![om academy](https://koshalaprabahalive.com/wp-content/uploads/2024/05/kkkk.jpg)
ଶରଦିନ୍ଦୁ ଭୂଷଣ ହୋତା
ଜୀବନ ଏକ ଅସରନ୍ତି ରହସ୍ୟ । ରହସ୍ୟ ଉନ୍ମୋଚନ ପାଇଁ ପ୍ରଚେଷ୍ଟାର ବି ଅନ୍ତ ନାହିଁ । ଖୋଜିବା ପଣ ଧରି ମଣିଷ ଏତେ ବେଳକୁ ଜୀବନ ପ୍ରସଙ୍ଗରୁ କିଛି କିଛି ବୁଝି ପାରିଛି । ମୋଟାମୋଟି ଜାଣି ହେଉଛି ଯେ ମାନବିକ ଚେତନାରେ ନିରଂତର ଏକ ବିକାଶ ପ୍ରକ୍ରିୟା ଚାଲୁ ରହିଛି ।
ପ୍ରାଗ୍ଐତିହାସିକ ପ୍ରହରରେ ମଣିଷ ଓ ପଶୁ ଭିତରେ ଖୁବ୍ ବେଶୀ ଫରକ୍ ନଥିଲା । ପଶୁ ଯେମିତି ସ୍ୱତଃସ୍ଫୁର୍ତ୍ତ ପ୍ରାକୃତିକ ପ୍ରେରଣାରେ ସବୁ କାମ କରୁଥିଲା, ମଣିଷ ବି ସେଭଳି କରୁଥିଲା । ଉଭୟଙ୍କ ପାଇଁ ଆଦିମ ଓ ଅଶୋଧିତ ପ୍ରାକୃତିକ ପ୍ରେରଣା ହିଁ ଥିଲା ଚାଳିକା ଶକ୍ତି । ଖୋଜିବା ପଣରେ ପ୍ରଖରତା ଯହୁଁ ଯହୁଁ ବଢ଼ିଲା ବୋଧଭୂମିରେ ନୂଆଁ ଏକ ପ୍ରସ୍ଥର ଉନ୍ମୋଚନ ହେଲା । ଧରାପଡ଼ିଲା ଯେ ମଣିଷ କେବଳ ଆଦିମ ପ୍ରାକୃତିକ ପ୍ରବେଗରେ ବନ୍ଧା ନୁହେଁ । ତା’ ଭିତରେ ହେତୁବୋଧ, ବିଚାରବୋଧ ବୋଲି ଅଧିକ କିଛି ଅଛି । ଏଭଳି କି, ସେ ଗୁଡ଼ିକୁ ଅତିକ୍ରମି ମହତ୍ତର କୌଣସି ପ୍ରେରଣା ଭୂମିକୁ ଅଧିଗମନ କରିବାର ଆକୁତି ଓ ଉଦ୍ୟମ ପ୍ରବଣତା ମଧ୍ୟ ରହିଛି ।
ଖୋଜାଲୋଡ଼ା ଭିତରୁ ମଣିଷ ଯାହା ପାଇଲା, ସେଗୁଡ଼ିକ ତା’ ଚେତନାର ଜ୍ଞାନ ପକ୍ଷ । ଜ୍ଞାନ ପୁଣି କର୍ମ ପକ୍ଷକୁ ସଂଚାଳିତ କଲା । ଉପଲବ୍ଧ ଜ୍ଞାନର ପଟ୍ଟଭୂମିରେ ନୂଆ ଅବବୋଧ, ଅଭୀପ୍ସା ଓ ଜୀଜୀବିଷା ଜାଗିଲା । ଜାଣିବା ବୁଝିବାର ସ୍ୱାଭାବିକ ସ୍ଥିତାବସ୍ଥାରେ ଅନେକ ଅଦଳ ବଦଳ ହେଲା । ମଣିଷ ଏକ ସତେଜ ବୋଧଭଙ୍ଗୀରେ ଜୀବନକୁ ପଢ଼ି ଶିଖିଲା । ତାହାରି ପ୍ରଭାବ ପରବର୍ତ୍ତି ଜୀବନ ଯାପନର ଆଭିମୁଖ୍ୟ ବଦଳାଇ ଦେଲା ।
