pakka

ଅଗଷ୍ଟ ୦୯ ବିଶ୍ୱ ଆଦିବାସୀ ଦିବସ : ଏକ ଅନୁଚିନ୍ତା

kalikesh
  • ଅଧ୍ୟାପକ କୌତୁକ ପନ୍ଦର
  • “ସିଂହ ନିଜର ଇତିହାସ ନ ଲେଖିଲା ପର୍ୟ୍ୟନ୍ତ ଶିକାରୀ ତା’ର ନିଜ ଗୁଣଗାନ କରି ହିଁ ଶିକାରର ଇତିହାସକୁ ପରିବର୍ଦ୍ଧିତ କରି ଚାଲିଥିବ ।”

ଉପରୋକ୍ତ ମନ୍ତବ୍ୟ ଦେଇଥିବା ପ୍ରଖ୍ୟାତ ଲେଖକ ହେଲେ ନାଇଜେରିଆବାସୀ ଚିନୁଆ ଆଚେବେ (ଥିଙ୍ଗଫଲ ଏପାର୍ଟ) ଉପନ୍ୟାସକାର । କହିବାର ତାତ୍ପର୍ୟ୍ୟ, ବିଶ୍ୱମୂଳ ନିବାସୀ ବା ଆଦିବାସୀ ଲୋକ ନିଜର ଇତିହାସକୁ, ଅସ୍ତିତ୍ୱକୁ ନଜାଣିଲା ପର୍ୟ୍ୟନ୍ତ ସେ ସଦାସର୍ବଦା ହୀନମନ୍ୟତାର ଶିକାର ହେଉଥିବ । ମାରିନେଲେ ମହାପାତ୍ରେ ଚାହିଁଥାରେ ଜଳକା ! ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ଜାତିସଂଘର ସାଧାରଣ ସଭାର ସଦସ୍ୟମାନେ ୪୯/୨୧୪ ନିଷ୍ପତ୍ତି ଅନୁସାରେ ଡିସେମ୍ବର ୧୯୯୪ ମସିହାରେ ବିଶ୍ୱର ସମସ୍ତ ଆଦିବାସୀ ତଥା ମୂଳନିବାସୀମାନଙ୍କୁ ସଚତେନ କରିବା ପାଇଁ ଏକ ସଭା ଆଦୃତ କରିଥିଲେ । ଏବଂ ସେଠାରେ ସେମାନେ ନିଷ୍ପତ୍ତି ନେଲେ ଯେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୦୯କୁ ବିଶ୍ୱ ଆସିବାସୀ ବା ମୂଳନିବାସୀ ଦିବସଭାବେ (The world Indigenous People’s Day ) ପାଳନ କରାଯିବ । ଏହା ପୂର୍ବରୁ ପ୍ରଥମ କରି ୧୯୮୨ ମସିହା ଅଗଷ୍ଟ ୦୯ରେ ମଧ୍ୟ ଏ ସମ୍ପର୍କରେ ଜାତିସଂଘର କାର୍ୟ୍ୟକାରିଣୀ ବିଭାଗ- ଯିଏ ମୂଳନିବାସୀ ବା ଆଦିବାସୀ ଲୋକଙ୍କ ସ୍ୱାର୍ଥ ରକ୍ଷାପାଇଁ କାମ କରୁଥିଲା । ଏହାକୁ ସ୍ମରଣ କରିବା ସକାଶେ ଅଗଷ୍ଟ ୦୯ ହିଁ ବିବେଚିତ ହେଲା । ମାନବିକ ଅଧିକାରର ସୁରକ୍ଷା ଓ ପ୍ରୋତ୍ସାହକୁ ଗୁରୁତ୍ୱ ଦିଆଯାଇଥିଲା ।

