବେଳେ ବେଳେ ଜୀବନରେ ଏତେ ଭୟଙ୍କର ରୂପ ନେଇ ପାରେ, ଏହାକୁ ନେଇ ଗତିଶୀଳ ହୋଇଛି ନାଟକ ହେଲୋ ନିଲେଶ । ଏହି ନାଟକରେ ପ୍ରଣବ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନାରାୟଣ ତ୍ରୀପାଠୀ, ସୁଶାନ୍ତ କୁମାର ମହାନ୍ତି, ଅଶୋକ କୁମାର ରାଉତ, ଚିନ୍ମୟ କୁମାର ବେହେରା, ସରୋଜିନୀ ସ୍ୱାଇଁ, ଗାୟତ୍ରୀ ବିଶୋଇ, ନୈନା ମହାନ୍ତି ପ୍ରମୁଖ ଅଭିନୟ କରିଥିବା ବେଳେ ସଙ୍ଗୀତରେ ଅମୂଲ୍ୟ କୁମାର ବିଶୋଇ, ମଞ୍ଚସଜ୍ଜାରେ ଉମାକାନ୍ତ ବିଶୋଇ ଓ ଭୀଷ୍ମ ନାରାୟଣ ସ୍ୱାଇଁ, ଗୀତ ଓ ସ୍ଵର ସଂଯୋଜନାରେ ପ୍ରେମ ଆନନ୍ଦ, କଣ୍ଠରେ ସବିଶେଷ ମିଶ୍ର, ରୂପସଜ୍ଜାରେ ହରିହର ବଳ, ତଥା ମଞ୍ଚ ପରିଚାଳନାରେ ଦୀପକ କୁମାର ମହାନ୍ତି , ସାଗର ମୁଣ୍ଡା, ଶିଶିର କୁମାର ଦାସ, ଅଶୋକ କୁମାର ଦାସ , ଶିରୋମଣି ହରୋ, ସଂଧ୍ୟାରାଣୀ ଦାସ, ପ୍ରଜ୍ଞା ପରମିତା ରାଉତ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଦୀପକ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।