pakka

କବିତା : ଆଉ କେଇଟା ଦିନ

  • ନୀଳାଦ୍ରି ମହାପାତ୍ର

ଆଉ କେଇଟା ଦିନରେ
ଉଜୁଡି ଯିବ ଉପବନ ।

ସ୍ୱପ୍ନାବିଷ୍ଟ ଚାରା ସବୁ ଶୁଖିଯିବେ
ମୋହାଶକ୍ତ ଫୁଲ ସବୁ ମଉଳିଯିବେ
ଏକାନ୍ତ ଘନିଷ୍ଠ ଗଛ ସବୁ ମରିଯିବେ
ନିର୍ଜନତାରେ
ନିଜସ୍ୱ ଆଳାପ କରୁଥିବ
ଆତ୍ମସ୍ଥ ମାଳୀଟି ।

ମନ୍ଦିରରୁ ମଧୁଶାଳା ଯାଏ
ଆଉ ଦିଶୁନଥିବ ସେ ଆତ୍ମୀୟ ମୁହଁ
ଶୁଭୁ ନଥିବ ସେ ମୋହିନୀ ମନ୍ତ୍ର
ଭକ୍ତି ଠୁ ଭର୍ଚ୍ଛନା ସବୁ
ମେଲେଇଯାଉଥିବ ମହାଶୂନ୍ୟରେ ।

ଅନ୍ଧାରର ଆଁ ଭିତରେ
ଆକ୍ତା ମାକ୍ତା ହେଉଥିବ
ଜୀବନ
ପାଇବା ଓ ହରେଇବାର
ଦୋ’ଛକିରେ
ପୋଡିଯାଉଥିବ ତପସ୍ବୀର
ତପୋବନ ।

ଆଉ କେଇଟା ଦିନ
ଆଉ କେଇଟା ଦିନରେ
ଆଉଟି ପାଉଟି ହେଉଥିବ
ଜଳନ୍ତା ସୂର୍ୟ୍ୟ ଦିଗ୍‌ବଳୟ ଆଡେ
ତରଳି ଯାଉଥିବ
ତୀର୍ୟ୍ୟକ ଜହ୍ନ ମନଭିତରେ ।

ଜଳିଯାଉଥିବା ପୋଡିଯାଉଥିବା
ମଉଳିଯାଉଥିବା ମନ୍ମୟ ମନରୁ
କୋହକୁ ନା ଚାପିହୁଏ
ମନ ଭିତରେ
ନା’ ବୋଲ ମାନୁନଥିବା
ଆଖିକୁ ଆଉଁସି ଆଉଁସି
ଆଶ୍ଳେସି ଦେଇହୁଏ
ପତା ଭିତରେ ।

ଏବେ
କାନ୍ଦିବାଟା ଯେତେ କଷ୍ଟ
ତହୁଁ କଷ୍ଟ
କୋହଚାପୀ ମୌନ ରହିବା
ତମେ ମତେ
ଛାଡ଼ିଯିବା ଯେତେ କଷ୍ଟ ନୁହଁ
ତହୁଁ କଷ୍ଟ
ଛଳନାର ଛଦ୍ମରୂପେ ଆଚ୍ଛାଦିତ
କରି ରଖିଦେବା । ।

ମୋ.ନଂ. : ୯୪୩୧୧୧୩୬୫୮

Leave A Reply

Your email address will not be published.

19 − 14 =