ପୃଥିବୀର ୯୦ଟି ଦେଶ ଏବଂ ଜନସଂଖ୍ୟାର ଶତକଡ଼ା ପାଂଚ ଥିବା ଏହି ଆଦିବାସୀ (୩୭୦ ରୁ ୫୦୦ ମିଲିୟନ୍‌ ଜନସଂଖ୍ୟାର) ଥିଲେ ମଧ୍ୟ ଶତକଡ଼ା ୧୫ଭାଗ ଅତ୍ୟନ୍ତ ଗରିବ ଭାବେ, ଦୟନୀୟ ସ୍ଥିତିରେ ରହିଛନ୍ତି । ଏହିକ୍ରମରେ ଭାରତର ସମୁଦାୟ ଜନସଂଖ୍ୟାର ୯.୭ ପ୍ରତିଶତ ଏହି ଆଦିବାସୀ ଗୋଷ୍ଠୀ ହୋଇଥିବାବେଳେ ଓଡ଼ିଶାରେ ଏମାନଙ୍କ ଭାଗ ୨୨.୦୧ ପ୍ରତିଶତ ଅଟେ ।ଜନସଂଖ୍ୟାର ସୀମାନ୍ତରିତ ଏଭଳି ଆସିବାସୀଙ୍କ ଐତିହ୍ୟ, ପରପଂରା, ସଂସ୍କୃତି, ଭାଷା, ଧର୍ମ ଇତ୍ୟାଦିକୁ ସୁରକ୍ଷା ଦେବା ଓ ଏମାନଙ୍କ ଅଧିକାରକୁ ପ୍ରୋତ୍ସାହନ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସେମାନଙ୍କ ମଧ୍ୟରେ ତଥା ଅନ୍ୟାନ୍ୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ତାଙ୍କପ୍ରତି ଏକ ସ୍ୱତନ୍ତ୍ର ଦୃଷ୍ଟିଦେବା ହେଉଛି ଆହୁରି ଏକ ମୁଖ୍ୟଲକ୍ଷ୍ୟ । ଏହି ଗୋଷ୍ଠୀପ୍ରତି ଅବହେଳା, ସାମ୍ବାଧନିକ ନ୍ୟାର୍ୟ୍ୟ ଅଧିକାର ହାସଲ କରିବା ପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାରେ ଯେଭଳି ଦେଶ, ଜାତି ଓ ସରକାର ଅବହେଳା ନ କରନ୍ତି ତାପ୍ରତି ଧ୍ୟାନଦେବା ଏହି ଦିବସର ମୁଖ୍ୟଲକ୍ଷ୍ୟ ।

