କବିତା : ତୁଣ୍ଡବାଇଦ

ତ୍ରିନାଥ ସିଂହ

ଲକଡାଉନ୍, ସଟଡାଉନ୍, କ୍ୱାରେନଟାଇନ୍‌
କଣ୍ଟେନମେଣ୍ଟ, ଆଇସୋଲେସନ୍…

ସହସ୍ରକୋଶ ଦୂରରୁ ଡିବି ଡିବି ବାଜୁଥିବା
ଏଇ ତୁଣ୍ଡବାଇଦରୁ
କାଣିଚାଏ ବି କିଛି ବୁଝିପାରେନା
ବାପର ବିଣ୍ଡିମରା କାନ୍ଧରେ ବସି
ବାଟ ଚାଲୁଥିବା ପିଲାଟିର ଆବାକାବା ଆଖି
କି ପାଦର କକର୍ଥନା…

ବୁଝି ବି ପାରେନା
ରାସ୍ତାକଡ଼େ ପସରା ଥୋଇ
ବାରି ମକା ଓ ସଜଛୁଇଁ ଗରାଖୁଥିବା
ନବମଶ୍ରେଣୀ ଛାତ୍ରର ଅଳନ୍ଧୁ ଲଗା ବସ୍ତାନି
କି ତା’ ବାପର କଳଙ୍କି ଲଗା ଆଖିର ହତାଶା…
ଜିଡିପି ଚବିଶଭାଗ ସଙ୍କୁଚିତ ହେଇଯିବା କଥା !

ଯୋଉମାନେ ବୁଝନ୍ତେ ଅବା ଟିକେ ଅଧେ…
ସେଇ ବାତାନୁକୁଳ ଲକଜ୍ୟୁରୀ ବସର ମାଲିକ
କି ଗାୟକ, ବାୟକ କି ଚିତ୍ର ତାରକା…
ଏବେ ମଶାଣି ପରି ଦିଶୁଥିବା ବସଷ୍ଟାଣ୍ଡ ବାହାରେ
କିଏ ବିକୁଛି ପକୁଡ଼ି ଓ ବରା
ମାସ୍କଟିଏମାନ ଭିଡ଼ିଦେଇ କେହି କେହି ମୁହଁରେ
ରାଜଧାନୀର କୋଉ ଛକମୋଡ଼ରେ ଥୋଇଛି
ପରିବା ପସରା !

ବାପକାନ୍ଧରେ ବସି ବାଟ ଚାଲୁଥିବା ବାଳୁତର
ଆବାକାବା ଆଖି ଜମାରୁ ବୁଝିପାରେନା
ତା’ ବାପ ପିନ୍ଧୁଥିବା ଗୋଟେ ବୋଲି ଅଙ୍ଗା ଦେହରେ
କେମିତି ଏତେଗୁଡ଼େ କଣା…

ଯୋଉ କଣା ବାଟେ
ସଞ୍ଜବେଳ ମଳିଚିଆ ଅନ୍ଧାର ଭିତରେ ବି
ଦିଶୁଥାଏ ଜଳଜଳ
ଗଣତନ୍ତ୍ରର ଆତ୍ମନିର୍ଭର ମୃଦୁ ମୃଦୁ ହସ,
ଉଚ୍ଛଳ… !

ଚାଳିଆ ଦାଢ଼ରୁ ବାପାର
ଗୋଟେ ବୋଲି ଅଙ୍ଗାକୁ ଝିଙ୍କିନେଇ ପିଲାଟି
ଫିଙ୍ଗିଦେଲା ଆକାଶ ଦେହକୁ
ଯେ ଢାଙ୍କି ହେଇଗଲା ଆକାଶର ଛାତିି…

ବାପାର ଅଙ୍ଗା ଦେହରେ
ଆହା, ଫୁଟିଛନ୍ତି କେତେ ତାରା…
ଜୁକ୍ ଜୁକ୍ ଜୁକ୍ ଜୁକ୍ ଜୁକ୍ ଜୁକ୍
ଆକାଶସାରା !

ଭବିଷ୍ୟନିଧି କାର୍ଯ୍ୟାଳୟ,
ପାନପୋଷ ମାର୍ଗ, ରାଉରକେଲା – ୭୬୯୦୧୨
ମୋ.ନଂ.୮୮୯୫୦୯୯୪୬୪
[email protected]

Leave A Reply

Your email address will not be published.