ମଣିଷ ଏବେ ଭାବି ନେଇଛି ଯେ, ଜୀବନ ଯାପନର ଆଗାମୀ ଦିନ ମାନଙ୍କରେ ସେ କ’ଣ କରିବ ନ କରିବ, କ’ର ତା ପାଇଁ ଠିକ୍ ବା ବେଠିକ୍ ତାହା ନିର୍ଦ୍ଧାରଣ କରିବା ତାର ନିତ୍ୟସିଦ୍ଧ ଅଧିକାର । ତାହା ପୁଣି ସଂପୂର୍ଣ୍ଣ ସ୍ୱାଧୀନ ଓ ସାର୍ବଭୌମ । କୌଣସି କିଛିର ସାପେକ୍ଷ ନୁହେଁ । ମଣିଷ ଆପେ ହିଁ ସବୁକିଛିର ନିୟନ୍ତା ଓ ନିୟାମକ । ବିକାଶ କ୍ରମର ଏଇ ମୋଡ଼ରେ ପହଂଚି ମଣିଷ ଦୋହରା ଭାବରେ ଭ୍ରମ କବଳିତ ହୁଏ । କାରଣ ସେ ଏପର୍ଯ୍ୟନ୍ତ ଯାହାସବୁ ଦେଖି, ଶୁଣି, ବୁଝି ଆସିଛି ସେଗୁଡ଼ିକ ତଥାପି ଅସଂପୂର୍ଣ୍ଣ, ଅଶୋଧିତ ଏବଂ ଅପରିପକ୍ୱ । ସେଗୁଡ଼ିକ ନିର୍ଭରଯୋଗ୍ୟ ବୋଧ ଐଶ୍ୱର୍ଯ୍ୟ ଭାବେ ଏପର୍ଯ୍ୟନ୍ତ ଅର୍ଜିତ ହୋଇନାହିଁ । କେବଳ ଏକ ବଦ୍ଧମୂଳ ଧାରଣା ରୂପେ ରହି ଆସିଛି । ତାହାରି ପ୍ରଭାବ ନାନା ପ୍ରକାରର ଅସଂଗତି ଓ ବୋଧ ବିଭ୍ରାଟ ସୃଷ୍ଟି କରୁଛି । ମଣିଷର ଏଇ ଯେଉଁ ତଥାକଥିତ ସ୍ୱାଧୀନତାବୋଧ ତାହା ସେଭଳି ଏକ ଧାରଣାପୁଷ୍ଟ ଭ୍ରାନ୍ତି ।
ଟିକିଏ ତଳେଇ ଦେଖିଲେ ଅସଲ କଥାଟି ବାରି ହୋଇପଡେ଼ । ଧାରଣା ଆଧାରିତ ତଥାକଥିତ ସ୍ୱାଧୀନତାବୋଧର କୌଣସି ଅସଲି ସୌନ୍ଦର୍ଯ୍ୟ ବା ସାର୍ଥକତା ନାହିଁ । ଖୁବ୍ ଶେୀରେ ତାହା କେବଳ ଏକ ଆପାତ ମାନସିକ ଉପାଦାନ । ନିଜକୁ ସ୍ୱାଧୀନ ଭାବି ମଣିଷ ଯାହା କରେ ସେଗୁଡ଼ିକ ତା’ ଭିତରେ କିୟାଶୀଳ ନାନା ପ୍ରକାର ଶକ୍ତି, ଅପଶକ୍ତିମାନଙ୍କ ଲୀଳାଖେଳା । ତାର ଅଜ୍ଞାତସାରରେ ସେମାନେ ହିଁ ତାକୁ ଚଳାନ୍ତି ।
ଏବେ କଥା ଉଠିବ ଏଇ ଶକ୍ତି, ଅପଶକ୍ତି ମାନେ ପୁଣି କେଉଁଠୁ ଆସନ୍ତି? କ’ଣ ସେମାନଙ୍କ ଉତ୍ସ ଏବଂ କ’ଣ ପୁଣି ସେମାନଙ୍କୁ ପ୍ରେରିତ କରୁଥିବା ଉତ୍ସାହ?
ଅହଂ ଏବଂ ତାହାରି ପରିତର୍ପଣ ପାଇଁ ନିୟୋଜିତ ବୃତ୍ତି ପ୍ରବୃତ୍ତି ସେମାନଙ୍କର ପ୍ରକୃତ ବାପ ମା’ । ନାନା ଛଳରେ ଏବଂ ବାଗରେ ସେମାନେ ହିଁ ମଣିଷକୁ ବ୍ୟବହାର କରନ୍ତି । ମଣିଷର କତ୍ତୃତ୍ୱ ବା ନିୟନ୍ତ୍ରଣ ବୋଲି କିଛି ରହେ ନାହିଁ । କଥାଟି ଯଦି ଏଇୟା ଏବଂ ଏମିତି ତେବେ ମଣିଷ ସ୍ୱାଧୀନ ଓ ସାର୍ବଭୌମ ବୋଲି ନିଜ ଭିତରେ ଲାଳନ ପାଳନ କରୁଥିବା ଧାରଣାର ପ୍ରାମାଣିକତା କିଛି ରହିଲା କି ?
