- ପୂର୍ଣ୍ଣଚନ୍ଦ୍ର ପଣ୍ଡା
ମହିମାଧର୍ମ ହେଉଛି ଓଡିଶାର ସର୍ବକନିଷ୍ଠ ଧର୍ମ । ପୁରୀର ଧୂଳିଆବାବା ବା ମହିମା ଗୋସାଇଁ ଏହାର ପ୍ରତିଷ୍ଠାତା ହୋଇଥିବା ବେଳେ ସନ୍ଥଭୀମ ଭୋଇ ଥିଲେ ମୁଖ୍ୟ ପ୍ରଚାରକ । ଏହି ଧର୍ମ ହେଉଛି ସମାଜର ତଳସ୍ତରର ମଣିଷଙ୍କ ମନକୁ ଛୁଇଁପାରୁଥିବା ଭଳି ଏକ ଆଦର୍ଶବାଦର ଧର୍ମ । ମାନବବାଦ ଏହାର ମୂଳମନ୍ତ୍ର । ତେଣୁ ଏହି ଧର୍ମ ଦିନେ ବିଶ୍ୱଧର୍ମ ହେବ ଓ ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେବ । ଏହା ଥିଲା ଓଡିଶାର ସୁନାମଧନ୍ୟ ଐତିହାସିକ, ଲିପିତତ୍ୱବିଦ୍, ସାହିତ୍ୟିକ, ସାମ୍ବାଦିକ, ସଂଗୀତ ନିର୍ଦ୍ଦେଶକ, ନାଟ୍ୟକାର ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଉକ୍ତି । ତେଣୁ ସେ ମହିମାଧର୍ମ ଉପରେ ଗବେଷଣା କରୁ କରୁ ସେହି ଧର୍ମପ୍ରତି ଆକର୍ଷିତ ହୋଇ ସେହି ଧର୍ମର ଭକ୍ତ ପାଲଟି ଯାଇଥିଲେ । ଓଡିଶା ତଥା ଭାରତର ବିଭିନ୍ନ ଅଞ୍ଚଳର ସାଧାରଣରୁ ସାଧାରଣ ମଣିଷଙ୍କୁ ଛୁଇଁପାରୁଥିବା ଭୀମଭୋଇଙ୍କ ଭଜନକୁ ନେଇ ଗଭୀର ଅଧ୍ୟୟନ ମଧ୍ୟ କରିଥିଲେ । ସନ୍ଥକବି ଭୀମଭୋଇ ସମାଜକୁ ଦେଇଥିବା ମାନବବାଦୀ ବାର୍ତ୍ତାକୁ ସେ ମର୍ମେ ମର୍ମେ ଅନୁଭବ କରି ସନ୍ଥକବୀଙ୍କ ସାଧନା, ସିଦ୍ଧି ଓ ସମାଧିପୀଠର ବିକାଶରେ ନିଜକୁ ସମର୍ପିତ କରିଥିଲେ । ସନ୍ଥପୀଠର ପୁନଃରୁଦ୍ଧାର, ଭୀମଭୋଇଙ୍କ ବାଣୀର ପ୍ରଚାରପ୍ରସାରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଭୀମଭୋଇଙ୍କ ଲିଖିତ ଅନେକ ଭଜନକୁ ତିନିଟି ଭଜନ କ୍ୟାସେଟ କରାଇଥିଲେ । ସେହିପରି ଭୀମଭୋଇଙ୍କ ଜୀବନୀକୁ ନେଇ ଜାତୀୟ ଫିଲ୍ମଡିଭିଜନ ଜରିଆରେ ଫିଲ୍ମନିର୍ମାଣ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ସେଥିପାଇଁ ତାଙ୍କୁ ମହିମାଧର୍ମର ସାଧୁମାନେ “ମହିମାଶ୍ରୀ” ଓ “ମହିମାଗୌରବ”ରେ ସମ୍ମାନୀତ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ତାଙ୍କ ଲେଖାଗୁଡିକୁ ନେଇ ପ୍ରକାଶିତ ହୋଇଥିଲା “ମାନବବାଦୀ ସନ୍ଥ ଭୀମଭୋଇ” ପୁସ୍ତକ ।
