ଦାମୋଦର ପଣ୍ଡା
ଠିଆ ହେଇଥିବା ଲୋକକୁ
ପଚାରେ କିଏ
ସମୟ ଦୁଃସମୟ
ବାଟ ଭାଙ୍ଗି ଚାଲିଯାଏ ।
ଠିଆ ହେଇଥିବା ଲୋକର
ପାଦ ଦୁଇଟି ଗଛ ଓ
ହାତ ପାଲଟି ଯାଏ ଡାଳ
ଯେମିତି ବରଗଛର ଓହଳ ।
ନୀରବତା ପାଲଟି ଯାଏ
ପ୍ରାୟୋଜିତ କୋଳାହଳ ।
ଧୀରେ ଧୀରେ
ଠିଆ ହେଇଥିବା ଲୋକଟି
ବନି ଯାଏ ପାଳଭୂତ,
ଜଗିଥାଏ ଗଳି ସହର
ମସଜିଦ, ଗୀର୍ଜା, ମନ୍ଦିର
ଓ ଏକ ଧର୍ମାନ୍ଧ ଦେଶ ।
ପାଳଭୁତ ଦେଖୁଥାଏ
ଦଙ୍ଗା ଓ ଦୁଷ୍କର୍ମ
ହତ୍ୟା ଓ ଧର୍ଷଣ
ଶୁଣୁଥାଏ
ବିଦ୍ରୋହ ଓ ସ୍ଲୋଗାନ,
ଅଣନିଶ୍ୱାସୀ ହେଉଥାଏ
ବୋମା ଓ ଶବ ଗନ୍ଧରେ
ପୀଡିତାଙ୍କ ଆର୍ତ ଚିତ୍କାରରେ ।
ତାକୁ କାଠଗଡା଼ରେ
ଠିଆ କରି ଦିଆଯାଏ
ଦେଶଦ୍ରୋହ, ରାଜଦ୍ରୋହର
ଅପରାଧରେ
ହଜାର ଥର ମରୁଥାଏ
ନ୍ୟାୟିକ ବ୍ୟବସ୍ଥାରେ ।
ରାଜତନ୍ତ୍ର ହାଇ ମାରୁଥାଏ
ମୁର୍ଚାଖିଆ ସିଂହାସନରେ
ଗଣତନ୍ତ୍ର କବରଖାନାରେ ।
ସବୁ ଠିଆ ହେଇଥିବା
ଲୋକର ନିୟତି ହିଁ
ପାଳଭୂତ ବୋଲି
ଲେଖାଯାଏ
ଅନ୍ଧ ଇତିହାସରେ ।
ସମ୍ବଲପୁର
ମୋ.ନଂ.୭୩୨୫୯୧୧୧୨୭