ସଫଳ ରୂପାୟନର ଏକ ଦଶନ୍ଧି ପୂରଣ କଲା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍ଜେଡିୱାଇ) – ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ମିଶନ
- ପିଏମ୍ଜେଡିୱାଇ ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି : କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ
- ଜନଧନ-ମୋବାଇଲ-ଆଧାରକୁ ସଂଯୋଗ କରି ସମ୍ମତି ଭିତ୍ତିକ ପାଇପଲାଇନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇକୋସିଷ୍ଟମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି ଯାହାକି ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ତ୍ୱରିତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ଆର୍ଥିକ ହସ୍ତାନ୍ତରକୁ ସକ୍ଷମ କରିବା ଏବଂ ଡିଜିଟାଲ ଦେୟକୁ ପ୍ରୋତ୍ସାହିତ କରିବାରେ ସଫଳ ହୋଇଛି : ଶ୍ରୀମତୀ ସୀତାରମଣ
- ପିଏମ୍ଜେଡିୱାଇ କେବଳ ମିଶନ ମୋଡରେ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବରେ କାର୍ଯ୍ୟୃ କରୁ ନାହିଁ ବରଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବେ ତାହା ମଧ୍ୟ ଦର୍ଶାଉଛି : ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ
- ପିଏମ୍ଜେଡିୱାଇ ଆରମ୍ଭ ହେବା ପରଠାରୁ ଏହା ଅଧୀନରେ ୫୩.୧୪ କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଖାତା ସୁବିଧା ପ୍ରଦାନ କରାଯାଇଛି
- ପିଏମ୍ଜେଡିୱାଇ ଆକାଉଣ୍ଟ ଅଧୀନରେ ମୋଟ ଜମା ରାଶି ପରିମାଣ ୨,୩୧,୨୩୬ କୋଟି ଟଙ୍କା ରହିଛି
- ପିଏମ୍ଜେଡିୱାଇ ଆକାଉଣ୍ଟ ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୫.୬୭ କୋଟିରୁ ୩.୬ ଗୁଣ ବୃଦ୍ଧି ପାଇ ୧୪-୦୮-୨୦୨୪ ସୁଦ୍ଧା ୫୩.୧୪ କୋଟିରେ ପହଞ୍ଚିଛି
- ପ୍ରାୟ ୫୫.୬% ଜନ-ଧନ ଆକାଉଣ୍ଟଧାରୀ ମହିଳା ହୋଇଥିବା ବେଳେ ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ପ୍ରାୟ ୬୬.୬% ଜନଧନ ଆକାଉଣ୍ଟଧାରୀ ଅଛନ୍ତି
- ପିଏମ୍ଜେଡିୱାଇ ଆକାଉଣ୍ଟଧାରୀଙ୍କୁ ୩୬.୧୪ କୋଟି ରୂପେ କାର୍ଡ ପ୍ରଦାନ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ୨୮ ଅଗଷ୍ଟ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମ୍ଜେଡିୱାଇ)ର ସଫଳ ରୂପାୟନର ଆଜି ଏକ ଦଶନ୍ଧି ପୂରଣ ହୋଇଛି । ପିଏମ୍ଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପଦକ୍ଷେପ ହୋଇଥିବାରୁ ଅର୍ଥ ମନ୍ତ୍ରଣାଳୟ ଏହାର ଆର୍ଥିକ ଅନ୍ତର୍ଭୁକ୍ତୀକରଣ ହସ୍ତକ୍ଷେପ ମାଧ୍ୟମରେ ଅବହେଳିତ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ସହାୟତା