ରାଉରକେଲା, (ସସ୍ମିତା ପ୍ରଧାନ) : ମୁରଲିଧର ପରିଜା ସ୍ମୃତି କମିଟି ତରଫରୁ ପ୍ରୟାତ ମୁରଲିଧର ପରିଜାଙ୍କ ପଞ୍ଚମ ସ୍ମୃତି ଚାରଣ ସଭା ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି କୁଞ୍ଜବିହାରୀ ରାଉତଙ୍କ ସଭାପତିତ୍ୱ ଓ ସଂଯୋଜନା ତଥା ସାଧାରଣ ସଂପାଦକ ସୁରେନ୍ଦ୍ର ଦାଶଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୁଖ୍ୟବକ୍ତା ଭାବେ ଏନ୍ଆଇଟି ରାଉରକେଲାର ପ୍ରାକ୍ତନ ନିର୍ଦ୍ଦେଶକ ଡଃ ସୁନିଲ୍ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ସିଆଇଟିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତି, ରାଉରକେଲା ଚାମ୍ବର ଅଫ୍ କମର୍ସର ଅଧ୍ୟକ୍ଷ ସୁନିଲ୍ କୟାଲ ପ୍ରମୁଖ ଯୋଗଦେଇ ମୂରଲୀ ବାବୁଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଆଚରଣ ଓ ଉଚ୍ଚାରଣରେ ସମନ୍ୱୟ ଥିଲେ ମୁରଲିଧର । ସେ ଥିଲେ ଖଟିଖିଆ ଓ ମେହେନତି ମଣିଷର ସ୍ୱର ଓ ସ୍ୱାକ୍ଷର । ଅସୀମ ସାହସ ଓ ଦୂରଦୃଷ୍ଟି ସଂପର୍ଣ୍ଣ ତଥା ଶ୍ରମିକ ନେତା ଥିଲେ । ନିଃସ୍ୱାର୍ଥପର ସେବା ଓ ସଂକଟ ବେଳେ ତାଙ୍କ କଥା ସ୍ୱତଃପ୍ରବୃତ ଭାବେ ମନକୁ ଆସିଥାଏ । କହିବାକୁ ଗଲେ ସହରର ଅଭିଭାବକ ଥିଲେ । ଏହି ଅବସରରେ ଅତିଥିମାନେ ସ୍ମରଣିକା ‘ସ୍ମୃତି ସମ୍ଭାର’କୁ ଉନ୍ମୋଚନ କରିଥିଲେ । ସେହିପରି ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଶ୍ରୀ ଡଃ ସମର ମୁଦାଲି, ସକିଲ ଅହମ୍ମଦ, ହେମନ୍ତା ତାଣ୍ଡିଆ, ଡଃ ସଂପାଦିକା ମହାନ୍ତି, ରାଜେଶ ରାଜୁକା ଓ ଗୋକୁଳାନନ୍ଦ ଦାଶ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡା ୟୁ ସି ଜେନା, ପି ପି ରାୟ, ଡଃ ସୁମନ ଦତ୍ତ, ବିମାନ ମାଇତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରବି ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଂପାଦକ ଶ୍ରୀ ଦାଶ ଅତିଥିଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସଂପର୍କରେ ତଥା ସଭାପତି ଶ୍ରୀ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ଅନିରୁଦ୍ଧ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।