centurian jitm

କବିତା : ପାଗଳୀର ନାନାବାୟା ଦିନ

  • ପ୍ରଣତି ବେହେରା

ମୁଁ ରୋଷେଇରେ ବ୍ୟସ୍ତ ଥାଏ
ପୁଅ ଆସେ
‘କ’ଣ ରାନ୍ଧୁଚୁ ମାଁ…’
କହି ଆପେଟ ଶୋଷାଡି ନିଏ
ବାସ୍ନାକୁ…
ମୁଁ ଖୁସି ହେଇଯାଏ
କିଛି ସମୟ ପରେ ଦେଖେ
ଥାକରେ ଥିବା ମୋ ସେଲ୍ ଫୋନଟି
ତା’ ଜାଗାରେ ନ ଥାଏ
ଥରେ ନୁହେଁ, ସବୁଥର ଏମିତି ହିଁ ହୁଏ
ଅଥଚ
ସଚେତନ ହେବାବେଳକୁ
ମୁଁ ବୋକା ହେଇସାରିଥାଏ ।

ରୋଷେଇ ମଝିରେ ସେ’ ଆସନ୍ତି ଅଚାନକ୍
ତାଓ୍ବାରେ ସିଁ ସିଁ ହଉଥିବା ଦରସିଝା ଭଜାରୁ ଖଣ୍ଡେ
କିମ୍ବା
ଥାକରେ ତାଙ୍କୁ ଚାହିଁ ବସିଥିବା ମିକ୍ଚର୍ ଡବାରୁ ମୁଠେ
ପାଟିରେ ପକେଇ କୁହନ୍ତି
“ଆଚ୍ଛା ଚା’ କପ୍ ଟେ ହେଇପାରିବ…”
ଆଖିରେ ତାଙ୍କର ଭାସୁଥାଏ ଖଣ୍ଡେ ମେଘ ମେଘ କବିତା
ଓହ…
ଚା’ ଛାଣୁ ଛାଣୁ କପ୍ ଟା ବି ଡେଇଁ ପଡ଼େ ଏ ବେଳକୁ !

ସାରାଦିନର କାହାଣୀ ଭିତରେ
ଭୁଟ୍ ଭାଟ୍ ହେଇ ଫୁଟୁଥାଆନ୍ତି
କିଛି ବିଶ୍ବାସ, କିଛି ଅବିଶ୍ବାସ
କିଛି ପ୍ରେମ
କିଛି ଅଳନ୍ଧୁ ଭଳି ଦିଶୁଥିବା ଅପ୍ରେମ ଓ ବିରକ୍ତି ।

ଅଇଁଠା ବାସନ, ଖାଲି ଚା’କପ୍ ଓ କଣ୍ଟା ଚାମୁଚ
ଧୋଇପୋଛି ରଖିବା ଭଳି
ଦିନଟିଏକୁ ସାଇତି ନିଏ ଥାକରେ ।
ଓଳେଇଦିଏ ଗୋଟେ କୋଣକୁ
ସେ ଦିନର ଭାବନା-ଦୁର୍ଭାବନା
ଯାବତୀୟ ନିର୍ବୋଧପଣର
ଭଂଗାଟୁକୁରା ଆବର୍ଜନାମାନଙ୍କୁ ।

ଗ୍ରହ, ଅଗ୍ରହ ମାନଙ୍କର ସୁଦୃଷ୍ଟି କୁଦୃଷ୍ଟି ଓ
ମିଶ୍ରିତ ରାଶିଫଳକୁ ନେଇ
ଏମିତି ଲେଖା ଚାଲିଥାଏ ପାଗଳୀର
ଗୋଟେ ଗୋଟେ ନାନାବାୟା ଦିନ… । ।

Leave A Reply

Your email address will not be published.