କବି ଓ କବିତା : କବି ଆନନ୍ଦ ଚନ୍ଦ୍ର ସାହୁଙ୍କ କବିତା ସଂକଳନ ‘ଗଦା ଗଦା ଜୀବନ’, ପ୍ରକାଶକ -ଦେବଶ୍ରୀ ପବ୍ଲିକେସନ, ବଲାଙ୍ଗିର
- ରତ୍ନମୟ ତ୍ରିପାଠୀ
ଆଧୁନିକ ସାହିତ୍ୟିକ ଜଗତରେ ଜଣେ ପରିଚିତ ଟାଣୁଆ ସ୍ୱର କବି ଆନନ୍ଦ ଚନ୍ଦ୍ର ସାହୁ । ଉଭୟ ଓଡ଼ିଆ ଓ କୋଶଲି ଭାଷାରେ ତାଙ୍କ ଲେଖନୀ ସଦା ଜାଗ୍ରତ । ନିଜ ମାଟିମାଁ, ନିଜ ଭାଷା, ନିଜ ଆଖପାଖର ମଣିଷଙ୍କ ଦୁଃଖକୁ, ଅବହେଳାକୁ ଅଣଦେଖା କରିପାରନ୍ତି ନାହିଁ କବି । କାହାର ବାରଣ ନମାନି ଶରଧାରେ ଡାକୁଥିବା ଡାକରେ ସେ ବାହାରି ଆସନ୍ତି ଘରୁ । କେହି ଦେବା ପାଇଁ ଆସିଛି ନା ମାଗିବାକୁ, ନଜାଣିବି ତାକୁ ସାମ୍ନା କରିବାର ସାହସ କରିପାରନ୍ତି କବି । ହାତରେ କଲମ ଅଛି ତ’ ଦାଦନର ଦାରୁଣ ଦୁଃଖକୁ ଵି ଲେଖାଯାଇ ପାରେ, ପାହାଡି ଝରଣାର ଅଁଟାମଚ୍କା ଚାଲିକୁ ଵି ବର୍ଣ୍ଣନା କରାଯାଇପାରେ । ସଭିଙ୍କୁ ଆପଣାର କରିନେବାର ପଣ ଭରପୂର ତାଙ୍କ ଚେତନାରେ । ସେ ଘଞ୍ଚ ଅନ୍ଧାର ହେଉ, ଘୋ ଘୋ ବଢ଼ିପାଣି, ସାପ ଗାଁ, ବାଘ ଜଙ୍ଗଲ ସଭିଏଁ ଆପଣାର ତାଙ୍କ କଲମରେ । ନିରୋଳା ନିଷ୍ପାପ ଜାଗାଟିଏ ଖୋଜୁଥିବା ସନାତନକୁ ନିଜ ଭିତରେ ନିଜପାଇଁ ରହିଜିବାକୁ କହନ୍ତି ତ, ପୁଣି କେଉଁଠି ନିଜ ଜାଗାକୁ ନିଜର ଭାବି ନିଜ ଭିତରେ ନିସ୍ତେଜ ହୋଇଯାଉ ଥିବା ବାଇଆକୁ ସଜାଗ କରନ୍ତି । ସେ କୁହନ୍ତି….