ଏଇ ସଂକଟରୁ ବର୍ତ୍ତିବା ପାଇଁ ପୁଣି ନୂଆ ଆହ୍ୱାନ ଛିଡ଼ା ହେଲା । ମଣିଷକୁ ଖୋଜିବା ପାଇଁ ପଡ଼ିବ ସଂକଟ ମୁକ୍ତି ପାଇଁ ଆବଶ୍ୟକ ପଥ ଓ ପାଥେୟ । ଏଇ ମୋଡ଼ରେ ପହଂଚିବା ପର୍ଯ୍ୟନ୍ତ ମଣିଷ ଯାହା ଜାଣିଛି ବା ପାଇଛି ତାହା ଏବେ ନିଅଣ୍ଟିଆ ଧରିବ । ସେତିକିରେ ଜୀବନର ପରବର୍ତ୍ତି ପଥଚଲା ପାଇଁ ପାଥେୟ ସଂଗ୍ରହ ଅସମ୍ଭବ । ମଣିଷ କିନ୍ତୁ ଅପରାଜେୟ । ସଂକଟ କାଳରେ ଦରକାର ହେଉଥିବା ଶକ୍ତି, ସାମର୍ଥ୍ୟ, ଦକ୍ଷତା, ଯୋଗ୍ୟତା ଓ ସୃଜନଶୀଳତା ନିଜ ଭିତରୁ ଖୋଜି ନେଇ ପାରିବାର ପ୍ରମାଣ ସେ ବାରମ୍ବାର ପାଇଛି । ଚଳମାନ ଜୀବନର ବାହ୍ୟପ୍ରସ୍ଥରୁ ସଂଗୃହିତ ପୁଂଜି ସରିବା ପରେ ସିଏ ପୁଣି ଏବେ ଅନ୍ତଃପ୍ରସ୍ଥରେ ଆତ୍ମଖନନର ଅଭିଯାନ ଚଳାଇ ତ୍ରାଣକାରୀ ଉପାଦାନର ସଂଧାନ କରିବ । ଅନ୍ତଃଶ୍ଚେତନାର ସନ୍ଧାନ ଯାତ୍ରା ଗହୀରରୁ ଗହୀରକୁ ଗମି ଅପେକ୍ଷମାଣ ଚୈତ୍ୟସତ୍ତାର ସଂଧାନ ପାଇବ । ଚୈତ୍ୟସତ୍ତାର ବୋଲ ମାନି ଜୀବନ ଚଳିଲେ ସଂକଟ ଟଳିବବ, ଆତ୍ମମୁକ୍ତିର ଅବସର ଖୋଲିଯିବ । ଚୈତ୍ୟସତ୍ତାର ଜାଗରଣ ଯହୁଁ ଯହୁଁ ହୋଇ ଚାଲିବ, ଏକ ଅବଶ୍ୟମ୍ଭାବୀ ପରିଣାମ ରୂପେ ଦିବ୍ୟ କରୁଣା ପ୍ରଯୋଜିତ ଭଗବତ ପ୍ରେରରାର ଅବତରଣ ହେବ । ସୂର୍ଯ୍ୟୋଦୟ ପରେ କୁହୁଡ଼ି ହଟିଗଲା ଭଳି ଭଗବତ୍ ପ୍ରେରଣାର ଅବତରଣ ମାତ୍ରକେ ଭ୍ରାନ୍ତ ଓ ଆପାତତତ୍ତ୍ୱ ଗୁଡ଼ିକର ଅବସାନ ହେବ । ଚେତନାର ଏଇ ରୂପାନ୍ତର ପରେ ସମଗ୍ର ଅସ୍ତିତ୍ୱ ଆବୋରି ଏକ ସଚେତନ ଦିବ୍ୟତ୍ୱର ଅଭିଷେକ ହେବ । ସମସ୍ତ ଦ୍ୱନ୍ଦ, ବାଧା, ବିଘ୍ନ ଦଳି ଅପରାଜେୟ ମାନବାତ୍ମା ସ୍ୱମହିମାରେ ପ୍ରତିଷ୍ଠ ପାଇବ । ଏଇ କଥାର ସୂଚକ ରୂପେ କୁହାଯାଇଛି – Every existance has a blank which only the Divine can fulfil.
ଭୁବନେଶ୍ୱର, ମୋ.ନଂ.୯୯୩୭୭୪୦୬୭୬