jayashree

ବିଦେଶ ଯାଉଛି ପାଉଁଶ : ବର୍ଜ୍ୟବସ୍ତୁ ପରିଚାଳନାର ଏକ ଅନନ୍ୟ ଉଦାହରଣ

ବର୍ଜ୍ୟବସ୍ତୁ ରୋଜଗାରର ବାଟ ପାଲଟିଛି : ଯୁବସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ଯୁବଦ୍ୟୋଗୀ ବିଭୂପ୍ରସାଦ ସାହୁ
କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ବି ଅନେକ ଯୁବକ ଅଛନ୍ତି ଯେଉଁମାନେ ନିଜର ସ୍ୱାଧୀନ ଓ ଅନନ୍ୟ ଚିନ୍ତା ବଳରେ ଅନ୍ୟ ପାଇଁ ସାଜି ପାରନ୍ତି ଆଦର୍ଶ । କେବଳ ନିଜେ ବଂଚିବାର କଥା ଚିନ୍ତା କରିବା ବଦଳରେ ସେମାନେ ଅନ୍ୟମାନଙ୍କ ପେଟକୁ ଦାନା ଦେବା ସହିତ ଓଠରେ ହସ ଫୁଟାଇବାରେ ସଫଳ ହେଇପାରନ୍ତି । କଳାହାଣ୍ଡିକୁ କେବେ କେବେ ଦେଶ ବିଦେଶରେ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଉଥିବା ବେଳେ କେବେ କେବେ କଳାହାଣ୍ଡି ବି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିପାରେ ଓ ଦେଶର ପ୍ରଗତିରେ ନିଜକୁ ସାମିଲ କରାଇପାରେ । ନିଜର ଅନନ୍ୟ ତଥା ଭିନ୍ନ ଚିନ୍ତାଧାରାରେ ଆଜି କଳାହାଣ୍ଡିରୁ ବିଦେଶ ଯାଉଛି ପାଉଁଶ ଏବଂ ଏହି ବର୍ଜ୍ୟବସ୍ତୁ ଏବେ ହେଇଛି ରୋଜଗାରର ମାଧ୍ୟମ ।
କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ବିଭୂପ୍ରସାଦ ସାହୁ ୨୦୦୧ ମସିହାରେ ଶିକ୍ଷକତା ଆରମ୍ଭ କରିଥିଲେ ହେଁ ନିଜର ସ୍ୱତନ୍ତ୍ର ଚିନ୍ତାଧାରା ପାଇଁ ସେ ୨୦୦୭ରେ ସେ ଚାକିରୀ ଛାଡ଼ିଦେଇ ବ୍ୟବସାୟ ଆରମ୍ଭ କଲେ । ପରେ ପରେ ସେ ଏକ ରାଇସ ମିଲ କରିଥିଲେ ଗତ ୨୦୧୬ ମସିହାରେ । ମିଲ ଆରମ୍ଭ ପରେ ପରେ ମିଲରୁ ବାହାରୁଥିବା ପାଉଁଶକୁ ମିଲ ବାହାରକୁ ନିଜ ଖର୍ଚ୍ଚରେ ଟ୍ରାକ୍ଟର ଯୋଗେ ବିଭିନ୍ନ ଅଂଚଳକୁ ନେଇ ଫିଙ୍ଗୁଥିଲେ । ଏହି ପାଉଁଶ ଫିଙ୍ଗିବାରେ ଦେଖା ଦେଉଥିଲା ଘୋର ଅସୁବିଧା । କିଛି ଲୋକେ ଏହାକୁ ବିରୋଧ ମଧ୍ୟ କରୂଥିଲେ କାରାଣ ଏହି ପାଉଁଶ ଯୋଉ ଜମିରେ ପଡ଼ୁଥିଲା ସେହି ସବୁ ଜମିର