
ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳୀୟ କୃଷି ସଂସ୍କୃତିର ଏକ ଅନନ୍ୟ ନିଦର୍ଶନ ହେଉଛି ମହାନ ଗଣପର୍ବ ରଜ ମହୋତ୍ସବ । ମାତାଞ୍ଜଳି ସୋସିଓ ସ୍ପିରିଚୁଆଲ ଟ୍ରଷ୍ଟ ପକ୍ଷରୁ ରଜ ମହୋତ୍ସବ ସାର୍ବଜନୀନ ସ୍ତରରେ ସେକ୍ଟର ଦୁଇ ସ୍ଥିତ ବିଜୁ ପଟ୍ଟନାୟକ ଛକ ନିକଟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥୀ ଯୋଗଦେଇଥିଲେ । ଏହି ଅବସରରେ ମୂଖ୍ୟଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସାମାଜିକ ସଂହତି ଏବଂ ସହନଶୀଳତା ସୃଷ୍ଟି କରିବାରେ ପର୍ବପର୍ବାଣି ସମାଜକୁ ଶିକ୍ଷା ଦେଇଥାଏ । କେବଳ ଅର୍ଥ ଏବଂ ସମୟ ଥିଲେ ଜଣେ ସାମାଜିକ କାର୍ଯ୍ୟକ୍ରମ କରିପାରିବ ନାହିଁ,ଏଥି ପାଇଁ ଦୃଢ ତଥା ଉଚିତ ଆଭିମୁଖ୍ୟ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ କବି ଶତପଥୀ କହିଲେ ଯେ ମାଟି ଏବଂ ମାଆର ପୂଜା ଆରାଧନା ହିଁ ରଜ ପର୍ବର ବୈଶିଷ୍ଟ୍ୟ । ଏହି ଅବସରରେ ସମବେତ ଜନତାଙ୍କୁ ଦୁଇ ହଜାର ପାରମ୍ପରିକ ପିଠା, ପନ୍ଦର ଶହ ରଜ ପାନ, ଏବଂ ଦୁଇ ହଜାର ଦହି ସରବତରେ ଆପ୍ୟାୟିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବ୍ରଜେନ୍ଦ୍ର ଦାଶ ସଂଯୋଜନା କରିଥିବା ବେଳେ ରାମକୃଷ୍ଣ ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ମ୍ୟାନେଜିଂ ଟ୍ରଷ୍ଟି ଇଂ ଆଲୋକ ରଞ୍ଜନ ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟି ଡାକ୍ତର ଦେବାଶିଷ ପଟ୍ଟନାୟକ, ଡାକ୍ତର ଅବନୀ କୁମାର ଦାଶ, ଅରବିନ୍ଦ ଦାସ, ପ୍ରିୟବ୍ରତ ସାମଲ ଓ ଆମନ୍ତ୍ରିତ ଅତିଥିବୃନ୍ଦ ମଧ୍ୟରେ ସର୍ବଶ୍ରୀ ନଳିନୀକାନ୍ତ ଧର, ମନୋଜ କୁମାର ନନ୍ଦ, ସୁମନ୍ତ କୁମାର ଉପାଧ୍ୟାୟ, ରାଜୀବ ପାଣି, ଜଗନ୍ନାଥ ରାଉତ, ଅର୍ଦ୍ଧେନ୍ଦୁ ଷଡଙ୍ଗୀ ,ବିଭୁ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।