ମେଘଲା ଗାଁରେ ଦୁର୍ଘଟଣାରେ ବାଳକର ମୃତ୍ୟୁ

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମେଘଲା ଗାଁରେ ଏକ ଅଭାବିତ ଦୁର୍ଘଟଣାରେ ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି । ଧାନ ଅମଳ ପାଇଁ ଅଣା ଯାଉଥିବା ଥ୍ରେସରରେ ଚାପି ହୋଇ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଆଜି ସକାଳୁ ମେଘଲା ପ୍ରଧାନପାଲି ଚାଷଜମିର ଖଳାରେ କାମ ସାରି ଫେରୁଥିବା ଥ୍ରେସର ଏକ ହିଡରେ ଚଢିଯିବାରୁ ଓଲଟି ପଡିଥିଲା । ମେଘଲା ଗାଁର ଏକ ୧୦ବର୍ଷର ବାଳକ ପ୍ରଜା ତାଣ୍ଡି ଓ ୧୫ ବର୍ଷର ବାଳକ କ୍ରିଷ୍ଣା ତାଣ୍ଡି ଖେଳୁଥିବା ସମୟରେ ତାଙ୍କ ଉପରେ ଚାପି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରଜା ତାଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିଷ୍ଣା ତାଣ୍ଡି ଗୁରୁତର ଭାବେ ଆହତ ହୋଇଥିଲେ । ଗୁରୁତର କ୍ରିଷ୍ଣା ତାଣ୍ଡିଙ୍କୁ ବିନିକା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାକୁ ନେଇ ବିନିକା ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିବାବେଳେ ମୃତ ବାଳକର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.