jayashree

୩୭ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ୱବିଦ୍ୟାଳୟ ଯୁବ-ମହୋତ୍ସବ ‘ଉମଙ୍ଗ-୨୦୨୪’ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଆସିଥିବା ୩୭ତମ ପୂର୍ବାଞ୍ଚଳ ଆନ୍ତଃ-ବିଶ୍ଵବିଦ୍ୟାଳୟ ୫ ଦିନିଆ ଯୁବ-ମହୋତ୍ସବ ‘ଉମଙ୍ଗ ୨୦୨୪’ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କ୍ରୀଡା ପ୍ରାଙ୍ଗଣରେ ଆୟୋଜିତ ଏହି ଉଦ୍‌ଯାପନୀ ସମାରୋହରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଛତିଶଗଡ ରାଜ୍ୟର ହେମ୍ ଚାନ୍ଦ ଯାଦବ, ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅରୁଣା ପଲ୍ଟା ଏବଂ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ.ଆଇ.ୟୁ ଦ୍ଵାରା ନିୟୋଜିତ ଦୁଇଜଣ ବିଶିଷ୍ଟ ଅତିଥି ତଥା ପର୍ଯ୍ୟବେକ୍ଷକ ପ୍ରଫେସର ସୋରୋଭ ଲଖନପାଲ୍ ଓ ଯାନ୍ତ୍ରିକ ପର୍ଯ୍ୟବେକ୍ଷକ ପ୍ରଫେସର ଦୀପକ ମିଶ୍ର ମଧ୍ୟ ଯୋଗଦେଇଥିଲେ । ସେହିପରି ‘ଉମଙ୍ଗ’ର ସଭାପତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଏବଂ କୁଳସଚିବ ସଚ୍ଚିଦାନନ୍ଦ ନାୟକ, ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ମଞ୍ଚାସୀନ ଥିଲେ । ସେହିପରି ‘ଉମଙ୍ଗ’ର ସଂଯୋଜକ ପ୍ରଫେସର ଗଣେଶ ସେଠୀ ଓ ସଂଗଠନ ଅଧିକାରୀ ଡ଼. ସରିତା ଦାସ ଏହି ଅବସରରେ ଅଂଶଗ୍ରହଣ କରିଥିବା ବିଶ୍ଵବିଦ୍ୟାଳୟମାନଙ୍କୁ ମାନପତ୍ର ଓ ମେଡାଲ ପ୍ରଦାନ କରିବା ସହ ପ୍ରତ୍ୟେକ ବିଶ୍ଵବିଦ୍ୟାଳୟ ମାନଙ୍କର ଗ୍ରୁପ୍ ଫୋଟ ଉଠାଯାଇଥିଲା । ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହିତ ଜନଜାତି ଦଳ ନୃତ୍ୟ ଏବଂ ଭାରତୀୟ ଦଳ ସଙ୍ଗୀତ ପ୍ରସ୍ତୁତ କରାଯାଇଥିଲା । ପରେ ମଞ୍ଚରେ ମଞ୍ଚାସୀନ ଥିବା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ମଞ୍ଚରେ ରଖା ଯାଇଥିବା ପ୍ରଭୁ ଜଗନ୍ନାଥ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଫୋଟ ଚିତ୍ରରେ ପୁଷ୍ପମାଳା ଅର୍ପଣ କରାଯାଇଥିଲା । ଏହାପରେ ‘ଉମଙ୍ଗ’ ଯୁବ ମହୋତ୍ସବର ସଂଯୋଜକ ପ୍ରଫେସର ଗଣେଶ ସେଠୀ ସ୍ୱାଗତ ଭାଷଣ ଦେଇ ଉଦଯାପନୀ ଉତ୍ସବରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଯୁବ-ମହୋତ୍ସବ ‘ଉମଙ୍ଗ’ର ସାଙ୍ଗଠିକ ଅଧିକାରୀ ଡ଼. ସରିତା ଦାସ ଏହି ୫ ଦିନିଆ କାର୍ଯ୍ୟକ୍ରମର ବିବରଣୀ ଉପରେ ବ୍ୟାଖ୍ୟା କରିଥିଲେ । ମଞ୍ଚାସୀନ ଥିବା ସମସ୍ତ ଅତିଥି ବୃନ୍ଦ ନିଜ ନିଜ ଅଭିଭାଷଣରେ ପ୍ରତିଯୋଗିତାରେ ଭାଗନେଇ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସାଂଗକୁ ପ୍ରତିଯୋଗିତାରେ ପରାଜିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେବା ସହିତ ପଛକୁ ନା’ ଚାହିଁ କେମିତି ଆଗକୁ ବଢିବା ସହ ଆଗାମୀ ଦିନରେ କିପରି ବିକଶିତ ଭାରତରେ ଅଂଶୀଦାର ହୋଇପାରିବା ସେ ଉପରେ ନିଜର ଯୁକ୍ତି ଉପସ୍ଥାପନା କରିଥିଲେ । ପରିଶେଷରେ ଗତ ତିନି ଦିନରେ ହୋଇଥିବା ମୋଟ୍ ୨୮ ଗୋଟି ବିଭାଗରେ ଆୟୋଜିତ ହୋଇଥିବା ସମସ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକ ବିଭାଗରେ ଚମ୍ପିୟାନ ହୋଇଥିବା ବିଶ୍ଵବିଦ୍ୟାଳୟମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ବିତରଣୀ ଉତ୍ସବରେ ପ୍ରଥମ ଦିନରେ ହୋଇଥିବା ସାଂସ୍କୃତିକ ଶୋଭାଯାତ୍ରାରେ ବିଜେତା ହୋଇଥିବା ଚାରିଗୋଟି ବିଶ୍ଵବିଦ୍ୟାଳୟକୁ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ବିଜେତା ଘୋଷଣା କରାଯାଇଥିଲା । ଏହି ଶୋଭାଯାତ୍ରାରେ ପଶ୍ଚିମବଙ୍ଗ ରାଜ୍ୟର “ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ” ପ୍ରଥମ ସ୍ଥାନ, ଝାଡ଼ଖଣ୍ଡର “ରାଞ୍ଚି ବିଶ୍ଵବିଦ୍ୟାଳୟ” ଦ୍ୱିତୀୟ, ଓଡ଼ିଶାର “ଉତ୍କଳ ବିଶ୍ଵବିଦ୍ୟାଳୟ ଅଫ କଲଜଚର୍” ତୃତୀୟ ସ୍ଥାନରେ ଥିବାବେଳେ ଚତୁର୍ଥ ସ୍ଥାନରେ ଆୟୋଜକ ବିଶ୍ଵବିଦ୍ୟାଳୟ “ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ” ସ୍ଥାନ ପାଇଥିଲା । ଠିକ୍ ସେହିପରି ଏ ବର୍ଷର ଆନ୍ତଃବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବର ଚମ୍ପିୟାନ ହୋଇଥିବା ଯଥା ପ୍ରଥମ, ଦ୍ଵିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ବିଶ୍ଵବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଚମ୍ପିୟାନ ବିଭାଗରେ ପଶ୍ଚିମବଙ୍ଗ ରାଜ୍ୟର ବିଶ୍ଵ ଭାରତୀ ବିଶ୍ଵବିଦ୍ୟାଳୟ ପ୍ରଥମ, ବିହାର ରାଜ୍ୟର “ମିଥିଳା ନାରାୟଣ ବିଶ୍ଵବିଦ୍ୟାଳୟ” ଦ୍ଵିତୀୟ, ଓଡ଼ିଶାର “ଉତ୍କଳ ବିଶ୍ଵବିଦ୍ୟାଳୟ ଅଫ କଲ୍‌ଚର୍” ତୃତୀୟ, ସ୍ଥାନରେ ଥିବାବେଳେ ଝାଡ଼ଖଣ୍ଡ ରାଜ୍ୟର ଦୁଇଗୋଟି ବିଶ୍ଵବିଦ୍ୟାଳୟ ଚତୁର୍ଥ ଓ ପଞ୍ଚମ ସ୍ଥାନ ହାସଲ କରିଛନ୍ତି, ଯଥା ଚତୁର୍ଥ ସ୍ଥାନରେ “ବିନୋଦ ବିହାରି ମହୋତ ବିଶ୍ଵବିଦ୍ୟାଳୟ” ଓ ପଞ୍ଚମ ସ୍ଥାନରେ “ବିନୋବା ଭାବେ ବିଶ୍ଵବିଦ୍ୟାଳୟ” । ଶେଷରେ ଯୁବ ମହୋତ୍ସବ ଉମଙ୍ଗର ସହ ସଂଜଯୋକ ଡ଼. ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରି ଉଦ୍‌ଯାପନୀ ଉତ୍ସବ କାର୍ଯ୍ୟକ୍ରମକୁ ସମାପ୍ତି ଘୋଷଣା କରିଥିଲେ । ଉଲ୍ଲେଖନୀୟ ଅଛି କି, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ତରଫରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପାଞ୍ଚ ଦିନ(୧୬ରୁ ୨୦) ଧରି ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଯୁବ ମହୋତ୍ସବରେ ଭାରତର ପୂର୍ବାଞ୍ଚଳର ଚାରୋଟି ରାଜ୍ୟ (ଓଡ଼ିଶା, ବିହାର, ଖଦଖଣ୍ଡ, ପଶ୍ଚିମବଙ୍ଗ)ରୁ ୧୬ଟି ବିଶ୍ଵବିଦ୍ୟାଳୟରୁ ପାଖାପାଖି ୬୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଟିମ୍ ମ୍ୟାନେଜର, ଅଧ୍ୟାପକମାନେ ଯୋଗ ଦେଇଛନ୍ତି । ଏହି ମହୋତ୍ସବ ପାଇଁ ଚାରୋଟି ରାଜ୍ୟର ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା । ଏଥିମଧ୍ୟରୁ ୧୬ଟି ବିଶ୍ଵବିଦ୍ୟାଳୟ ଯୋଗ ଦେଇଥିଲେ । ମହୋତ୍ସବରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଯୁବ ପ୍ରତିଭା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ନିଜ, ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳାକୁ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.