ଏବେ ତୋ ଛାତି ଵି ଖୋଦା ଯାଇପାରେ
ଯଦି ସେଠି ଖଣିର ସନ୍ଧାନ ମିଳିଯିବ
ତୋ କଲିଜାରୁ କଢ଼ାଯିବ ବକସାଇଟ
ଫୁସଫୁସ ରୁ ମାଙ୍ଗାନିଜ
ହୃଦପିଣ୍ଡ ରୁ ଗ୍ରାଫାଇଟ
ପାଟିରେ ତୋର ପୁଳେ ଟଙ୍କା ଗେଂଜି
ତତେ ଚୁପ କରେଇ ଦିଆଯାଇପାରେ
ଦରକାର ପଡିଲେ ।
ସଂକଳନର କବିତା ଗୁଡିକରେ କବି ନିଜ ଭାବନା ସବୁକୁ ଜୋର୍କରି ପାଠକ ଉପରେ ଲଦି ଦେଇ ନାହାନ୍ତି । ଯାହା ପାଠକର ରୁଚି ତାକୁ ହିଁ ଲେଖିବାକୁ ଚେଷ୍ଟା କରିଛନ୍ତି । ୧୯୬ ପୃଷ୍ଠାରେ ମୋଟ ୧୦୦ଟି କବିତାର ଏକ ସୁନ୍ଦର ସଂକଳନ “ଗଦା ଗଦା ଜୀବନ” । ୨୦୨୦ ମସିହାରେ ଗୃହବନ୍ଦୀ ସମୟରେ ଏହା ଲୋକାର୍ପିତ ହୋଇଥିଲା ଓ ମୋର ସୌଭାଗ୍ୟ ଯେଉଁ କେତେଜଣ ଲେଖକ ଏହି କାର୍ୟ୍ୟକ୍ରମରେ ସାମିଲ ଥିଲେ ସେ ଭିତରେ ମୁଁ ଵି ଜଣେ । ସଂକଳନର ଶବ୍ଦ ଓ ଭାବ ଅତି ସରଳ । କବିତା ସବୁକୁ କ୍ଷତାକ୍ତ କରିଦେବାର ଭୟରେ ଶବ୍ଦସବୁକୁ ଧାରୁଆ ନ କରି ବରଂ କୋମଳତାର ପ୍ରଲେପ ଦେଇଛନ୍ତି କବି । କିନ୍ତୁ ସେ ଭିତରେ ଵି କହିଛନ୍ତି ଅନେକ ଗହନ କଥା । ବହୁତ ଭଲ ଲାଗିଲା ୧୪ ପୃଷ୍ଠାରେ ଥିବା “ମଣିଷ”କବିତା । ଗୋଟେ ଅତି ସରଳ ଉଦାହରଣରେ ମଣିଷର ସ୍ୱାର୍ଥପରତାକୁ ବର୍ଣ୍ଣନା କରିଛନ୍ତି କବି……..
କ୍ଷୀର ଦୁହାଁଳି
ସବୁତକ କ୍ଷୀର ଦୁହିଁ ନେବା ପରେ
ଛାଡି ଦିଏ କଲବଲ ବାଛୁରୀକୁ
ତୁଚ୍ଛା ପହ୍ନାକୁ ଚୁଚୁମି ଚୁଚୁମି
ବାଛୁରୀ ବୋବାଳେ –
ମା ‘ଲୋ, ତୋ ‘ ପହ୍ନାର କ୍ଷୀର ତକ ତ ‘ ମୋର
ୟେ ‘ କିଆଁ ସବୁ ଛଡେଇ ନଉଛି ?
ବାଛୁରୀର ପିଚା ଚାଟୁ ଚାଟୁ
ନିରୁପାୟ ଗାଈ କୁହେ –
ଧନରେ,
ଆଜି ତ ‘ ତୋ ଭାଗର କ୍ଷୀର ଛଡଉଛି
କାଲି ତତେ ବଳଦ କରିବ
ତୋ କାନ୍ଧରେ ଯୁଆଳି ଥୋଇବ
ତୋ ଦେଇ ହଳ କରିବ, ଧନ ଅର୍ଜିବ
ଟିକିଏ ହେଳା କଲେ
ପାଞ୍ଚଣ ବାଡ଼ିରେ ତୋ’ର ପିଠି ଫଟେଇବ ।
ୟେ ‘ ପରା ସିଏ
ଯିଏ ନିଜ ସୁଖ ପାଇଁ
ଅନ୍ୟ ଲାଗି ହୋଇପାରେ
ଅକ୍ଲେଶରେ ବିଷ
ୟା ‘ନାଁ ମଣିଷ…… ମଣିଷ ।