ପ୍ରଦାନ କରିବାକୁ ନିରନ୍ତର ପ୍ରୟାସ କରୁଛି । ଏହି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ କହିଛନ୍ତି, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତୀକରଣ ହାସଲ ପାଇଁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ସେବାର ସାର୍ବଜନୀନ ଏବଂ ସୁଲଭ ଉପଲବ୍ଧତା ଜରୁରୀ । ଏହା ଗରିବମାନଙ୍କୁ ଅର୍ଥନୈତିକ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ଅବହେଳିତ ସମ୍ପ୍ରଦାୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବ୍ୟାଙ୍କ ଆକାଉଣ୍ଟ, କ୍ଷୁଦ୍ର ସଞ୍ଚୟ ଯୋଜନା, ବୀମା ଓ ଋଣ ସମେତ ସାର୍ବଜନୀନ, ସୁଲଭ ଓ ଆନୁଷ୍ଠାନିକ ଆର୍ଥିକ ସେବା ପ୍ରଦାନ କରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗତ ଦଶନ୍ଧି ମଧ୍ୟରେ ଦେଶର ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ଦୃଶ୍ୟରେ ପରିବର୍ତ୍ତନ ଆଣିଛି । ଜନଧନ ଆକାଉଣ୍ଟ ଖୋଲିବା ମାଧ୍ୟମରେ ୫୩ କୋଟି ଲୋକଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଣାଯାଇଥିବାରୁ ଏହି ପଦକ୍ଷେପର ସଫଳତା ପ୍ରତିଫଳିତ ହେଉଛି । ଏସବୁ ବ୍ୟାଙ୍କ ଆକାଉଣ୍ଟରେ ୨.୩ ଲକ୍ଷ କୋଟି ଟଙ୍କାର ଜମା ରାଶି ମିଳିଛି ଏବଂ ୩୬ କୋଟିରୁ ଅଧିକ ମାଗଣା ରୁପେ କାର୍ଡ ଜାରି ହୋଇଛି, ଯେଉଁଥିରେ ୨ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ, ଏଥିରେ ଖାତା ଖୋଲିବା ଶୁଳ୍କ କିମ୍ବା ରକ୍ଷଣାବେକ୍ଷଣ ଶୁଳ୍କ ନାହିଁ ଏବଂ ସର୍ବନିମ୍ନ ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଏହା ଖୁସିର ବିଷୟ ଯେ, ଗ୍ରାମାଞ୍ଚଳ କିମ୍ବା ଅର୍ଦ୍ଧ ସହରାଞ୍ଚଳରେ ୬୭% ଆକାଉଣ୍ଟ ଖୋଲାଯାଇଛି ଏବଂ ୫୫% ଖାତା ମହିଳାମାନେ ଖୋଲିଛନ୍ତି । ଜନଧନ-ମୋବାଇଲ-ଆଧାର ସଂଯୋଗ ମାଧ୍ୟମରେ ସୃଷ୍ଟି ହୋଇଥିବା ସହମତି ଭିତ୍ତିକ ପାଇପଲାଇନ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଇକୋସିଷ୍ଟମର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ପାଲଟିଛି । ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ଦ୍ରୁତ, ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ହସ୍ତାନ୍ତର ସମ୍ଭବ ହୋଇଛି ଏବଂ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରାଯାଇଛି ବୋଲି ଶ୍ରୀମତୀ ସୀତାରମଣ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ପିଏମ୍ଜେଡିୱାଇ କେବଳ ଏକ ଯୋଜନା ନୁହେଁ, ବରଂ ଏକ ପରିବର୍ତ୍ତନକାରୀ ଆନ୍ଦୋଳନ ଯାହା ଅନେକ ବ୍ୟାଙ୍କ ବିହୀନ ଜନସଂଖ୍ୟାର ଆର୍ଥିକ ସ୍ୱାଧୀନତାକୁ ସକ୍ଷମ କରିଛି ଏବଂ ଆର୍ଥିକ ନିରାପତ୍ତା ଭାବନା ସୃଷ୍ଟି କରିଛି । ୨୦୨୧ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ପ୍ରତ୍ୟେକ ପରିବାରର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ ଏବଂ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ବୀମା ଏବଂ ପେନସନ କଭରେଜ ରହିବା ଉଚିତ । ସମଗ୍ର ଦେଶରେ ଚାଲିଥିବା ବିଭିନ୍ନ ସଚେତନତା ଅଭିଯାନ ମାଧ୍ୟମରେ ଏ ଦିଗରେ ନିରନ୍ତର ପ୍ରୟାସ ଦ୍ୱାରା ଆମେ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ପରିପୂର୍ଣ୍ଣତା ଲକ୍ଷ୍ୟ ହାସଲ କରିଛୁ ଏବଂ ସମଗ୍ର ଦେଶରେ ବୀମା ଏବଂ ପେନସନ କଭରେଜରେ କ୍ରମାଗତ ବୃଦ୍ଧି ଘଟିଛି ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ‘ସମସ୍ତ ଅଂଶୀଦାର, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ରାଜ୍ୟ ସରକାରଙ୍କ ସହଯୋଗରେ ଆମେ ଏକ ଅଧିକ ଆର୍ଥିକ ଅନ୍ତର୍ଭୁକ୍ତ ସମାଜ ଆଡକୁ ଅଗ୍ରସର ହେଉଛୁ ଏବଂ ପିଏମ୍ଜେଡିୱାଇ ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ଗେମ୍ ଚେଞ୍ଜର ଭାବରେ ସର୍ବଦା ସ୍ମରଣୀୟ ରହିବ । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେବଳ ମିଶନ ମୋଡରେ ଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ଭାବରେ କାର୍ଯ୍ୟ କରେ ନାହିଁ ବରଂ ଲୋକଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ହେଲେ ସରକାର କ’ଣ ହାସଲ କରିପାରିବେ ତାହା ମଧ୍ୟ ଦର୍ଶାଏ’ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି । ପିଏମଜେଡିୱାଇ ବ୍ୟାଙ୍କ ସେବାରୁ ବଞ୍ଚିତ ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଗୋଟିଏ ମୌଳିକ ବ୍ୟାଙ୍କ ଆକାଉଣ୍ଟ ପ୍ରଦାନ କରେ । ଏହି ଆକାଉଣ୍ଟ ପାଇଁ କୌଣସି ବାଲାନ୍ସ ରଖିବାର ଆବଶ୍ୟକତା ନାହିଁ ଏବଂ ଏହି ଆକାଉଣ୍ଟ ଉପରେ କୌଣସି ଶୁଳ୍କ ମଧ୍ୟ ଆଦାୟ କରାଯାଏ ନାହିଁ । ଏହି ଆକାଉଣ୍ଟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ୨ ଲକ୍ଷ ଟଙ୍କାର ଇନ୍ ବିଲ୍ଟ ଦୁର୍ଘଟଣା ବୀମା କଭର ସହ ମାଗଣାରୁପେ ଡେବିଟ୍ କାର୍ଡ ମଧ୍ୟ ପ୍ରଦାନ କରାଯାଇଛି । ପିଏମ୍ଜେଡିୱାଇ ଆକାଉଣ୍ଟଧାରୀମାନେ ଜରୁରୀକାଳୀନ ପରିସ୍ଥିତିକୁ ଭରଣା କରିବା ପାଇଁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ପାଇବାକୁ ଯୋଗ୍ୟ ଅଟନ୍ତି । ଗତ ଦଶନ୍ଧି ମଧ୍ୟରେ ପିଏମ୍ଜେଡିୱାଇ ନେତୃତ୍ୱାଧୀନ ହସ୍ତକ୍ଷେପଗୁଡିକର ଯାତ୍ରା କାର୍ଯ୍ୟକାରୀ ହୋଇଛି, ଯାହା ଉଭୟ ପରିବର୍ତ୍ତଶୀଳ ଏବଂ ଦିଗଦର୍ଶକ ପରିବର୍ତ୍ତନ ଆଣିଛି ଯାହା