ସଦାନନ୍ଦ ଅଗ୍ରୱାଲ ଅବିଭକ୍ତ ବଲାଙ୍ଗିର ଜିଲ୍ଲାର ମେଣ୍ଡା ଗ୍ରାମରେ ଜନ୍ମଲାଭ କରି ସ୍କୁଲଶିକ୍ଷା ପର୍ଯ୍ୟନ୍ତ ପାଠପଢିଲା ପରେ ଆର୍ôଥକ ଅନଟନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଜଣେ ଗାଁର ପିଲା ନିଜର ଅଧ୍ୟବସାୟ ବଳରେ ଗବେଷଣା କରି ଜଣେ ସ୍ୱନାମଧନ୍ୟ ଐତିହାସିକର ମାନ୍ୟତା ପାଇଥିଲେ । ସାମ୍ବାଦିକତା କରୁ କରୁ ଦିନେ ସେ ଐତିହାସିକ ହୋଇଯାଇଥିଲେ । କଲେଜପାଠ ପଢିନଥିଲେ ହେଁ ତାଙ୍କର ସେହି ଗବେଷଣା ଲବ୍ଧ ଜ୍ଞାନ ଯୋଗୁଁ ଦିନେ ବିଶ୍ୱଭାରତୀ ଶାନ୍ତି ନିକେତନ ବିଶ୍ୱ ବିଦ୍ୟାଳୟ ଓ ଓଡିଶା ସଂସ୍କୃତି ବିଶ୍ୱ ବିଦ୍ୟାଳୟରେ ଜଣେ ଭିଜିଟିଂ ପ୍ରଫେସର ଭାବରେ ପାଠ ପଢାଇବାର ସୌଭାଗ୍ୟ ଲାଭ କରିଥିଲେ । ଜଣେ ଲିପିତତ୍ୱବିଦ ଭାବରେ ପୁରାତନ ଶିଳାଲେଖ, ପାଣ୍ଡୁଲିପି ଓ ତାମ୍ରପତ୍ରର ନିର୍ଭୁଲ ପାଠୋଦ୍ଧାର କରିବାରେ ଥିଲେ ସିଦ୍ଧହସ୍ତ । ଏକ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରି ପ୍ରଭୁ ଜଗନ୍ନାଥଙ୍କ ସେ ଥିଲେ ପରମଭକ୍ତ । ଜଗନ୍ନାଥ ସଂସ୍କୃତି ଉପରେ ମଧ୍ୟ ତାଙ୍କର ଗବେଷଣା ଲାଗି ରହିଥିଲା ଓ ସେ ମେଣ୍ଡା ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସଭାପତି ଭାବରେ ଅନେକବର୍ଷ ଦାୟିତ୍ୱ ତୁଲାଇଥିଲେ । ଏହା ସହିତ ଐତିହାସିକ ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ମେଣ୍ଡାଗ୍ରାମର ଥିବା ଶୈବପୀଠ, ମେଣ୍ଡାଶୁଣୀ ମନ୍ଦିରର ପୁନଃଉଦ୍ଧାର କରାଇଥିଲେ । ଏଥିସହିତ ବୈଦ୍ୟନାଥର ଶୈବପୀଠ ପୁନଃଉଦ୍ଧାର ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ । ଏହି ଅଞ୍ଚଳର ଅନେକ ପୁରାତନ କିର୍ତ୍ତିରାଜୀର ସଂରକ୍ଷଣ ପାଇଁ ସରକାରଙ୍କ ପାଖରେ ଦାବୀ ରଖୁଥିଲେ । ପ୍ରଥମେ ସେ ସାମ୍ବାଦିକତା କରୁଥିବା ବେଳେ ଡ.ହରେକୃଷ୍ଣ ମହତାବ ଓ ଡ.ନବୀନକୁମାର ସାହୁଙ୍କ ସଂସ୍ପର୍ଶରେ ଆସି ଐତିହାସିକ ଗବେଷଣା ଆଡକୁ ମୁହାଁଇଥିଲେ । ଐତିହାସିକ କିର୍ତ୍ତିରାଜୀ ଖୋଜୁ ଖୋଜୁ ଶେଷରେ ସୁବର୍ଣ୍ଣପୁରର ଇତିହାସ ରଚନା କଲେ । ସୋନପୁର ଇତିହାସ-୧ ଓ ସୋନପୁର ଇତିହାସ-୨ ୧୯୮୮-୮୯ ମସିହାରେ ପ୍ରକାଶିତ ହୋଇ ଓଡିଶା ଇତିହାସକୁ ଏକ ନୂତନ ଦିଗନ୍ତ ଦେଇଥିଲା । ଆମର ସୌଭାଗ୍ୟ ଏହି ଦୁଇ ପୁସ୍ତକର ଚାହିଦା ଆଜି ମଧ୍ୟ ରହିଥିବାରୁ ତାଙ୍କର ଆବର୍ତ୍ତମାନରେ ମଧ୍ୟ ଡ.