- ଶ୍ରୀମତୀ ମୃଗାକ୍ଷୀ ପଣ୍ଡା
ଗତ ୨୪ ବର୍ଷ ହେଲା ଏଇ ସାବିତ୍ରୀ ବ୍ରତ ମୁଁ କରି ଆସୁଛି । ପୂଜା ଆସିଯିବା ସମୟରେ ମନରେ ନୂତନ ଉତ୍ସାହ, ଉନ୍ମାଦନା, ପୁଲକ ସ୍ୱତଃ ଆସି ଯାଇଥାଏ । ସବୁ ଜିନିଷ ଯୋଗାଡ କରିବା, ପୂଜା ଜାଗା ସଜାଡିବା ଆଦି କାମ ଖୁବ୍ ଖୁସିରେ କରିଥାଏ । କୌଣସି ଗୋଟେ ବି ଜିନିଷ ନ ମିଳିଲେ ‘ଚଳେଇ ନେବା’ ମୋତେ ଭଲ ଲାଗେ ନାହିଁ । ଆମର ରୀତିନୀତି ପରମ୍ପରାରେ ତିଳେ ମାତ୍ର ଅବହେଳା ମୋର ଜମା ପସନ୍ଦ ନୁହଁ । କାହିଁକି ନା, ଆମର ସବୁ ପୂଜା ପର୍ବରେ ସବୁବେଳେ ପ୍ରକୃତିର ହିଁ ପୂଜା ହୋଇଥାଏ । ପ୍ରତ୍ୟକ୍ଷ ଭାବରେ ହେଉ ବା ପରୋକ୍ଷ ଭାବରେ ହେଉ ପଂଚ ମହାଭୂତକୁ ହିଁ ପୂଜା କରିଥାଉ ଆମେମାନେ।
ଯେଉଁ ଋତୁରେ ଯେଉଁ ପୂଜା ପଡିଥାଏ, ସେ ସମୟରେ ସେହି ପୂଜାରେ ପ୍ରକୃତି ଠାରୁ ପ୍ରାକୃତିକ ଭାବେ ମିଳୁଥିବା ଜିନିଷ ହିଁ ଲାଗିଥାଏ । ଯଦି ଆଜି ଆମେ ‘ଟଚ୍ ଥେରାପି’କୁ ମାନୁଛୁ, ତେବେ ସେଇଟା ହିଁ ଏଇ ପୂଜା । ହାତରେ ପ୍ରକୃଷ୍ଟ ସମୟର ସେ ଫୁଲଫଳ ଧରିବା, ସେମାନଂକୁ ଅନୁଭବ କରିବା ଯୋଗୁଁ ମାନସିକ ଶାନ୍ତି ଓ ସୁରକ୍ଷା ମିଳିଥାଏ । ସେହି ଋତୁର ଫଳମୂଳ ପ୍ରସାଦ ରୂପରେ ନିଜେ ଖାଇବା ଓ ଘରର ଅନ୍ୟ ସଦସ୍ୟଙ୍କୁ ବାଧ୍ୟ କରି ଖୁଆଇବା ଦ୍ୱାରା ଆବଶ୍ୟକୀୟ ଭିଟାମିନ୍, ମିନେରାଲ୍ ଓ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ, ଯାହା ଦ୍ୱାରା ଋତୁଗତ ରୋଗର ନିବାରଣ ହୋଇଥାଏ ।
ଆଜି କିନ୍ତୁ ପୂଜା କଲା ବେଳେ ଲାଗୁଥିଲା ପ୍ରକୃତି ମାତା ଚିତ୍କାର କରି କହୁଛି – ପୂଜାର ସବୁ ଯୋଗାଡ ତ’ କରିଦେଲୁ । ହେଲେ ଭାବି ପାରୁଛୁ, ଆମ ସମସ୍ତଂକୁ ଆଉ କେତେ ଦିନ ପାଇ ପାରିବୁ ? ଆମେ ସମସ୍ତେ ତ ବର୍ତମାନ ବିଲୁପ୍ତ ପ୍ରାୟ । କଂକ୍ରିଟ୍ ଜଂଗଲ ଭିତରେ ତୁ ଆଉ କେତେ ଦିନ ୨୧ ପ୍ରକାରର ଜଂଗଲ ଜାତ କୋଳି ଖୋଜି ପାଇବୁ ? ଜଂଗଲ ଆଉ କାହିଁ ??
- ଅଧ୍ୟାପିକା
ପରିବେଶ ବିଜ୍ଞାନ ଓ କଂପ୍ୟୁଟର ବିଜ୍ଞାନ
ସିଏନ୍ସି, ବଲାଙ୍ଗିର