- ଚିନ୍ତା ବଢ଼ାଉଛି ଡିଜିଟାଲ ପେମେଣ୍ଟ ଠକେଇ
ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ମାସିକ ସାହିତ୍ୟ ଆସରରେ ଡିଜିଟାଲ ଠକାମିର ସୁରକ୍ଷା ଉପରେ ଏକ ଆଲୋଚନା ଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରସନ୍ନ କୁମାର ସାବତଙ୍କ ସଭାପତିତ୍ୱ ଓ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ତ୍ୱରେ ଆୟୋଜିତ ଏହି ଆସରରେ ଗୀତିକବି ସମାଜର ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରା ମୁଖ୍ୟଅତିଥି ଓ ସାଇବର କ୍ରାଇମର ସବ-ଇନ୍ସପେକ୍ଟର ତ୍ରିଲୋଚନ ସାମଲ ଆଲୋଚକ ଭାବେ ଯୋଗଦେଇ ଡିଜିଟାଲ ଠକାମିର ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ପ୍ରଥମେ ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ବରିଷ୍ଠ ଅଧିକାରୀ ଇଂ. ସୁବାସ ମହାପାତ୍ର ପ୍ରାକ ଉପସ୍ଥାପନାରେ ସାଇବର ଅପରାଧୀମାନେ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟ୍ସଆପ, ଇନଷ୍ଟାଗ୍ରାମ, ଇମେଲ ଓ ମୋବଇଲ ଫୋନ ଇଣ୍ଟରନେଟ ମାଧ୍ୟମରେ ଜମାଖାତାରୁ ଟଙ୍କା ଉଠାଇଥାନ୍ତି । ୨୦୨୨ରୁ ପ୍ରତିବର୍ଷ କିପରି ଅପରାଧ ସଂଖ୍ୟା ବଢ଼ି ବଢ଼ି ଚାଲିଛି ଏବଂ ତାର ପ୍ରତିରୋଧ କିପରି କରିବ ସେ ସମ୍ପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇ କହିଥିଲେ । ମୁଖ୍ୟଅତିଥି ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାଇବର ଠକେଇ ଠାରୁ ବଞ୍ଚିବାକୁ ହେଲେ ତାର ମୂଳକୁ ଉପାଡି ଫିଙ୍ଗିବା ଦରକାର, ଏହା ସହ ସେ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ବକ୍ତା ଶ୍ରୀ ସାମଲ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ସାଇବର ଅପରାଧୀମାନେ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ଡିଜିଟାଲ ପେମେଣ୍ଟ ଠକେଇ ଦ୍ୱାରା ଚିନ୍ତା ବଢେଇଛନ୍ତି । କିଛି ଅଜଣା ଫୋନ ଆସିଲେ ନମ୍ବର ମନେ ରଖି ତୁରନ୍ତ ପୋଲିସକୁ ଫୋନ କଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ନେଇହବ । ଅନଲାଇନ ବ୍ୟାଙ୍କିଙ୍ଗ୍ ପଦ୍ଧତି ବ୍ୟବହାର କରି ଠକାମୀ କରାଯାଇଥାଏ । ସେଥିପାଇଁ ସତର୍କ ରହିବା ପାଇଁ ପରାମର୍ଶ ଦେବା ସଙ୍ଗେ ସଙ୍ଗେ କେତେକ ଉପାୟ ବିଷୟରେ ସୂଚନା ଦେଇଥିଲେ । ଗାଳ୍ପିକ ବ୍ରଜେନ୍ଦ୍ର ଦାଶ ଗଳ୍ପପାଠ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ସାବତ ସଭାପତିତ୍ୱ ଅଭିଭାଷଣ ଓ ସମ୍ପାଦକ ଶ୍ରୀ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଆ ବିଭାଗର ଛାତ୍ର ଦୀପକ କୁମାର ସାହୁ ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି ବଳରାମ ଦାଶ, ଦେବେନ୍ଦ୍ର କୁମାର ବଳ, ଅଶୋକ କୁମାର ପଟ୍ଟନାୟକ, ଗୌତମ ଦାସ, ପ୍ରତାପ କୁମାର ପଣ୍ଡା, ଭୋଳେଶ୍ୱର ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୁଦତ୍ତ ବେହେରା, ଅଜୟ ମହାନ୍ତି, ଡ଼ଃ. ଶକ୍ତି ପ୍ରସାଦ ସାମନ୍ତରାୟ, କମଳ ଆଚାର୍ଯ୍ୟ, ଶରତ କୁମାର ସ୍ୱାଇଁ, ଶ୍ରୀକାନ୍ତ ପାଣିଗ୍ରାହୀ, ଶରତ ରାଉତ, ବସନ୍ତ ମହାରଣା, ମୀନକେତନ ପଶାୟତ, ଜୟା ବଡାଇକ, ନିରୁପମା ଚାନ୍ଦ, ରମେଶ ଚନ୍ଦ୍ର ସାହୁ, ରବୀନ୍ଦ୍ର ଠାକୁର ସହ ମହାବିଦ୍ୟାଳୟର ଛାତ୍ରମାନେ ଯୋଗଦାନ କରିଥିଲେ । ସାଂସ୍କୃତିକ ସମ୍ପାଦିକା କବିତା ଦାଶ ସଭା ପରିଚାଳନା କରିଥିଲାବେଳେ ଉପସଭାପତି ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।