ସଦାନନ୍ଦ ସ୍ମୃତିକମିଟି ପକ୍ଷରୁ ୨୦୧୯ରେ ସୋନପୁର ଇତିହାସ ପ୍ରଥମଖଣ୍ଡର ୨ୟ ସଂସ୍କରଣ ଓ ୨୦୨୩ ମସିହାରେ ସୋନପୁର ଇତିହାସ-୨ର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଛି । ଦ୍ୱିତୀୟ ସଂସ୍କରଣକୁ ବଲାଙ୍ଗିରର ବୀଣାପାଣି ପ୍ରକାଶନୀ ପ୍ରକାଶିତ କରିଛନ୍ତି । ଲିପିର କ୍ରମବିକାଶ ଉପରେ ଗବେଷଣା କରି ଲେଖିଲେ “ଓରିଶାନ ପେଲେଇଓଗ୍ରାଫି” ପୁସ୍ତକ ଯାହାକି ଅନେକ ଗବେଷକଙ୍କ ଆଦୃତିଲାଭ କରିଛି । ସେ ମହାନସମ୍ରାଟ ଖାରବେଳଙ୍କ ଉପରେ ଶ୍ରୀ ଖାରବେଳ(ଓଡିଆ, ହିନ୍ଦି ଓ ଇଂରାଜୀ),”ଟୁ କପରପଲେଟସ ଗ୍ରାଣ୍ଟସ ଫ୍ରମୱେଷ୍ଟର୍ଣ୍ଣ ଓରିଶା”, ରାୟଗଡା ଗୁଣପୁର ପୁଟାସିଂ ଅଞ୍ଚଳର ସୌରା ଆଦିବାସୀଙ୍କ କଳା ସଂସ୍କୃତିକୁ ନେଇ ଲେଖିଥିଲେ “ସୌରାପେଣ୍ଟିଂ ଅଫ ଓଡିଶା” ଇତ୍ୟାଦି ପୁସ୍ତକ । ଓଡିଶା ତଥା ଭାରତବର୍ଷର ଅନେକ ଜର୍ଣ୍ଣାଲରେ ତାଙ୍କର ପ୍ରବନ୍ଧଗୁଡିକ ସ୍ଥାନୀତ ହୋଇପାରିଛି । ତେବେ ସେ ଥିଲେ ଜଣେ ମାଟିର ମଣିଷ । ତେଣୁ ନିଜ ଜନ୍ମମାଟିର ମୋହ ତାଙ୍କୁ ଛାଡିପାରିନଥିଲା । ନିଜ ଗାଁରେ ରହି ବିଶ୍ୱର ଗୁଢ ରହସ୍ୟକୁ ଉନ୍ମୋଚନ କରିବାକୁ ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ ସେ କହୁଥିଲେ ଭୀମଭୋଇ ଯେଭଳି ମାଟିରେ ଗୋଡଥାପି ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଦୁଇହାତ ପ୍ରସାରୀ କୋଳେଇ ନେଇଥିଲେ ଠିକ ସେହିପରି ସମସ୍ତେ ନିଜ ଜନ୍ମମାଟିକୁ ଭଲ ପାଇବାକୁ ଆହ୍ୱାନ ଦେଉଥିଲେ । ଉଚ୍ଛଶିକ୍ଷାର ବିକାଶ ପାଇଁ ତରଭା ଏଇଏ କଲେଜର ପ୍ରତିଷ୍ଠାତା ସଭ୍ୟ, ମହର୍ଷୀ ବୁଦ୍ଧରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ, ଏମ୍ବିଆର ଡିଗ୍ରୀ କଲେଜର ପ୍ରତିଷ୍ଠାତା ସଭ୍ୟ ଭାବରେ ଦାୟିତ୍ୱ ତୁଲାଇଥିଲେ । ସେହିପରି ମହିମାଧର୍ମର ପ୍ରଚାର ପ୍ରସାର ପାଇଁ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧିପୀଠ ଟ୍ରଷ୍ଟର ପ୍ରଥମ ମେନେଜିଂଟ୍ରଷ୍ଟି ଭାବରେ ସଫଳତାର ସହିତ ଦାୟିତ୍ୱ ତୁଲାଇଥିଲେ । ତାଙ୍କର ଆବର୍ତ୍ତମାନରେ ଆଜି ଆମେ ତାଙ୍କୁ ମନେ ପକାଉଛୁ । ତାଙ୍କର ଷଷ୍ଠ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ ।
ରାଜପାଲି, ମେଣ୍ଡା
ମୋ-୯୪୩୭୨୪୧୧୭୬