jayashree

ବୈଶାଖୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ ଓ ବର୍ଷା କବିତା ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀ ସ୍ଥିତ ମଧୁସୂଦନ ପାଠାଗାର ପରିସରରେ ବୈଶାଖୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶହେ ବାଆଷଠି ଜନ୍ମ ଜୟନ୍ତୀ ପାଳନ ତଥା ବର୍ଷା କବିତା ଆସର କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ.କିଶୋରୀ ଦାଶ କହିଲେ ଗଙ୍ଗାଧର ମେହେରଙ୍କୁ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳର କବି କହିବା ଅନୁଚିତ୍, ସେ ଥିଲେ ଜଣେ ଅନନ୍ୟ ଅନୁପମ ସୃଜନର ଅଧିକାରୀ । ତାଙ୍କ ରଚିତ ସବୁ କାବ୍ୟ ମଧ୍ୟରୁ ଶ୍ରେଷ୍ଠ କାବ୍ୟ ତପସ୍ବୀନୀକୁ ସେ ବହୁ ଗୁରୁତ୍ବ ଦେବା ସହ ସମ୍ପର୍କ ସେଥିରେ ବର୍ଣିତ ପ୍ରାକୃତିକ ଦୃଶ୍ୟମାନ, ପ୍ରଭୁ ଶ୍ରୀରାମଙ୍କ ସହିତ ସୀତାଙ୍କର ଥିବା ସମ୍ପର୍କରେ ଆବିଳତା ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଡ.ଉମାକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ସର୍ବପ୍ରଥମେ ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ମୃତ୍ୟୁରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା । ବରେଣ୍ୟ ଅତିଥି ଶଶଧର ପଣ୍ଡା ଅଭିଭାଷଣରେ କହିଲେ ଯେ, ଏବେକାର କବି ସାହିତ୍ୟିକମାନେ ଯଦି ଗଙ୍ଗାଧର ମେହେରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କବିତା ଲେଖନ୍ତେ ତାହା ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବା ସହ ଓଡ଼ିଆ ସାହିତ୍ୟରେ ଆହୁରି ବିକାଶ ଘଟନ୍ତା । ସଂସଦର ସାଧାରଣ ସମ୍ପାଦକ ଅଧ୍ୟାପକ ଚନ୍ଦ୍ରଧ୍ବଜ ମାଝୀ ସମ୍ପାଦକୀୟ ବିବରଣୀ ପଢ଼ିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ବିଜୟ କୁମାର ବରାଳଙ୍କ ସଭାପତିତ୍ବ ଏବଂ କବି ସୁଶାନ୍ତ କୁମାର ନାୟକ ଓ ବସନ୍ତ ବିଶ୍ଵକର୍ମାଙ୍କ ସଂଯୋଜନାରେ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା । ନିକୁଞ୍ଜ ବିହାରୀ ଦାଶ, ରେବତୀ ବଲ୍ଲଭ ବେହେରା, ନୃସିଂହ ଚରଣ ବିଶ୍ବାଳ, ଗଦାଧର ରଥ, ଯୋଗେନ୍ଦ୍ର ଭଞ୍ଜ, ଅଜୟ କୁମାର ମହାନ୍ତି, ପ୍ରଶାନ୍ତ ମେହେର, କିଶୋରୀ ଦାଶ ଆଦି କୋଡ଼ିଏ ଜଣ କବି କବିତା ପାଠ କରିଥିଲେ । ଅକ୍ଷୟ ଦାସ ସୂର୍ଯ୍ୟକାନ୍ତ ପଣ୍ଡା, ଦେବବ୍ରତ ଦାସ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସହରର ବହୁ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀ ଉପସ୍ଥିତ ରହିଥିଲେ । ଶେଷରେ ଉମାଶଙ୍କର ତିଓ୍ବାରୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.