ସିଲ ହେଲା ଏକ୍ସିସ୍ ବ୍ୟାଙ୍କ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ପୌରପରିଷଦ ସିଲ୍ କରିଛି ଟିଟିଲାଗଡ ସହର ମଧ୍ୟସ୍ଥ ଏକ୍ସିସ୍ ବ୍ୟାଙ୍କକୁ । ଟିଟିଲାଗଡ ସହରର ସମସ୍ତ ମୁଖ୍ୟ ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ମୁଖ୍ୟ ରାସ୍ତାକୁ ଲାଗି ରହିଛି । ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରେ ଲାଗିଛି । ଏହାକୁ ନଜରରେ ରଖି ଟିଟିଲାଗଡ ଉପଜିଲ୍ଲାପାଳ ତଥା ଟିଟିଲାଗଡ ପୌରପରିଷଦର କାର୍ୟ୍ୟନିର୍ବାହୀ ଅଧିକାରୀ ସୋମେଶ ଉପାଧ୍ୟାୟ ଗତ ୨୦୨୦ ମସିହା ଡିସେମ୍ବର ୫ ତାରିଖରେ ଏକ୍ସିସ୍ ବ୍ୟାଙ୍କକୁ ନୋଟିସ କରିଥିଲେ । ଏକ୍ସିସ୍ ବ୍ୟାଙ୍କ ଥିବା ସ୍ଥାନର ମାଲିକ ଟିଟିଲାଗଡ ପୌରପରିଷଦରୁ ପାର୍କିଂ ସ୍ଥଳ ପାଇଁ ଅନୁମତି ଆଣି ସେଠାରେ ବ୍ୟାଙ୍କ ସ୍ଥାପନ କରିଥିଲେ । କିନ୍ତୁ ପାର୍କିଂର କୌଣସି ସୁବିଧା ନଥିବାରୁ ଗ୍ରାହକ ଓ କର୍ମଚାରୀ ରାସ୍ତା ଉପରେ ଯାନବାହାନ ରଖି ବ୍ୟାଙ୍କକୁ ଯାଉଥିଲେ । ଯାହାଫଳରେ ଟ୍ରାଫିକ ସମସ୍ୟା ଉତ୍କଟ ରୂପ ନେଇଥିଲା । ତେଣୁ ଟିଟିଲାଗଡ ପୌରପରିଷଦ ତରଫରୁ ବ୍ୟାଙ୍କକୁ ଏକ ମାସ ମଧ୍ୟରେ ପାର୍କିଂ ସ୍ଥାନ ତିଆରି କରିବା ପାଇଁ କିମ୍ବା ବ୍ୟାଙ୍କକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ବ୍ୟାଙ୍କ କତୃପକ୍ଷ କୌଣସି ସମାଧାନ ନ କରିବାରୁ ଆଜି ଟିଟିଲାଗଡ ଉପଜିଲ୍ଲାପାଳ ଓ ଟିଟିଲାଗଡ ପୋଲିସଙ୍କ ତତ୍ତ୍ଵାବଧାନରେ ପୌରପରିଷଦ ବ୍ୟାଙ୍କକୁ ସିଲ୍ କରିଥିବା ଉପଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ସୂଚନା ଦେଇଛନ୍ତି। ଏହା ସହ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମଧ୍ୟ ଟ୍ରାଫିକ ସମସ୍ୟା ହେଉଥିବାରୁ ବ୍ୟାଙ୍କ କତୃପକ୍ଷଙ୍କୁ ସମସ୍ୟାର ସମାଧାନ ପାଇଁ ଚେତାବନୀ ଦିଆଯାଇଥିବା କହିଛନ୍ତି ଉପଜିଲ୍ଲାପାଳ ।

Leave A Reply

Your email address will not be published.