ଏମାନେ ପାରମ୍ପରିକଭାବେ ଦଶନ୍ଧି ଦଶନ୍ଧି ଧରି ଗୋଟେ ଭୌଗୋଳିକ ପରିବେଷ୍ଟନିରେ ବସବାସ କରି ଆସୁଥିଲେ ମଧ୍ୟ ତାଙ୍କର ନିଜସ୍ୱ ଆବାସିକ ଅଧିକାର ପାଇନାହାନ୍ତି । ଦେଶର, ଜନତାର ବିକାଶଆଳରେ ଏମାନେ ଭିଟାମାଟିରୁ ଉତ୍‌ଖାତ ହେଉଛନ୍ତି । ଖଣିଖାଦାନ ଉତ୍ତୋଳନ ଆଳରେ ବେଘର ହେଉଛନ୍ତି । ବିସ୍ଥାପନ ହେଉଛି ଏମାନଙ୍କ ଜୀବନର ଚିରସହଚର ଯେମିତି । ନଦୀବନ୍ଧ ଯୋଜନା, ଶିଳ୍ପ ପ୍ରତିଷ୍ଠା, ଅଭୟାରଣ୍ୟର ପରିଯୋଜନା, ଖଣିଜଦ୍ରବର ଉତ୍ତୋଳନ ଏହି ମାଟିର ମଣିଷ ଅମୃତର ସନ୍ତାନଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ପ୍ରାକୃତିକ ପରିବେଶ ଏକ ପ୍ରକୃତିପୂର୍ଣ୍ଣ ଜୀବନ ବଂଚୁଥିବା ଏହି ଜନତା ଆଜି ବି ବାରଦ୍ୱାର ଶୁଣ୍ଢିପିଣ୍ଢା ହେଇ ଉଚିତ୍‌ଭାବେ ଥଇଥାନ ହୋଇପାରି ନାହାଁନ୍ତି । ଭାରତର ବିସ୍ତୃତ ଆଭ୍ୟନ୍ତରୀଣ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ତେଲେଙ୍ଗାନା ଏବଂ ସର୍ବୋପରି ପୂର୍ବୋତ୍ତର ରାଜ୍ୟରେ ବସବାସ କରୁଥିବା ଏ ପ୍ରକୃତିର ସନ୍ତାନ ପାଇଁ ଆଜିର ଆଧୁନିକ ଯୁଗରେ ମଧ୍ୟ ସବୁଦିନିଆ ରାସ୍ତା ନାହିଁ । ସ୍ୱଚ୍ଛ ପିଇବା ପାଣିର ଅଭାବ ରହିଛି । ବିଜୁଳି ଓ ଉପଯୁକ୍ତ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଖାନାର ଉପଲବ୍ଧ ନାହିଁ । ଟେଲି ଯୋଗାଯୋଗ, କୋଭିଡ଼ ମହାମାରୀରେ ଆହୁରି ସାଂଘାତିକ ହୋଇଉଠିଛି । କୋଭିଡ଼୍‌-୧୯ ମହାମାରୀ ଯୋଗୁଁ ଯାତାୟାତା, ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଓ ଅନୁଷଙ୍ଗିକ ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ବିଶେଷଭାବେ ପ୍ରଭାବିତ କରିଦେଇଛି ।

ସେଥିପାଇଁ ଏଥରର ବିଶ୍ୱ ଆଦିବାସୀ ଦିବସର ମୁଖ୍ୟଭାବ ହେଉଛି, ‘କୋଭିଡ଼୍‌-୧୯’ ଓ ‘ମୂଲନିବାସୀଙ୍କ ପୁନଃସଂସ୍ଥାପନ’ ଭାବେ ନିଆଯାଇଅଛି । ଏହି ମହାମାରୀ ସମୟରେ ଆଦିବାସୀମାନେ କିଭଳି ମୂକାବିକା କରିଥିଲେ ଏବେ ମଧ୍ୟ ସେମାନଙ୍କ ଜୀବନ-ଜୀବିକା କିଭଳି ପୁନଃସଂସ୍ଥାନ ହୋଇପାରିବ ସେ ଉପରେ ସମସ୍ତେ ବିଚାର କରିବାର ସମୟ ଉପନୀତ ହୋଇଛି ।
ପରିବେଶପ୍ରତି ବିଶ୍ୱ ଆଦିବାସୀଙ୍କ ଉପଲବ୍ଧି ଓ ଯୋଗଦାନ କିଭଳି ମହତ୍ତ୍ୱପୂର୍ଣ୍ଣ ଉପଯୋଗ ରଖେ ତା ଉପରେ ଧ୍ୟାନ ଦେବା ମଧ୍ୟ ଏହି ଦିବସର ମୁଖ୍ୟ ଲକ୍ଷ୍ୟ ଅଟେ ।

ଭାରତ ସରକାରଙ୍କ PESA(Extension to Scheduled Areas) ୧୯୯୬ ଆଇନ ଏ ପର୍ୟ୍ୟନ୍ତ ଆଦିବାସୀ ଅଂଚଳରେ ସମଗ୍ର ଭାବେ ଲାଗୁ କରାଯାଇନାହିଁ । ଓଡ଼ିଶାର କେତେକ ବ୍ଲକ୍‌କୁ ଯଦିଓ ସମ୍ବିଧାନର ୮ମ ପରିଚ୍ଛେଦରେ ସାମିଲ କରି ଆଦିବାସୀମାନଙ୍କୁ ସ୍ୱତନ୍ତ୍ର ମର୍ୟ୍ୟାଦା ଦେବାର ଯେଉଁ ସାମ୍ବିଧାନିକ ଅଧିକାର ରହିଛି ତାର ପୂର୍ଣ୍ଣ ଉପଯୋଗ ବା ପ୍ରଚଳନ ହୋଇପାରିନାହିଁ ।