ଗୁଣବତ୍ତା ଧୀରେ ଧୀରେ ଲୋପ ପାଇବସେ । ଏହି ସମସ୍ୟାକୁ କିଭଳି ଭାବରେ ଦୂର କରାଯାଇପାରେ ଭାବୁ ଭାବୁ ଏବଂ ଏ ବିଷୟରେ ଗବେଷଣା କରୁ କରୁ ସେ ପାଉଁଶକୁ ନେଇ ଏକ ପ୍ରକାର ଛୋଟ ଛୋଟ ଗୁଳି ତିଆରି କରିବାକୁ ଚିନ୍ତା କଲେ, ଯାହାକି ଷ୍ଟିଲ କମ୍ପାନୀ ଗୁଡ଼ିକର ବ୍ୟବହାରରେ ଆସିପାରିବ । ଅନେକ ଚିନ୍ତନ ପରେ ସେ ଏହାର ତିଆରି କରିବାର ଯୋଜନା କଲେ । କମ୍ପାନୀଟିଏ କରିବାକୁ ଚିନ୍ତାକରି ହରିପ୍ରିୟା ରିଫ୍ରାକ୍ଟୋରିସ୍ ପ୍ରାଇଭେଟ ଲିମିଟେଡ଼୍ ନାମରେ ଏକ କମ୍ପାନୀ ଆରମ୍ଭ କଲେ । ନିଜେ ଏଥି ନିମନ୍ତେ ନିଜସ୍ୱ ଜ୍ଞାନକୌଶଳ ବଳରେ ବିଭିନ୍ନ ଗୁଳି ତିଆରି ମେସିନ ତିଆରି କଲେ ଏବଂ ପ୍ରାୟ ଏକବର୍ଷ ଏ ଦିଗରେ ପରୀକ୍ଷା ନିରୀକ୍ଷା କଲେ ।
ପ୍ରାରମ୍ଭରେ ପାଉଁଶକୁ ଛୋଟ ଛୋଟ ଗୁଳି କରିବା ଥିଲା ଖୁବ୍ କଷ୍ଟ ସାଧ୍ୟ । ତାହାପୁଣି ନିଜ ମିଲର ସହଯୋଗୀମାନଙ୍କୁ ନେଇ । ଯେଉଁମାନେ କି କୌଣସି ପ୍ରକାର ଦକ୍ଷତା ହାସଲ କରିନଥିଲେ । ପ୍ରତିଦିନ କେବଳ ପାଉଁଶକୁ ଗୁଳି ତିଆରି କରାଯାଊଥିଲା ଏବଂ ଗୁଣବତ୍ତାର ପରୀକ୍ଷା ନିରୀକ୍ଷା କରି ଫିଙ୍ଗାଯାଉଥିଲା । ପ୍ରାୟ ଗୋଟିଏ ବର୍ଷ ପରେ ରଂଜିତ ରଣା ନିଜର ସହଯୋଗୀ ଟୁନା ରଣା, ହେମନ୍ତ ନାଏକ, ଉତ୍ତମ ରଣା, ରାଜୁ ରଣାଙ୍କୁ ନେଇ ଅକ୍ଲାନ୍ତ ପରଶ୍ରମ ପରେ ସଫଳ ହେଇପାରିଲେ । ଏଇ ସମୟ ମଧ୍ୟରେ ବିଭିନ୍ନ ବାହ୍ୟ ରାଷ୍ଟ୍ର କମ୍ପାନୀମାନଙ୍କ ସହିତ ଯୋଗାଯୋଗ ଦାୟିତ୍ୱରେ ରହିଥିଲେ ନବୀନ କୁମାର ସାହୁ । ପରେ ପରେ ବିଶାଖାପାଟଣାସ୍ଥିତ ଏନ୍‌ଆରଡ଼ିସି ଏହାର ପେଟେଣ୍ଟ ତିଆରିରେ ସହାୟତା କରିବା ପରେ ଏବଂ ବିଭିନ୍ନ ବାହାର ରାଷ୍ଟ୍ରଙ୍କ ସହ ଟେଲି ଯୋଗାଯୋଗ ପରେ ସେମାନେ ନମୂନା ମାଗିଥିଲେ ଏବଂ କଳାହାଣ୍ଡିରୁ ଉକ୍ତ ନମୂନା ୨୦୧୮ ମସିହା ଦିତୀୟାର୍ଦ୍ଧରେ ଜର୍ମାନୀ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ଇଜିପ୍ଟ, ଦକ୍ଷିଣ କୋରିଆ, ଓମାନ, ସାଉଦୀ ଆରବକୁ ନମୂନା ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରଥମେ ଜାନୁଆରୀ ୨୫, ୨୦୧୯ ମସିହାରେ ସାଉଦୀ ଆରବ, ତାଇୱାନ, ଇଜିପ୍ଟକୁ ମାଲ ରପ୍ତାନୀ କରା ଯାଇଥିଲା । ସେଠାରେ ମାଲର ଚାହିଦା ବଢିବା ସହିତ ସେଇ ଦିନଠାରୁ ମାଲ ରପ୍ତାନୀ କରାଯାଉଛି । କଳାହାଣ୍ଡିରୁ ବିଶାଖାପାଟଣା ବନ୍ଦରକୁ ଯାଇ ଜାହାଜଯୋଗେ ବିଦେଶକୁ ରପ୍ତାନୀ ହେଉଛି ଏହି ପଦାର୍ଥ ।


ଏହି ପାଉଁଶ ଗୁଳି ସେଠାରେ ଷ୍ଟିଲ ତିଆରୀ କମ୍ପାନୀ ଗୁଡ଼ିକରେ ତରଳ ଷ୍ଟିଲରତ୍ତଉତ୍ତାପ ସହଣୀୟ କ୍ଷମତା ବୃଦ୍ଧି କରିବାରେ ବ୍ୟବାହାର କରାଯାଉଛି । ଏଠି ଯାହା ବର୍ଜ୍ୟବସ୍ତୁ ବିଦେଶରେ ତାହା ଦରକାରୀ ତଥା ରୋଜଗାର ଦେବାର କ୍ଷମତା ରଖୁଛି ଏବଂ ଏହି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୫୦ରୁ ଅଧିକ ଅଣ କୁଶଳୀ ଶ୍ରମିକ, ୧୦ଜଣ କୁଶଳୀ ଶ୍ରମିକ ଏବଂ ୧୦ଜଣ ପରିଚାଳନା ଦିଗରେ ରୋଜଗାର ପାଇ ପାରୁଛନ୍ତି । ସମସ୍ତ କର୍ମଚାରୀ ଏଠାରେ ଯୁବବର୍ଗ ହିଁ ରହିଥିବାବେଳେ ଯୁବସମାଜଙ୍କୁ ରୋଜଗାର ଦେବା ହିଁ ଏକମାତ୍ର ଲକ୍ଷ୍ୟ ବୋଲି କୁହନ୍ତି ଉଦ୍ୟୋଗପତି ଶ୍ରୀ ସାହୁ ।
ଏହି ଅନନ୍ୟ ପଦାର୍ଥ ତିଆରି ସହିତ ବାହାର ରାଷ୍ଟ୍ରରେ ବିକ୍ରି କରିବା ଦିଗରେ ଷ୍ଟାର୍ଟଅପ୍ ଓଡ଼ିଶା, ଷ୍ଟାର୍ଟ ଅପ୍ ଇଣ୍ଡିଆ, ଏନଆରଡ଼ିସି ତଥା ଏମଏସଏମଇ ମଧ୍ୟ ବିଭିନ୍ନ ସମୟରେ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରିଆସୁଛି । ଚଳିତ ବର୍ଷ ଏହି କମ୍ପାନୀର ଏଭଳି ଏକ ପ୍ରକଳ୍ପ ପାଇଁ ଯୁବୋଦ୍ୟୋଗୀ ସମ୍ମାନରେ ଦିଲ୍ଲୀଠାରେ ଓସିଏଫ୍ ଦ୍ୱାରା ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଷ୍ଟିଲଆଣ୍ଡ ପେଟ୍ରୋଲିଅମ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏମଏସଏମଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିବାବେଳେ କମ୍ପାନୀ ତରଫରୁ ନବୀନ କୁମାର ସାହୁ ସମ୍ମାନ ଗ୍ରହଣ କରିଥିଲେ । ଏହି ପ୍ରକଳ୍ପ ପାଇଁ ପରେ ପରେ ଏନ୍‌.