ଲୌହମାନବୀ ସରଳା ଦେବୀଙ୍କ ଜୟନ୍ତୀ ପାଳିତ

  • କବି ଡା. ଜ୍ୟୋତିର୍ମୟୀ ଜେନା ଓ ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସମ୍ମାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ସରଳା ଦେବୀ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରସିଦ୍ଧ ଲେଖିକା ଲୌହମାନବୀ ସରଳା ଦେବୀଙ୍କ ୧୨୦ତମ ଜୟନ୍ତୀ କଟକର ସାରଳା ଭବନଠାରେ ପାଳିତ ହୋଇଯାଇଛି । ସଂସଦର ସଭାପତି ଇଂ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତା ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି, ପ୍ରାକ୍ତନ ପ୍ରଶାସକ ତଥା ସମାଜସେବୀ ସମ୍ବିତ ତ୍ରିପାଠୀ ସମ୍ମାନିତ ଅତିଥି, ପ୍ରାକ୍ତନ ପ୍ରଶାସକ ତଥା ସଂଗଠକ ସ୍ମୃତି ପଟ୍ଟନାୟକ ବରେଣ୍ୟ ଅତିଥି ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଡ. ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ବାଚସ୍ପତି ଶ୍ରୀମତୀ ପାଢ଼ୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଭାରତୀୟ ମୁକ୍ତି ସଂଗ୍ରାମକୁ ସରଳା ଦେବୀଙ୍କ ଅବଦାନ ଅବିସ୍ମରଣୀୟ । ସେ ଥିଲେ ଜଣେ ବାଗମୟୀ ସାହିତ୍ୟିକ, ସମାଜସେବୀ କ୍ଷେତ୍ରରେ ସଶ୍ରଦ୍ଧ ଉଚ୍ଚାରଣ । ଜଣେ ସମୃଦ୍ଧ ଲେଖିକା ଭାବେ ସେ ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଅଗ୍ନିର ସ୍ଫୃଲିଙ୍ଗ ଟିଏ ସୃଷ୍ଟି କରିପାରିଥିଲେ । ତେବେ ତାଙ୍କୁ ସମ୍ମାନ ଜଣାଇ ତାଙ୍କ ନାମରେ ଏକ ପ୍ରମୁଖ ମାର୍ଗକୁ ସରଳାଙ୍କ ନାମରେ ନାମିତ କରିବାକୁ ପ୍ରତିଶୃତି ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସରଳାଦେବୀ ଥିଲେ ବିଂଶ ଶତାବ୍ଦୀର ବିସ୍ମୟ ଏବଂ ତାଙ୍କର ସାରସ୍ଵତ ସୃଷ୍ଟି କାଳଜୟୀ । ଜଣେ ସ୍ୱାଧୀନଚେତା, ସ୍ୱାଭିମାନୀ ନାରୀ ଭାବେ ସୁପରିଚିତା । ଓଡିଶା ସରକାରଙ୍କ ତରଫରୁ ତାଙ୍କ ସମ୍ପର୍କରେ ୱେବ ସିରିଏଲ୍‌ ଟିଏ କରାଗଲେ ତାହା ବେଶି ଲୋକାଦୃତ ହୋଇପାରିବ ବୋଲି ମତ ରଖିଥିଲେ । ବରେଣ୍ୟ ଅତିଥି ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସରଳାଦେବୀ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାରେ ଥିଲେ ପ୍ରଥମ ଓଡିଆ ନାରୀ । ଲୌହମାନବୀ କହିଲେ ତାଙ୍କୁ ହିଁ ବୁଝାଏ । ତତ୍କାଳୀନ ସମୟରେ ସେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଅନନ୍ୟ । ପଣ୍ଡିତ ଗୋଦାବରୀଶ ତାଙ୍କୁ ଉତ୍କଳ ଜନନୀର ମାନ୍ୟତା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର ମହାନ୍ତି ତାଙ୍କ ବକ୍ତବ୍ୟରେ କହିଲେ ଯେ, ସରଳାଦେବୀ ଜଣେ କ୍ରାନ୍ତିକାରୀ ସାରସ୍ଵତ ସ୍ରଷ୍ଟା