ମୟୂରଭଞ୍ଜ ଜିଲ୍ଲା କୁଚେଇ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

  • ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ଜଳ ଶକ୍ତି ଏବଂ ଜନଜାତି ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ୍ କୁଚେଇ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଓ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚି ପାରିବ ଏବଂ ଯେଉଁମାନଙ୍କ ପାଖରେ ଏସବୁ ସୁବିଧା ପହଞ୍ଚିଛି ସେମାନଙ୍କର ଅନୁଭୂତି ଜାଣିବା ଲାଗି ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜନ କରାଯାଉଛି । ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଆମେ ସେସବୁ ସୁବିଧା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରୁଛୁ । ଆଜି କୁଚେଇ ପଞ୍ଚାୟତରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଛି । ଯାତ୍ରାର ସଚେତନତା ଗାଡ଼ିରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନରେ ପ୍ରମୁଖ ଯୋଜନା ସମ୍ପର୍କରେ କ୍ଷୁଦ୍ର ଚଳଚ୍ଚିତ୍ର ପରିବେଷଣ କରାଯାଇଥିଲା । ହିତାଧିକାରୀମାନେ ସରକାରୀ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ପିଏମ୍ ଅବାସ, ଉଜ୍ଜ୍ୱଳା, ଡାକ ବିଭାଗର ସଞ୍ଚୟ ଯୋଜନା ଆଦିରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ବହୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

Leave A Reply

Your email address will not be published.