ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ରାମ ଭକ୍ତିରେ ଟିଟିଲାଗଡ଼ ସହର ଉବୁଟୁବୁ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଶହ ଶହ ବର୍ଷରୁ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ନିର୍ମାଣ ସ୍ୱପ୍ନ ସୋମବାର ଅର୍ଥାତ ଆଜି ସାକାର ହୋଇଯାଇଛି । ଏହି ଅବସରରେ ସାରା ଦେଶରେ ଶ୍ରୀରାମ ଧ୍ଵନି, ଭଜନ, କୀର୍ତ୍ତନ ଜଣାଣ ତଥା ସୋସିଆଲ୍‌ ମିଡିଆରେ କେବଳ ରାମ ରାମ ଦେଖିବାକୁ ତଥା ଶୁଣିବାକୁ ମିଳୁଛି । ସେହିପରି ଟିଟିଲାଗଡ଼ ସହରର ହାଟପଦା ପଡ଼ା ଭଗବତ୍ ମନ୍ଦିର ପ୍ରାଙ୍ଗଣରେ ଭଜନ କୀର୍ତ୍ତନ ଜଣାଣ ଗାଇବା ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଏକ କୀର୍ତ୍ତନ ମଣ୍ଡଳୀ ବାହାରି ସହର ପରିକ୍ରମା କରି ପୁଣି ଭାଗବତ ମନ୍ଦିର ନିକଟକୁ ପହଞ୍ଚିଥିଲା । ପୂର୍ବତନ ନଗରରପାଳ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ପଡ଼ାର ଆବାଳ ବୃଦ୍ଧ ବନିତା ତଥା ଯୁବକମାନେ ବାହାରି ଜୟ ଶ୍ରୀରାମ ଧ୍ୱନିରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ ।

ସେହିପରି ଠିକାଦାର ପଡ଼ା ରାଧାକୃଷ୍ଣ ମନ୍ଦିରରେ ଅତି ସୁନ୍ଦର ଶ୍ରୀରାମଙ୍କ ରଙ୍ଗୋଲି କଟା ଯାଇଥିବା ବେଳେ ସହରର ମହିଳା ତଥା ରାମ ଭକ୍ତଙ୍କ ଦ୍ଵାରା ସୁନ୍ଦରା କାଣ୍ଡ ପଠନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା । ମନ୍ଦିରକୁ ଅତି ସୁନ୍ଦର ଭାବରେ ସାଜସଜ୍ଜା ରାଧାକୃଷ୍ଣ ମନ୍ଦିର କମିଟି ଦ୍ଵାରା କରାଯାଇଥିଲା । ଟିଟିଲାଗଡ଼ ଜଗନ୍ନାଥ ମନ୍ଦିର ଭିତରେ ଟିଟିଲାଗଡ଼ ବ୍ରାହ୍ମଣ ସମାଜ ପକ୍ଷରୁ ହୋମଯଜ୍ଞ ସହ ଅନ୍ୟାନ୍ୟ ପୂଜାପାଠ କରାଯାଇଥିଲା । ବ୍ରାହ୍ମଣ ସମାଜ ପକ୍ଷରୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରିବା ସହ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ପୂଜାପାଠ କରାଯାଇଥିଲା ।

ରଘୁନାଥ ପଡ଼ାଠାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ୫୬ ଜଣ ଦମ୍ପତି ଏକା ସଙ୍ଗେ କଳସ ଯାତ୍ରା କରିବା ପରେ ସମୂହ ଭାବରେ ହୋମଯଜ୍ଞ କରି ଠିକ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ମୁହୁର୍ତ୍ତକୁ ଏଲ୍‌ଇଡି ମାଧ୍ୟମରେ ଦେଖିବା ସହ ସେହି ସମୟରେ ହିଁ ଆଳତି କରିବା ସହ ପୂଜାର୍ଚ୍ଚନା କରିଥିଲେ । ରଘୁନାଥ ମନ୍ଦିରକୁ ମଧ୍ୟ ଅତି ସୁନ୍ଦର ଭାବରେ ସାଜସଜ୍ଜା କରିବା ସହ ସକାଳୁ ଶ୍ରୀରାମ ଭକ୍ତ ଭିଡ ଜମାଇଥିଲେ । ସହରର ଚାରିଆଡ଼େ ବିଭିନ୍ନ ମନ୍ଦିର, ଘର ରାସ୍ତା କଡ଼ରେ ପ୍ରଭୁ ଶ୍ରୀରାମଙ୍କ ରଙ୍ଗୋଲି କଟା ଯାଇଥିଲା । ଏହି ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବିଭିନ୍ନ ଲୋକଙ୍କ ଦ୍ଵାରା ସହର ସାରା ବ୍ୟାନର, ପୋଷ୍ଟର ହୋଡ଼ିଂ ଲଗାଯାଇଥିବା ଦେଖିବାକୁ ମିଳିଛି । ସେହିପରି ଟିଟିଲାଗଡ଼ ବଜରଙ୍ଗ ଦଳ ପକ୍ଷରୁ ମଧ୍ୟ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.