ଦ୍ୱାରା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନ ଇକୋସିଷ୍ଟମ ସମାଜର ଶେଷ ବ୍ୟକ୍ତି – ଗରିବରୁ ଗରିବ ଲୋକଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ସକ୍ଷମ ହୋଇଛି । ପିଏମ୍ଜେଡିୱାଇ ଆକାଉଣ୍ଟଗୁଡିକ କେବଳ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ପ୍ରାପ୍ତ କରିବାରେ ସହାୟକ ହୋଇନାହିଁ ବରଂ କୌଣସି ଦଲାଲ, ନିରବଚ୍ଛିନ୍ନ କାରବାର ଏବଂ ସଞ୍ଚୟ ସଞ୍ଚୟ ବିନା ଉଦ୍ଦିଷ୍ଟ ହିତାଧିକାରୀଙ୍କୁ ସରକାର ଦ୍ୱାରା କରାଯାଇଥିବା ଅସୁବିଧାମୁକ୍ତ ସବସିଡି / ଦେୟ ପାଇଁ ଏକ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରିଛି । କେବଳ ସେତିକି ନୁହେଁ, ଜନ ସୁରକ୍ଷା ଯୋଜନା (ମାଇକ୍ରୋ ଇନସ୍ୟୁରାନ୍ସ ସ୍କିମ୍) ଜରିଆରେ ଲକ୍ଷ ଲକ୍ଷ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଜୀବନ ଓ ଦୁର୍ଘଟଣା ବୀମା ଯୋଗାଇଦେବାରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ପିଏମ୍ଜେଡିୱାଇକୁ ନେଇ ଜନ-ଧନ ଆଧାର ଏବଂ ମୋବାଇଲ (ଜେଏଏମ୍) ଟ୍ରିନିଟି ଏକ ଡାଇଭର୍ସନ୍-ପ୍ରୁଫ୍ ସବସିଡି ବିତରଣ ବ୍ୟବସ୍ଥା ବୋଲି ପ୍ରମାଣିତ ହୋଇଛି । ଜେଏଏମ୍ ଜରିଆରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଅଧୀନରେ ସରକାର ସବସିଡି ଓ ସାମାଜିକ ସୁବିଧା ସିଧାସଳଖ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ପିଏମ୍ଜେଡିୱାଇର ସଫଳ ରୂପାୟନ ଅନେକ ମାଇଲଖୁଣ୍ଟ ହାସଲ କରିଛି । ପିଏମ୍ଜେଡିୱାଇର ପ୍ରମୁଖ ଦିଗ ଏବଂ ଉପଲବ୍ଧି ନିମ୍ନରେ ଉପସ୍ଥାପିତ ହୋଇଛି ।
୧. ପିଏମ୍ଜେଡିୱାଇ ଏକାଉଣ୍ଟ ସଂଖ୍ୟା : ୫୩.୧୩ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)
୧୪ ଅଗଷ୍ଟ ୨୪ ସୁଦ୍ଧା ମୋଟ ପିଏମଜେଡିୱାଇ ଆକାଉଣ୍ଟ ସଂଖ୍ୟା: ୫୩.୧୩ କୋଟି; ୫୫.୬% (୨୯.୫୬ କୋଟି) ଜନଧନ ଖାତାଧାରୀ ମହିଳା ଏବଂ ୬୬.୬% (୩୫.୩୭ କୋଟି) ଜନଧନ ଖାତା ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ଅଛି ।
୨. ପିଏମ୍ଜେଡିୱାଇ ଆକାଉଣ୍ଟ ଅଧୀନରେ ଜମା – ୨.୩୧ ଲକ୍ଷ କୋଟି (୧୪ ଅଗଷ୍ଟ ୨୦୨୪ସୁଦ୍ଧା) ପିଏମ୍ଜେଡିୱାଇ ଆକାଉଣ୍ଟ ଅଧୀନରେ ମୋଟ ୨,୩୧,୨୩୬ କୋଟି ଟଙ୍କା ଜମା ରହିଛି । ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୨୪ ମଧ୍ୟରେ ଏକାଉଣ୍ଟ ସଂଖ୍ୟା ୩.୬ ଗୁଣ ବୃଦ୍ଧି ପାଇଥିବା ବେଳେ ଜମାରାଶି ପରିମାଣ ୧୫ ଗୁଣ ବଢ଼ିଛି ।
୩. ପିଏମଜେଡିୱାଇ ଏକାଉଣ୍ଟ ଅଧୀନରେ ହାରାହାରୀ ଜମା – ₹୪୩୫୨ ଟଙ୍କା (୧୪ ଅଗଷ୍ଟ ୨୦୨୪ ସୁଦ୍ଧା)୧୪.୦୮.୨୦୨୪ ସୁଦ୍ଧା ପ୍ରତ୍ୟେକ ଖାତାରେ ହାରାହାରୀ ଜମା ₹୪,୩୫୨ ଟଙ୍କା ରହିଛି । ହାରାହାରୀ ଜମା ପରିମାଣ ବୃଦ୍ଧି ଏହା ଦର୍ଶାଉଛି ଯେ, ଏକାଉଣ୍ଟର ବ୍ୟବହାର ବୃଦ୍ଧି ପାଇଛି ଏବଂ ଖାତାଧାରୀଙ୍କ ଜମା ଅଭ୍ୟାସରେ ସୁଧାର ଆସିଛି ।