ଆର.ଆର.ଆଇ ଦ୍ୱାରା ଆୟୋଜିତ ଏକ ତାଲିମ ଶିବିରରେ ଦୁଇମାସର ତାଲିମ ମଧ୍ୟ ସେ କଟକରେ ସମାପ୍ତ କରିଛନ୍ତି । କଳାହାଣ୍ଡି ଆଇଟିଆଇର ଏକ କାର୍ୟ୍ୟକ୍ରମରେ ମାଇଣ୍ଡଟ୍ରି କମ୍ପାନୀର ସତ୍ୱାଧୀକାରୀ ସୁବ୍ରତ ବାଗଚୀଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ଭାବରେ ଆଇଟିଆଇ ପଢୁଥିବା ପିଲାମାନଙ୍କ ଭବିଷ୍ୟତକର୍ମନିଯୁକ୍ତିରେ କିଭଳି ଭାବରେଷ୍ଟାଟ ଅପ୍ ଓଡ଼ିଶା ଦ୍ୱାରା ସୁଯୋଗ ସୃଷ୍ଟି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ । ପାଉଁଶରୁ ତିଆରି ଛୋଟଛୋଟ ଗୁଳି ଓଡ଼ିଶାରେ ଏହା ପ୍ରଥମ ହୋଇଥିବାଯୋଗୁଁ ନିଜ କଠୋର ଅଧ୍ୟବସାୟ ଓ ନିଷ୍ଠାର ଫଳ ବୋଲି କୁହନ୍ତି ଶ୍ରୀ ସାହୁ ଏହି ନୂତନ ତଥା ନିଆରା ଚିନ୍ତା ଧାରା ପରେପରେ ତାଙ୍କୁ ଏମଏସଏମଇ ମନ୍ତ୍ରୀ ଓଡ଼ିଶା ସରକାର ଦିବ୍ୟ ଶଙ୍କର ମିଶ୍ର, ସାଂସଦ ସୁଜିତ କୁମାର, ନର୍ଲା ବିଧାୟକ ଭୂପିନ୍ଦର ସିଂ ପ୍ରମୁଖ ସଫଳତା କାମନା କରିବା ସହିତ ବିଭିନ୍ନ ସମୟରେ ଆଗକୁ ଯିବାର ପରାମର୍ଶ ଦିଅନ୍ତି । ଏହି ପାଉଁଶରୁ ଗୁଳି ତିଆରୀ ପ୍ରକଳ୍ପକୁ ଆହୁରି ବଡ଼ ଧରଣର କରାଗଲେ ବିଭିନ୍ନ ରାଇସ ମିଲର ପାଉଁଶ ଯାହା ଏଣେତେଣେ ପଡ଼ୁଛି ତାହାର ଉପଯୁକ୍ତ ବ୍ୟବହାର ହେଇପାରନ୍ତା ଏବଂ ଅନେକ ଯୁବକ ଏଥିରେ ସ୍ୱାବଲମ୍ବୀ ହେଇପାରନ୍ତେ ବୋଲି ବୁଦ୍ଧି ଜୀବି ମହଲରେ ଚର୍ଚ୍ଚା ହେଊଛି ।


ବିଦେଶ ଯାଉଛି ପାଉଁଶ ଖବର ପାଇଁ ପ୍ରତିକ୍ରିୟା
କଳାହାଣ୍ଡି କେବଳ ନୁହେଁ ଓଡ଼ିଶାରେ ପାଉଁଶରୁ ଏକ ପଦାର୍ଥ ତିଆରି କରି ବାହାରକୁ ରପ୍ତାନୀ କରିବାରେ ପ୍ରଥମ । ଯାହା ବି ହେଉ ଆମ କଳାହାଣ୍ଡିରେ ସେହି ପଦାର୍ଥ ତିଆରି ହେଉଛି । ଫଳସ୍ୱରୂପ ନିଜର ଆର୍ଥିକ ରୋଜଗାର ସହିତ କିଛି ଯୁବକଙ୍କ ପାଇଁ ରୋଜଗାର ମଧ୍ୟ ସୃଷ୍ଟି ହେଇପାରୁଛି । ସୃଜନାତ୍ମକ ଶୈଳୀରେ କିଛି