- ରତ୍ନମୟ ତ୍ରିପାଠୀ
ଦୂରରୁ ଦେଖିଲେ – କେନ୍ତା ଅଛ ଭାଇ…. ବୋଲି କୋଳେଇ ନେଉଥିଲେ ଚତୁର୍ଭୁଜ ଦାଦା । ଅନେକ କାର୍ୟ୍ୟକ୍ରମରେ ତାଙ୍କ ସହ ଦେଖା ସାକ୍ଷାତ ହେଉଥିଲା । ଗୋଟେ ଆତ୍ମୀୟ ବନ୍ଧନ ଥିଲା ଆମ ଭିତରେ । ଦାଦା ଆମକୁ ଛାଡି ଯିବାର ଗୋଟିଏ ବର୍ଷ ଉପରେ ହୋଇଗଲା । କବିର କେବେ ମୃତ୍ୟୁ ନାହିଁ, ତେଣୁ ମୁଁ ତାଙ୍କ ନାମ ଆଗରେ ସ୍ୱର୍ଗତ ଲେଖୁନାହିଁ । ଦାଦା ସବୁବେଳେ ଆମ ସାଙ୍ଗରେ ଅଛନ୍ତି, ଏହା ମୋର ଭାବନା ।
କବି ଚତୁର୍ଭୁଜ ସାଆନ୍ତଙ୍କ ତୃତୀୟ କବିତା ସଂକଳନ ‘ଉର୍ଘା’ ଖୁବ୍ ଛୁଇଁଲା ମତେ । କୋଶଲୀ ଭାଷାର ୪୫ ଟି ମା’ ମାଟିର କଥାକୁ ନେଇ କବିତା ସଂକଳନଟି ବେଶ ମନଛୁଆଁ ହୋଇଛି । ନିଜ ମାଟିର ବଉଲିଆ ଧୁକାରେ ସେ ଆଗାମୀ ଦିନର ସମ୍ଭାବନା ଓ ମହୁଲିର ଗନ୍ଧରେ ଅରାଜକତାର ଦିନ ଦେଖି ପାରିଛନ୍ତି । ଗାଁର ନୀରବତା ଭିତରେ ବି ଗୋଟେ ଅସହଜ, ଅଶାନ୍ତପଣ ସବୁବେଳେ ବ୍ୟସ୍ତ କରିପକାଇଛି ତାଙ୍କୁ । ହସ ଭିତରେ କେତେ ଆତ୍ମୀୟତା, କେତେ କପଟତା ପରଖିବାକୁ ତାଙ୍କୁ ବେଶୀ ପରିଶ୍ରମ କରିବାକୁ ପଡିନି । ସେ ସୀତା ଅବା ଅହଲ୍ୟା, ଯାଜ୍ଞସେନୀ, ରମା ଅବା ନିଜର ଜନ୍ମଦାତ୍ରୀ ମା’, ସଭିଙ୍କ ହୃଦୟକୁ ପଢ଼ି ପାରିବାର କଳା ଟିକକ ତାଙ୍କ କବିତାରେ ପାଇଲି ।
ସେନୋ ଶରଧାର ଧରନୀ ଖୁଟା
ସେବା ଧରମର କଅଁଲି ଛିଚା
ହଲ୍ଚଲ୍ ନାଇଁ ଘରର ମେର୍ଖୁଟା
ଇଶପରୀ ଦେଖ୍ବ ବଏଲେ
ଦେଖ୍ବ ଯ’
ଜିଇଁତି ଜାଗତି ଚଲାବୁଲା ଧରତୀ ।
ଛୁଆକର ବାଟ ଦେଖୁଥିବା
ଘରକେ ଘର
ଦୁଆରବନ୍ଦ୍ ସାଲେ
ଦେଖବ ଯ’
ନି ଦେଖ୍ବାର ବଏଲେ ।
ତାଙ୍କର କବିତାରାନୀ ଏବଂ ପିଲୋ ପ୍ହାଜୋ କବିତାରେ ସେ ନିଜେ କହିଛନ୍ତି, ଅଧାରାତିରେ ତାଙ୍କୁ କବିତା ଘାରେ । ଶବ୍ଦମାନେ ଅସ୍ତବ୍ୟସ୍ତ କରି ପକାନ୍ତି ତାଙ୍କୁ । ଶବ୍ଦ ମାନଙ୍କୁ ମନେଇବାକୁ ଯାଇ ନିଜ ମାଟିର ଗୀତ ଗାଇ ଉତାରି ପକାନ୍ତି କବିତାରେ । କେବଳ ପ୍ରକୃତି, ପର୍ବ, ଦେଶ, ମାଟି, ଚାଷୀ କଥା ନୁହେଁ, ଦେଶକୁ ସୁଧାରିବାକୁ ସ୍ବପ୍ନ ଦେଖାଉଥିବା ଦେଶଭକ୍ତମାନଙ୍କୁ ବି କଡ଼ା ଜବାବ୍ ଦେବାକୁ ପଛଘୁଞ୍ଚା ଦେଇନାହାନ୍ତି କବି । ତାଙ୍କର “ସତ କହେଲେ ଚର୍ଚରାସି” କବିତାରେ ଗୋଟେ ତୁଳନାତ୍ମକ ଜବାବ୍ ଦେଇଛନ୍ତି । “ତୁଇ ଆଇଛୁ ବଲି” କବିତାରେ ଦାମୀଫୁଲ କି ଦାମୀ ଉପହାର ନୁହେଁ, ଗୋଟେ ସରଳପଣ ଅଥଚ ବିଶାଳ ହୃଦୟ ରଖି ଅନନ୍ତକାଳର ଅପେକ୍ଷାର ଭାଵ ବାରି ହୋଇ ପଡ଼ୁଛି । ମୋତେ ସଂକଳନର ସବୁ କବିତା ଭଲ ଲାଗିଲା । କବିଙ୍କୁ ସଲାମ୍ ।