pakka

ବିକେ ଆର୍ଟ କଲେଜର ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

bbehera
  • ପ୍ରଦର୍ଶିତ ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧ ଓ ଆକର୍ଷଣୀୟ- ସଂସ୍କୃତି ମନ୍ତ୍ରୀ ଶ୍ରୀ ପାତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଳା ହେଉଛି କାଳଜୟୀ । କଳାର ବିକାଶ ଅନ୍ୟମାନଙ୍କୁ ମାର୍ଗଦର୍ଶନ କରିବାରେ ପ୍ରେରଣା ଯୋଗାଏ । କଥାର ଚାତୁରୀ ଭଳି ଶିଳ୍ପୀ ତା’ର କଳାର ଚାତୁରୀରେ ଅତି ସୁନ୍ଦର ଚାରୁକଳା ଅଙ୍କନ କରିପାରେ । କଳା ପ୍ରଦର୍ଶନ କରିଥିବା ପ୍ରତ୍ୟେକ ଶିଳ୍ପୀଙ୍କ ଠାରେ ମା’ ସରସ୍ୱତୀଙ୍କ ଆର୍ଶୀବାଦ ରହିଛି । ବାର୍ଷିକ କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଅଂଶ ଗ୍ରହଣକାରୀମାନଙ୍କର ଚାରୁକଳା ଅତ୍ୟନ୍ତ ମନୋମୁଗ୍ଧ ଓ ଆକର୍ଷଣୀୟ ବୋଲି ଆଜି ପୂର୍ବାହ୍ନରେ ସ୍ଥାନୀୟ କଳ୍ପନାଛକ ନିକଟସ୍ଥ ରାଜ୍ୟ ସଂଗ୍ରହାଳୟ ପରିସରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀଠାରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ(ବି.କେ. କଲେଜ ଅଫ୍‌ ଆର୍ଟ ଆଣ୍ଡ କ୍ରାଫ୍ଟ)ର ୩୫ ଓ ୩୬ତମ ବାର୍ଷିକ ଚିତ୍ରକଳା ପ୍ରଦର୍ଶନୀକୁ ଉଦ୍‌ଘାଟନ ଅବସରରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପ୍ରକାଶ କରିବା ସହିତ ସେମାନଙ୍କର ଉଜ୍ୱଳ, ଭବିଷ୍ୟତ କାମନା କରିଥିଲେ । ଏହି ଚାରୁ କଳା ମହାବିଦ୍ୟାଳୟ ଭାରତର ପୂର୍ବାଚଳରେ ଏକ ଅଗ୍ରଣୀ କଳା ଅନୁଷ୍ଠାନ ରୂପେ ପ୍ରସିଦ୍ଧି ଲାଭ କରିଛି । ଏହାର ଅନେକ ଛାତ୍ରଛାତ୍ରୀ ଆମ ଦେଶ ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛନ୍ତି ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । ଏହି ଅବସରରେ ପ୍ରକାଶିତ ଏକ ସ୍ମରଣୀକାକୁ ମନ୍ତ୍ରୀ ଉନ୍ମେଚନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଜନ କୁମାର ଦାସ ଯୋଗଦେଇ କହିଲେ ଯେ, ଭୁବନେଶ୍ୱର କଳିଙ୍ଗ ଆର୍ଟ ଗ୍ୟାଲେରୀ ପରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ କରାଯିବା ପାଇଁ ସରକାରଙ୍କ ତରଫରୁ ପ୍ରଚେଷ୍ଠା ଜାରି ରହିଛି । ଫଳରେ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସେମାନଙ୍କ ଚାରୁକଳା ପ୍ରଦର୍ଶନର ସୁଯୋଗ ପାଇବେ ଓ ଏହା ଆମ ରାଜ୍ୟ ବାହାରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ସୁଯୋଗ ସୃଷ୍ଟି କରିବ । ସ୍ମାର୍ଟ ସିଟି ଭୁବନେଶ୍ୱରରେ ସୌନ୍ଦର୍ଯ୍ୟକରଣରେ ଏହି ବି.କେ. କଳା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କର ଅନେକ ଭୂମିକା ରହିଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀମତି ସନସ୍ୱୀନି ସାହୁ ଯୋଗଦେଇ ପ୍ରଚୀନ ଯୁଗରୁ ଆଜି ପର୍ଯ୍ୟନ୍ତ ଓଡିଶା ଏବଂ ଓଡିଆର ଅସ୍ମିତା ଉଜ୍ଜୀବିତ କରି ରଖିଥିବା ଓଡିଆ ଶିଳ୍ପୀମାନେ ଓଡିଶାର ସାଂସ୍କୃତିକ ପ୍ରାଣର ସ୍ପନ୍ଦନ ବୋଲି ପ୍ରକାଶ କରିବା ସହ ସେମାନଙ୍କର ସୃଜନଶୀଳତା ଓ ଦକ୍ଷତା ପାଇଁ ଓଡିଶା ଗର୍ବିତ ବୋଲି କହିଥିଲେ । ଉପସ୍ଥାପିକା ଆର୍‌.ଜେ.ଗୁଡ୍ଡି(ଋତୁପର୍ଣ୍ଣା ମହାପାତ୍ର) କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର କୁମାର ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ପ୍ରଦର୍ଶନୀରେ ୨୨୫ଟି ଚିତ୍ରକୃତି ଓ ୩୫ଟି ଭାସ୍କର୍ଯ୍ୟକୃତି ପ୍ରଦର୍ଶିତ ହୋଇଛି । ପ୍ରତ୍ୟେକ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରିନ୍ସିପାଲ ଟ୍ରଫି ଓ ବିଭିନ୍ନ ମେମୋରିଆଲ ଟ୍ରଫି ଓ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଗତ ଦୁଇ ବର୍ଷ ଧରି କରୋନା କଟକଣା ପରିପ୍ରେକ୍ଷୀରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇପାରୁନଥିବାରୁ ଏଥର ଦୁଇ ବର୍ଷ ପାଇଁ ଏହି ପୁରସ୍କାରମାନ ପ୍ରଦାନ କରାଯାଇଥିଲା ।

jay balangir
Leave A Reply

Your email address will not be published.

three + nine =