ନୂତନତ୍ୱ ସୃଷ୍ଟିକଲେ ଭବିଷ୍ୟତରେ ଯୋଉମାନେ ଉଦ୍ୟୋଗ ଦିଗରେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସୁଯୋଗ ମିଳିବ ଏବଂ ଆତ୍ମ ବିଶ୍ୱାସ ବି ମିଳିବ କି ବାହାର ଦେଶ ସହିତ ବ୍ୟବସାୟିକ କାରବାର କରାଯାଇପାରିବ । ମାର୍ଗ ଦର୍ଶନ ତଥା ଉତ୍ସାହ ମଧ୍ୟ ମିଳିପାରିବ ।
(ଦେବାଶିଷ ପାତ୍ର, ଶିଳ୍ପବିକାଶ ଅଧିକାରୀ,ଜିଲ୍ଲା ଶିଳ୍ପକେନ୍ଦ୍ର କଳାହାଣ୍ଡି)
ଏହି ପ୍ରକଳ୍ପ ଷ୍ଟାର୍ଟ ଅପ୍ ଓଡ଼ିଶାରୁ ସ୍ୱୀକୃତି ମିଳିଛି ଏବଂ ଏହା ହେଉଛି ବର୍ଜ୍ୟ ସଂପଦ । ଧାନରୁ ଯୋଉ ଅଗାଡ଼ି ବାହାରୁଛି ଏବଂ ପରେ ପରେ ଧାନ ମିଲରୁ ଯୋଉ ପାଉଁଶ ବାହାରୁଛି, ତାକୁ ସଂପଦରେ ପରିଣତ କରିବା ଏବଂ ବାହାରକୁ ରପ୍ତାନୀ କରିବା । ସବୁଠୁ ବଡ଼ କଥା ହେଉଛି ନୂତନ ଶୈଳୀରେ ପାଉଁଶକୁ ମଂଜି ମଂଜି ଭଳି ଛୋଟ ଛୋଟ ଗୁଳିରେ ତିଆରି କରିବା,ଯାହା ଫଳରେ ତାହାର ଆୟତନ କମିଛି କାରଣ ପାଉଁଶକୁ ତ ବାହାରକୁ ପଠାଯାଇପାରିବନି । ତାକୁ ଏକ ଭିନ୍ନ ମୋଡ଼ରେ ଆଣି ଛୋଟ ଛୋଟ ଗୁଳି ତିଆରି କରାଯାଉଛି, ଯାହାଫଳରେ ଅଳ୍ପ ଜାଗାରେ ବେଶୀଗୁଡ଼ାଏ ଜିନିଷ ରହିପାରିବ । ତାକୁ ଶତପ୍ରତିଶତ ବାହ୍ୟରାଷ୍ଟ୍ରକୁ ରପ୍ତାନୀର ବ୍ୟବସ୍ଥା କରାଯାଇଛି । ବାହାର ରାଷ୍ଟ୍ରର ଅର୍ଥ ଭାରତକୁ ଆସିପାରିଲା । ସେ ନୂତନତ୍ୱ ଆଣିଛନ୍ତି ଏବଂ ଯୁବସାମଜଙ୍କୁ ପ୍ରେରଣା ଦେବ । ଏହିଭଳି ଶିଳ୍ୱ ଯଦି ସରକାର ଅନ୍ୟ ସ୍ଥାନ ଗୁଡ଼ିକରେ କରିବେ, ତେବେ ଅନ୍ୟମାନେ ବି ଉପକୃତ ହେଇପାରିବେ । ଧାନ ମିଲ ତ ସମସ୍ତ ଅଂଚଳରେ ଅନେକ ଦିନ ଆଗରୁ ରହିଆସିଛି । କିନ୍ତୁ ପାଉଁଶକୁ ସମସ୍ତେ ବର୍ଜ୍ୟବସ୍ତୁ ହିଁ କରିଛନ୍ତି । ଏଠି ସେଇ ବର୍ଜ୍ୟବସ୍ତୁ ସଂପଦର ରୂପନେଉଛି । ଏଇଟା ହିଁ ଆତ୍ମ ନିର୍ଭରଶୀଳ ଭାରତର ଏକ ଜ୍ୱଳନ୍ତ ନମୁନା ।
(ସନତ କୁମାର ମିଶ୍ର, ବୈଜ୍ଞାନିକ, ଓୟୁଏଟି, ଭୁବନେଶ୍ୱର)

Leave A Reply

Your email address will not be published.