ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁରରେ ଐତିହାସିକ କୃଷିଭିତ୍ତିକ ପର୍ବ ନଳଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ପ୍ରାଚୀନ ପରମ୍ପରା ମୁତାବକ ଗତକାଲି ଜଙ୍ଗଲରୁ ବାରଫୁଟ ଉଚ୍ଚତାର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର ପୂଜା ମଣ୍ଡପରେ ରଖି ଗଙ୍ଗାଜଳରେ ଶୋଧନ କରାଯିବା ସହିତ ନଳ ଗୁଡ଼ିକୁ ଗ୍ରାମର ଆରାଧା ମାଆ କନ୍ଧୁଣି ଦେବୀ, ମାଆ ରହେଇ ଏବଂ ମାଆ କାଳୀଙ୍କ ପ୍ରତିନିଧି ରୂପରେ ରଙ୍ଗବେରଙ୍ଗ କପଡ଼ା ଏବଂ ଫୁଲରେ ସଜାଇ ଦିଆଯାଇଥିଲା । ଏହା ପରେ ସାରା ଗ୍ରାମରେ ଗଙ୍ଗାଜଳ ସିଞ୍ଚନ କରାଯାଇ ମଣ୍ଡପ ନିକଟରେ ହୋମକର୍ମ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଦେବ ଗୌଡ଼ଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା । ବିଶ୍ବାସ ଅଛି ପ୍ରାଚୀନ ସମୟରୁ ଗ୍ରାମର ଦେବ ଗୌଡ଼ଙ୍କ ଘରେ ଏକ ଦଣ୍ଡରେ ଦେବୀ ଅବସ୍ଥାନ କରି ଆସୁଛନ୍ତି । ଆବାହନ ସମୟରେ ଏହି ଦଣ୍ଡଟି ଆପେ ଆପେ ପୂଜକ ହାତକୁ ଡ଼େଇଁ ଚାଲିଆସେ । ଆଜି ମଧ୍ୟ ସେହି ପ୍ରଥା ଅନୁସାରେ ଆବାହନ କରାଯାଇଥିଲା । ଏହାପରେ ସକାଳୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗ୍ରାମର ମିଥୁନ୍ ବିଷୋୟୀ, ଅଂଶୁ ପଲାରୁ ଏବଂ ସତ୍ୟବାଦୀ ସାହୁ ତିନି ଦେବୀ ରୂପୀ ନଳ ଗୁଡ଼ିକୁ ଧାରଣ କରି ଜଙ୍ଗଲରେ ଥିବା ମାଆ ରହେଇ ଏବଂ ମାଆ କନ୍ଧୁଣି ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ବିଧିବଦ୍ଧ ଭାବେ ପୂଜା ସରିବା ପରେ ତିନି ଦେବୀ ପାରମ୍ପରିକ ବାଦ୍ୟ ବାଜଣାରେ ନାଚି ନାଚି ଗାଆଁ ପରିକ୍ରମଣ ହୋଇଥିଲା । ନଗର ପରିକ୍ରମାରୁ ଫେରି ପ୍ରତି ଘର ସମ୍ମୁଖରେ ଠାକୁରଙ୍କ ଭୋଗ ବଣ୍ଟନ ହୋଇଥିଲା । ହୁଳାହୁଳି, ହରିବୋଲ ଧ୍ବନିରେ ଗ୍ରାମର ପରିବେଶ ଆଧ୍ୟାତ୍ମିକଧ୍ୱନିରେ ଗ୍ରାମ ପ୍ରକମ୍ପିତ ହୋଇଉଠିଥିଲା । ଏହି ଅବସରରେ ଗ୍ରାମର କୃଷି, ପଶୁ ସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଏହି ଉତ୍ସବରେ ଅଂଶ୍ରଗହଣ କରିଥିଲେ । ଏହା ସହ ଆଖପାଖ ଗ୍ରାମରୁ ହଜାର ହଜାର ଲୋକ ଏହି ପର୍ବରେ ସାମିଲ୍ ହୋଇଥିଲେ । ଉତ୍ସବର କର୍ତ୍ତା ରୂପେ ରତ୍ନାକର ନାୟକ ଏବଂ ପୁରୋହିତ ଭାବେ ହରିହର ରଥ, ବସନ୍ତ ପୁରୋହିତ କାର୍ଯ୍ୟ ତୁଲାଇଥିଲେ । କାର୍ଯ୍ୟକ୍ରମରେ ଗ୍ରାମର ବାରିକ, ଜାନୀ, ଶିବ ମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି, ଶିଶୁ ସଂକୀର୍ତ୍ତନ ମଣ୍ଡଳୀ, ଯୁବକ ସଂଘ ସହଯୋଗ କରିଥିବା ବେଳେ ଭାରପ୍ରାପ୍ତ ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟଙ୍କ ନେତୃତ୍ୱରେ ଗାଙ୍ଗପୁର ଥାନା ପୋଲିସ୍ ବାହିନୀ ଆଇନ ଶୃଙ୍ଖଳାରକ୍ଷା କରିବାରେ ନେତ୍ତୃତ୍ୱ ନେଇଥିଲେ ।