csstore

ଏ ଯାବତ ଦେଖିଛି ଗୋଟାଏ ଆକାଶ

ପ୍ରହଲ୍ଳାଦ ଶତପଥୀ

ଗୋଟାଏ ନିର୍ଦ୍ଧିଷ୍ଟ ରାସ୍ତାରେ ବିତିଗଲା ଜୀବନର ଷାଠିଏ ଆୟୁଷ
ଗୋଟାଏ ଶିରା ଧମନୀରେ ପ୍ରବାହିତ ହେଲା ରକ୍ତ
ଗୋଟାଏ ହୃଦୟରେ ସ୍ପନ୍ଦିତ ହେଲା ମୋର ସବୁଯାକ ଶବ୍ଦ
ଗୋଟାଏ ପକ୍ଷୀର ଗୀତ ଶୁଣିଲି
ପଲ୍ଲବିତ ହେଲି ଗୋଟାଏ ଗଛ ର ଶାଖା ପ୍ରଶାଖାରେ
ଏ ଯାବତ ଦେଖିଛି ଗୋଟାଏ ଆକାଶ !

ଅନେଇଛି ରାସ୍ତା ଦେଇ ଯିବା ଆସିବା କରୁଥିବା
ପାଦ ମାନଙ୍କୁ, ଓଠ ସବୁକୁ
ଆଖିର ସୁଦୀର୍ଘ ଏକ ପଟୁଆରକୁ ।

ମଶାଲ ଶୋଭାଯାତ୍ରା ଯାଏ, ଫେରିଆସେ
ଫେରିବାଲା ଯାଏ, ଫେରିଆସେ
ବାଲ୍ଟିରେ ଷ୍ଟୋଭ ନେଇ ଚା’ ବାଲା ଯାଏ, ଫେରିଆସେ
ଆଉଥରେ ଲେଉଟି ଆସେ ରାତି ଫେରିଯିବା ପାଇଁ।

ସକାଳକୁ ଅନାଏ ଆଖି ମେଲି
ଡେଣା ଛାଟି ମୁଁ ଉଡି ଯାଉଥାଏ ନା କେହିଜଣେ
ମୋତେ ଉଡେଇ ନେଉଥାଏ, ଜାଣେନା ।

ଏତେ ଦିନ ଧରି ଜାଣିଛି ମୁଁ ଏ ସହରକୁ
ହେଲେ ଏଇ ସହର ମୋତେ ଜମା ଜାଣେନା।
ବହୁରୂପୀ ର ମୁଖା ଭିତରେ ବନ୍ଦ ମୋର ମୁହଁ
ନିଇତି ବିସର୍ଜିତ ମୁଦ୍ରା ରେ ମୋର ଏଇ ଦେହ।

ବଜାର ଜମି ଆସୁଥାଏ
ସମ୍ପର୍କ ଭିତରକୁ କିଣା ବିକା ଧସେଇ ପଶି ଆସୁଥାଏ
ଆଖି କଜଳ ଖୋଜୁଥାଏ
ଆଖି ଗାଡି ଖୋଜୁଥାଏ
ଆଖି ଘର ଖୋଜୁଥାଏ
ଆଖି ଖୋଜୁଥାଏ ଫ୍ରିଜ ଟିଭି
ହେଲେ ସେଇ ଆଖି ଦୁଇଟିକୁ ମୁଁ ଖୋଜୁଥାଏ
କେହିବି ମୋତେ ନ ଖୋଜୁଥିବା ବେଳେ । ।

ମୋ.ନଂ.୯୪୩୭୧୫୦୯୫୧

jayashree
Leave A Reply

Your email address will not be published.