କବିତା : ଦହନାଙ୍କ

ପ୍ରବାସିନୀ ହୋତା

ବିଶ୍ୱାସ କର
ଏ କଥା ମୋତେ ଜଣା ଯେ
ଯେଉଁ ଜିନିଷକୁ ତୁମେ ପ୍ରକାଶ୍ୟରେ ବଦନାମ୍ କର
ତାହା ତମ ପାଖେ ନ ଥିବାର ଅନୁଭବ
ତମକୁ ଏକାନ୍ତରେ ଝୁଣି ଖାଏ ।

ତମ ଅପାରଗତା କୁହ କି
କୁହ ତମର ଅସହାୟତା
ତମକୁ ଏକା ଏକା ଖୁବ୍ ଦଂଶେ
ସେଇ ବିଷ ଝାଡିବାକୁ ତମେ
ତମ ବିଷଦନ୍ତ ବାହାର କର
ବେମତ୍‌ଲବ୍‌ ଏଠି ସେଠି ପ୍ରହାର କର ।

ତମର ଆବଶ୍ୟକ ଯାହା
ତାକୁ ଅନ୍ୟର ମାଲିକାନାରେ ଦେଖିଲେ
ତମକୁ ଯେମିତି ଲାଗେ,
ତାହା ମୁଁ ଜାଣେ ବୋଲି
ତମ ଅସହିଷ୍ଣୁତାକୁ ନୀରବରେ ପିଇଯାଏ ।
ତା ବୋଲି ଅପମାନକୁ ବାରମ୍ବାର
ମୁଁ ଯେ ସହିନେବି ଚିରକାଳ
ଏପରି କୌଣସି ନିଷ୍କର୍ଷ ନାହିଁ ।

ଦହନାଙ୍କ ଛୁଇଁଲେ ଯାଇ ଜଳେ କିଛି ।

ଦହନାଙ୍କକୁ ପହଞ୍ଚିବା ପାଇଁ ହୁଏତ
ଲାଗିପାରେ ଆଉ କିଛି ସମୟ !
ତେଣିକି ଯାହା ଜଳିବ,
ସେଥିପାଇଁ ମୁଁ ଦାୟୀ ନୁହେଁ,
ଏ କଥା ଯେମିତି ମନେ ରହେ । ।

ବରଗଡ଼

Leave A Reply

Your email address will not be published.

two × 3 =