୪. ପିଏମ୍ଜେଡିୱାଇ ଏକାଉଣ୍ଟଧାରୀଙ୍କୁ ରୂପେ କାର୍ଡ ଜାରି : ୩୬.୧୪ କୋଟି (୧୪ ଅଗଷ୍ଟ ୨୦୨୪ ସୁଦ୍ଧା) ୩୬.୧୪ କୋଟି ରୁପେ କାର୍ଡ ପିଏମ୍ଜେଡିୱାଇ ଏକାଉଣ୍ଟଧାରୀଙ୍କୁ ଜାରି କରାଯାଇଛି : ରୁପେ କାର୍ଡ ସଂଖ୍ୟା ଏବଂ ସେଗୁଡ଼ିକର ବ୍ୟବହାର ସମୟ ଗଡ଼ିବା ସହିତ ବଢ଼ିବାରେ ଲାଗିଛି ।
ପିଏମ୍ଜେଡିୱାଇ ଅଧୀନରେ ୩୬.୦୬ କୋଟିରୁ ଅଧିକ ରୁପେ ଡେବିଟ୍ କାର୍ଡ, ୮୯.୬୭ ଲକ୍ଷ ପିଓଏସ୍ /ଏମ୍ ପିଓଏସ୍ ମେସିନ୍ ସ୍ଥାପନ ଏବଂ ୟୁପିଆଇ ଭଳି ମୋବାଇଲ ଆଧାରିତ ପେମେଣ୍ଟ ସିଷ୍ଟମ୍ ପ୍ରଚଳନ ସହିତ, ମୋଟ ଡିଜିଟାଲ କାରବାର ସଂଖ୍ୟା ୨୦୧୮-୧୯ ଆର୍ଥିକ ବର୍ଷରେ ୨,୩୩୮ କୋଟିରୁ ଅଧିକ ଏବଂ ୨୦୨୩-୨୪ ଆର୍ଥିକ ବର୍ଷରେ ୧୬,୪୪୩ କୋଟିକୁ ବୃଦ୍ଧି ପାଇଛି । ୟୁପିଆଇ ଆର୍ଥିକ କାରବାରର ସମୁଦାୟ ପରିମାଣ ୨୦୧୮-୧୯ ଆର୍ଥିକ ବର୍ଷରେ ୫୩୫ କୋଟିରୁ ୨୦୨୩-୧୯ ଆର୍ଥିକ ବର୍ଷରେ ୧୩,୧୧୩ କୋଟିକୁ ବୃଦ୍ଧି ପାଇଛି । ସେହିପରି ପିଓଏସ୍ ଓ ଇ-କମର୍ସରେ ମୋଟ ରୂପେ କାର୍ଡ କାରବାର ସଂଖ୍ୟା ୨୦୧୭-୧୮ ଆର୍ଥିକ ବର୍ଷରେ ୬୭ କୋଟି ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୯୬.୭୮ କୋଟିକୁ ବୃଦ୍ଧି ପାଇଛି । ପିଏମ୍ଜେଡିୱାଇର ସଫଳତା ଏହାର ମିଶନ-ମୋଡ୍ ଆଭିମୁଖ୍ୟ, ନିୟାମକ ସମର୍ଥନ, ସରକାରୀ-ଘରୋଇ ଭାଗିଦାରୀ ଏବଂ ବାୟୋମେଟ୍ରିକ୍ ପରିଚୟ ପାଇଁ ଆଧାର ପରି ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଗୁରୁତ୍ୱ ଉପରେ ଆଲୋକପାତ କରିଛି । ପିଏମ୍ଜେଡିୱାଇ ଆନୁଷ୍ଠାନିକ ଆର୍ଥିକ ଇତିହାସ ନଥିବା ଲୋକଙ୍କୁ ଋଣ ସୁବିଧା ପ୍ରଦାନ କରିବା ସହିତ ସଞ୍ଚୟକୁ ସକ୍ଷମ କରିଛି । ଆକାଉଣ୍ଟଧାରୀମାନେ ଏବେ ସଞ୍ଚୟ ପଦ୍ଧତି ଦେଖାଇପାରିବେ, ଯାହା ସେମାନଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ଋଣ ପାଇଁ ଯୋଗ୍ୟ କରିଥାଏ । ସବୁଠାରୁ ନିକଟତମ ସୁବିଧା ହେଉଛି ମୁଦ୍ରା ଋଣ ଅଧୀନରେ ମଞ୍ଜୁରି, ଯାହା ୨୦୧୯ ଆର୍ଥିକ ବର୍ଷରୁ ୨୦୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ମଧ୍ୟରେ ୯.୮% ଚକ୍ରବୃଦ୍ଧି ବାର୍ଷିକ ହାରରେ ବୃଦ୍ଧି ପାଇଛି । ଋଣର ଏହି ଉପଲବ୍ଧତା ପରିବର୍ତ୍ତନକାରୀ କାରଣ ଏହା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଆୟ ବୃଦ୍ଧି କରିବାକୁ ସଶକ୍ତ କରେ । ପିଏମ୍ଜେଡିୱାଇ ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା ହୋଇଥିବାରୁ ଏହାର ରୂପାନ୍ତରଣ ଶକ୍ତି ଏବଂ ଏହାର ଡିଜିଟାଲ ଉଦ୍ଭାବନ ଭାରତରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।