କଳାହାଣ୍ଡି, କନ୍ଧମାଳ, ମୟୂରଭଂଜ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼, ନବରଙ୍ଗପୁର, ରାୟଗଡ଼ା ଭଳି ଅଂଚଳର ଅନେକ ଆଦିବାସୀ ପୋଡ଼ୁଚାଷ କରି ଜୀବିକା ନିର୍ବାହ କରୁଥିଲେ ମଧ୍ୟ ଜଙ୍ଗଲ ମାଫିଆମାନଙ୍କ ପ୍ରରୋଚନାରେ ମୂଲ୍ୟବାନ ଗଛ ସବୁକାଟି-ଚୋରା ଚାଲାଣ୍‌ ହେବାରେ ଲାଗିଛି । ଫଳରେ ଜଙ୍ଗଲର କ୍ଷୟ ଅନିବାର୍ୟ୍ୟ ହୋଇପଡ଼ୁଛି । ଆଜି ଜଙ୍ଗଲ-ଜଳ-ଜମିନ୍‌ ଯାହା ଆଦିବାସୀ ତଥା ମଣିଷ ସମାଜର ମୂଖ୍ୟ ଅବଲମ୍ବନ ତାହା ବିଶେଷଭାବେ ପ୍ରଭାବିତ ହୋଇ ବିଭିନ୍ନ ପ୍ରାକୃତିକ ବିପର୍ୟ୍ୟୟର କାରଣ ହେବାରେ ଲାଗିଛି । ଭୁକମ୍ପ, ବାତ୍ୟା, ଅନାବୃଷ୍ଟି, ଅତିବୃଷ୍ଟି, ଋତୁ କାଳିନ ପ୍ରଭାବ ଅସାମ୍ୟ ପରିଲକ୍ଷିତ ହେଉଛି ।

ଆଦିବାସୀ ଅଂଚଳରେ ଜୀବନ ଜୀବିକାକୁ ସମତୁଳ କରିବା ପାଇଁ ସ୍ଥାନୀୟ ବନଜାତ ଦ୍ରବ୍ୟ, ଏହାର ପ୍ରକ୍ରିୟାକରଣ ଓ ଏମାନଙ୍କ ଭାଷା, ସଂସ୍କୃତି ତଥା ପରମ୍ପରାକୁ ସଂରକ୍ଷିତ କରାଯିବା ନିହାତି ଜରୁରୀ । ଆଦିବାସୀ ଅଂଚଳର ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ, ଟେଲି ଯୋଗାଯୋଗ, ଆଲୋକୀକରଣ ବ୍ୟବସ୍ଥା ସର୍ବୋପରି ଆଧୁନିକ ଭିତ୍ତିଭୂମିକୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ହେବ ନଚେତ ଅନେକ ନାବାଳକ-ବାଳିକା ମାଓବାଦୀଙ୍କ ପ୍ରରୋଚନାରେ ପଡ଼ି ନିଜ ଜୀବନକୁ ତିଳ ତିଳ କରି ଗୁଆଁଇ ଦେବେ । ସର୍ବୋପରି ଆଜି ସମୟ ଆସିଛି- ସମସ୍ତଙ୍କ ଧ୍ୟେୟ ଆଦିବାସୀଙ୍କ ସୁରକ୍ଷା ।

  • ଅଧ୍ୟାପକ, ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର
    ମୋ- ୯୪୩୯୧୧୯୩୩୯
pp
Leave A Reply

Your email address will not be published.

sixteen + 10 =