କବିତା : ଚୁଡ଼ି

  • ରାଜେଶ ପୂଜାରୀ
    (୧)
    ସେଦିନ ମଞ୍ଚରେ
    ଖୁବ୍ ବାଉଳୁଥିଲି ମୁଁ
    ତୁ କହିଲୁ,
    ପତ୍ରେଇଯିବି ତେବେ
    ସତରେ ପିନ୍ଧେଇବ ଯେବେ ।

(୨)
ତୁ ପିନ୍ଧିଲୁ
ମୁଁ ପିନ୍ଧେଇଲି
ଫରକ୍ ଖାଲି ଏତିକି
ତତେ ପିନ୍ଧେଇଲା ଜଣେ
ମୋ’ଠୁ ପିନ୍ଧିଲା ଜଣେ ।

(୩)
ଝଣ୍ ଝାଣ୍ ଶବ୍ଦ ହେଲା
ଓଦା ଓଦା ମନ ପ୍ରାଣ
ଚୁଡ଼ି ନୁହେଁ
ସ୍ୱପ୍ନ ଭଳି କିଛି ଭାଙ୍ଗିଥିଲା ।

(୪)
ତୁ ଡୋରି ଟାଣିଲୁ ତୋର
ମୁଁ ଡଙ୍ଗା ବାହିଲି ମୋର
ଆଉ ଯୋଗାଯୋଗ କାହିଁ
ବେଳ ଅବେଳରେ
ଛମ୍ ଛମ୍ ବାଜେ
ଜାଣିନି, ତତେ
ଶୁଭେ ଅବା ନାହିଁ ?

(୫)
ତୁ ହସୁଥିଲୁ ମୁଁ ହସୁଥିଲି
ଠାରରେ କହିଲୁ,
ଭାବି ନଥିଲି ଗୋ
ଏମିତି ବି ଅଚାନକ ଦେଖା ହେବ
ମୋ ଝିଅକୁ ତୁମ ପୁଅ
ଚୁଡ଼ି ପିନ୍ଧେଇବ ।

କୁଶମେଲ, ଝାରସୁଗୁଡ଼ା
ମୋ-୯୭୭୭୨୮୦୫୯୪

Leave A Reply

Your email address will not be published.