କବିଙ୍କ ଭିତରେ ଅନେକ ଅନୁଭବ, ଅନେକ ଅନୁଭୂତି । କିନ୍ତୁ ବିଜ୍ଞ ମଣିଷ ପରି ସବୁଯାକ ବଖାଣି ପାଠକ ମନକୁ ଭାରାକ୍ରାନ୍ତ କରି ନାହାନ୍ତି । ମାଟିରୁ ଆକାଶ, ବାଡ଼ିପଟରୁ ବାର ପାହାଡ଼, ଦାନ ମାଝୀରୁ ଦାଦନ, ସନାତନଠୁ ବ୍ୟାକୁଳ ବାଇମନ ସମସ୍ତେ ଚିତ୍ରିତ ତାଙ୍କ କଲମରେ । ହାତଠାରି ବାଟ କଢ଼େଇ ନେଉଅଛି କେହି ଆପଣା ଭୁବନ ଆଡ଼େ । ମିଛ ବାଟରେ ଅନେକ ଦୂର ଚାଲିଗଲା ପରେ ଏବେ ଫେରେଇ ଆଣିବାର ବେଳ ଅମୃତ ଭୁବନକୁ, ସେ କାମନା କବିଙ୍କଠାରେ ଦେଖିବାକୁ ମିଳିଲା । କେଉଁଠି କେମିତି ନିଜ ଲୋକଙ୍କ କଥା କହିଲା ବେଳେ ଆଂଚଳିକ ଭାଷାର ପ୍ରୟୋଗ କବିତାକୁ ଆହୁରି ସରସ କରିଛି । ପ୍ରଚ୍ଛଦରେ ପ୍ରାଚୀନ ଗୁମ୍ଫା ଚିତ୍ରସବୁ ସଂକଳନର ସୌନ୍ଦର୍ୟ୍ୟକୁ ଦ୍ବିଗୁଣିତ କରୁଛି । ‘ଗଦା ଗଦା ଜୀବନ’ ଭିତରେ ଗଦା ଗଦା ମଣିଷର କାହାଣୀ, ସେ କାହାଣୀ ଭିତରେ ବୁଢ଼ୀ ଅସୁରୁଣୀ ଜୀବନ ପେଟିକା ପରି ଗହନତା ନାହିଁ । ସିଧା ସିଧା କଥା, ସିଧା ସିଧା ଭାଷା । ରାତି କାହାର ବି ନୁହେଁ ଖାସ ଅନ୍ଧାରର- ଏକଥାକୁ ଜାଣି ସରିଲାପରେ ବି ବଡ଼ ଯତ୍ନରେ ହାତକୁ ବଢେଇ ଦେଇଥିବା ଗୋଲାପ, ବୋମା ପାଲଟି ଗଲା ପରେ ବି ମନରେ ଦମ୍ଭ ଶୋଷ, ସଂତ୍ରାସ, ଭୋକ, ବତାସ, ଦେହ, ଦହନ ସଭିଙ୍କୁ ଧାଡ଼ିବାନ୍ଧି ପରାଜିତ କରି, ଠିକଣା ଜାଗାରେ ସଜାଡି ଦିଅନ୍ତି ଆକାଶର ଜହ୍ନ ଓ ତାରାଙ୍କୁ । ବେଲଗାମ ଜୀବନ, ଆକାଶରେ ଅମାନିଆ ଝଡ଼, ତୋଫାନ, ଘର ଭିତରର ରାଗ ଅଭିମାନ, ଅଚାନକ କାହାକୁ ବି ଝାମ୍ପି ନେଉଥିବା ଯମକୁ ବି ସାମ୍ନାକରି ସେ ସ୍ୱୀକାର କରନ୍ତି…
ଆସ,
ଆମେ ଜିଦ କରିବାନି
ସବୁଦିନ ଏକାଠି ରହିବାକୁ ସିନା
ଯେତେଦିନ ଵି ଏକାଠି ରହିବା
ସେଇ ଭିତରେ ଜିଇଁ ନେବା
ହଜାରେ ଜନମର ସୋହାଗ ।
ସାହିତ୍ୟ ଜଗତକୁ କବିଙ୍କ ଏ ଅମୁଲ୍ୟ ଦାନ ପାଇଁ କବିଙ୍କୁ ବହୁତ ବହୁତ ଧନ୍ୟବାଦ । ଲେଖନୀ ଆହୁରି ସମୃଦ୍ଧ ହେଉ, କାଳଜୟୀ ହେଉ, କଲମରୁ ଝରୁଥାଉ ଅସରନ୍ତି ଝର, ଏତିକି କାମନା । … ପ୍ରଣାମ କବି….. ଆନନ୍ଦ ଚନ୍ଦ୍ର ସାହୁ ।
(ଏହା ବହିର ସମୀକ୍ଷା ନୁହେଁ, କେବଳ ପାଠକୀୟ ମତ ।)