କବିତା : ଶବ୍ଦ

  • ଏଲି ମହା‌ନ୍ତି
    ଜିଭ, ଓଠ, ତାଳୁ ଭିତରେ
    ଅନେକ ସମୟ ଓଲଟ ପାଲଟ ପରେ ବି
    ଠିକ ଉଚ୍ଚାରଣଟିଏ ହେଲାନି
    ନୂଆ ଶବ୍ଦଟିର ।
    ଖୋଲି ହେଲାନି ପାଣ୍ଡୋରା ବାକ୍ସ ।
    କିଶୋରୀ ଧାନଶୁଙ୍ଗରେ ଚିରିହେଇ
    ଫେରିଆସୁଥିବା ପବନ ପରି
    ଫେରି ଆସିଲେ ସମସ୍ତେ ।
    ପରସ୍ତେ କାଶତଣ୍ଡୀ ଭିତରେ
    ଦୁଇଟି ବିପରୀତ କଣ୍ଠସ୍ୱର ଅଚାନକ ଚୂପ୍
    ସାମ୍ନାରେ ସଦ୍ୟଛଡା ସାପକାତି ପରି ନଈ
    ପରସ୍ପର ବିଶ୍ୱାସର ଋତୁରେ ସେମାନେ ବି
    ସେଇଠି ଛାଡିଗଲେ ନିଜ କାତି ଏବଂ
    ନୂଆ ସ୍ୱର ଗଜୁରିବା ଯାଏ
    ଓଠ ରହିଲା ନିଶ୍ଚଳ ।
    ଏଥର ସେମାନେ ସେ ଶବ୍ଦ ସହ ସମାନ୍ତର !
    ଶବ୍ଦଟିଏ ବି ପ୍ରଥମ ଉଚ୍ଚାରଣ ଯାଏ
    ଗୋଟେ ଆକର୍ଷଣ
    ତା’ ପରେ –
    ଅନାବିଷ୍କୃତ ନୂଆ ଭୂଖଣ୍ଡକୁ ଦେଖି
    ଭାସ୍କୋଡାଗାମାର ପ୍ରଥମ ଚିତ୍କାର !
    ମୋ ଝର୍କାରୁ ଦେଖାଯାଉଛି ଏବେ
    କାଦୁଅ ରଂଗର ଗୋଟେ ଛୋଟ ବାଦଲ
    ତାକୁ ଚକଟି କାନ୍ଥ କରିହବ କି
    ଆକାଶରେ ତାରା ପାଲଟିଥିବା ଏକୁଟିଆ ମଣିଷଟି ପାଇଁ ?
    ଭାବୁ ଭାବୁ ଦୁଇ ତୋଳା ନିଆଁ ଝାଡି
    ଉଡିଗଲେ ଯୋଡିବଣି
    ଉଚ୍ଚାରିତ ହେଇପାରିନଥିବା ଶବ୍ଦଟି ପରି
    ଅବୁଝା ହେଲେ ବି
    ସେ କର୍କଶତା ଲାଗିଲା ପ୍ରଣୟ ପ୍ରଣୟ…
    ସାହିତ୍ୟର ଛାତ୍ର ଚନ୍ଦ୍ରକାନ୍ତ ପହି
    ଜାଣିଛି କେମିତି କିଛି ଅକ୍ଷରଙ୍କୁ ଫୁଙ୍କିଦେଇ
    ଗୋଟେଇ ଆଣିବାକୁ ହୁଏ ସେମାନଙ୍କ ବିଚ୍ୟୁତି
    ଉଚ୍ଚାରଣ ଭିତରେ କେତେ ଉହ୍ୟ, କେତେ ଉଜାଗର
    କୋଉ ଅକ୍ଷରର ଆବୃତ୍ତି…
    କୁହ ତ, ଯୋଉଠି କିଛି ନାହିଁ ବୋଲି କହନ୍ତି
    ସେଇଠି ଏତେ କୋଳାହଳ କାହିଁକି ?
    କାହିଁକି ଏତେ ନୀରବରେ ପକ୍ଷୀ ମଳରୁ ବି
    ବୀଜ ସଂଗ୍ରହ କରିନିଏ ମାଈ ଫୁଲ !
    ନଜର ହେଉ କି ଶବ୍ଦ
    ମାତ୍ର ଥରଟେ ଆରୋହଣ ଓ ଅବରୋହଣ ପରେ
    ଯଦି ବାକି ସମୟ ପାଇଁ
    କେବଳ ବ୍ୟବହାର୍ୟ୍ୟ ଆବଶ୍ୟକତା
    ତେବେ ,
    ଶବ୍ଦଟିଏ ଅନ୍ତତଃ ଥାଉ ପ୍ରଶ୍ନ ଓ ଆକର୍ଷଣ ହେଇ । ।
  • ବାରିପଦା
jittmm
Leave A Reply

Your email address will not be published.