ଓ ବିପ୍ଳବିନୀ ନାରୀ ନେତ୍ରୀ ଥିଲେ । ସେ କବିତା, ଗଳ୍ପ, ପ୍ରବନ୍ଧ, ସମାଲୋଚନା, ଉପନ୍ୟାସ ଓ ଅନୁବାଦ ପ୍ରଭୃତି ସାହିତ୍ୟରେ ଲେଖନୀ ଚାଳନା କରି ସେ ସିଦ୍ଧି ଲାଭ କରିଛନ୍ତି । ତାଙ୍କ ରଚିତ ଭାରତୀୟ ମହିଳା ପ୍ରସଙ୍ଗ, ବିଶ୍ୱ ବିପ୍ଳବିନୀ, ନାରୀ ରମଣ ପ୍ରଭୃତି ୪୦ଖଣ୍ଡ ଗ୍ରନ୍ଥ ଓଡ଼ିଆ ସାହିତ୍ୟର ଅମୂଲ୍ୟ ସମ୍ପଦ । ଏହା ସହ ୩ ବିଦୁଷୀ ମହିଳା କୁନ୍ତଳାକୁମାରୀ, ସରଳା ଦେବୀ ଓ ବିଦ୍ୟୁତପ୍ରଭା ଦେବୀଙ୍କ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ଯେଉଁ ଜାତି ମହିଳାଙ୍କୁ ଚିହ୍ନି ନପାରେ, ସେ ଜାତି କେବେ ଉନ୍ନତି କରିପାରିବ ନାହିଁ । ସ୍ୱାଧୀନତା ଆନ୍ଦୋଳନ, କୃଷକ ଆନ୍ଦୋଳନ, ହରିଜନ ଆନ୍ଦୋଳନ, ନିଶା ନିବାରଣ, ପରଦା ପ୍ରଥାର ଉଚ୍ଚେଦ, ନାରୀ ଶିକ୍ଷା କ୍ଷେତ୍ରରେ ସରଳା ଦେବୀଙ୍କ ବଳିଷ୍ଠ ଆଭିମୁଖ୍ୟ ଥିଲା ଅତ୍ୟନ୍ତ ସ୍ପଷ୍ଟ ଓ ଶାଣିତ । ପ୍ରାରମ୍ଭରେ ସଭାପତି ଇଂ ସ୍ୱାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ, ଉପସଭାପତି ରୁମ୍‌ଝୁମ୍‌ ନାୟକ ସ୍ୱାଗତ ଅଭିଭାଷଣ ଓ ସମ୍ପାଦକ ଲକ୍ଷ୍ମୀ ପ୍ରକାଶ ମହାପାତ୍ର ସମ୍ପାଦକୀୟ ବିବରଣୀ ଓ ବିଗତ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସ୍ମରଣିକା ‘ଉତ୍କଳ ପ୍ରତିଭା’କୁ ଲୋକାର୍ପିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଚଳିତବର୍ଷର ମର୍ଯ୍ୟାଦାଜନକ ସରଳା ଦେବୀ ସାରସ୍ଵତ ସମ୍ମାନ କବି ଡାକ୍ତର ଜ୍ୟୋତିର୍ମୟୀ ସାହୁଙ୍କୁ ପ୍ରଦାନ କରିବା ସହ ନଗଦ ୧୫ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢୌକନ ତଥା ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଟକ ବାରବାଟି ବିଧାୟିକା ସୋଫିଆ ଫିରଦୋଷଙ୍କୁ ସରଳା ଦେବୀ ସେବା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତ୍ୟୁତ୍ତରରେ ଉଭୟ ସମ୍ବର୍ଦ୍ଧିତ ବ୍ୟକ୍ତିତ୍ୱ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଛବିରାଣୀ ପତି ଓ ବିଶ୍ୱମିତ୍ରା ମିଶ୍ର ମାନପତ୍ର ପଠନ କରିଥିବା ବେଳେ ଟ୍ରଷ୍ଟର ପ୍ରତିଷ୍ଠାତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କ୍ୟାପଟେନ ମନ୍ମଥ ରାଉତରାୟ ଓ ବିଜୟ କୁମାର ଦାସଙ୍କୁ ଅନୁଷ୍ଠାନର ଉପଦେଷ୍ଟା ଭାବେ ଗ୍ରହଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଜିତ ପାଣି, ଜଗନ୍ନାଥ ମହାନ୍ତି, କବିତା ମହାପାତ୍ର, ଗୀତାଞ୍ଜଳି ବେହୁରା, ଦେବୀପ୍ରସନ୍ନ ମହାପାତ୍ର, ପତିତପାବନ ମହାପାତ୍ର, ସସ୍ମିତା ପଟ୍ଟନାୟକ, ସସ୍ମିତା ପ୍ରଧାନ, ଅସିତ ଜେନା, ବିଜ୍ଞାନ ଦାସ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.