centurian jitm

ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକ : ଉତ୍ତମ ସମନ୍ନୟ ମାଧ୍ୟମରେ ଯୋଜନାଗୁଡ଼ିକର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ହରିଶଙ୍କର ଠାରେ ବଲାଙ୍ଗିର ଜିଲ୍ଲା ପରିଷଦର ବୈଠକ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଭାରତୀ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁ, ଜିଲ୍ଲାପାଳ ଚଂଚଳ ରାଣା, ବଲାଙ୍ଗିର ଲୋକସଭା ସାଂସଦଙ୍କ ପ୍ରତିନିଧି ମାଧବ କୁମାର ସାଏ, ମହିଳା ଓ ଶିଶୁ ବିକାଶ ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ଲୋଇସିଂହା ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଚରଣ ନାଏକ, ପିଡ଼ି ଡିଆର୍‌ଡ଼ିଏ ସୁଶାନ୍ତ ସିଂ, ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ସମେତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ କାର୍ଯ୍ୟନିର୍ବାହୀ ସଂସ୍ଥାର ଅଧିକାରୀମାନେ ଉପସ୍ଥିତି ଥିଲେ । ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମହାନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଉତ୍ତମ ସମନ୍ୱୟ ମାଧ୍ୟମରେ ଜିଲ୍ଲାରେ ଅନେକ ଗୁଡ଼ିଏ ଉନ୍ନୟନମୂଳକ ତଥା ଲୋକାଭିମୁଖୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହୋଇପାରିଛି ବୋଲି ପ୍ରକାଶ କରିବା ସହ ବିଭିନ୍ନ ଅଂଚଳର ଜନସାଧାରଣଙ୍କ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ରାଣା ବୈଠକରେ ବକ୍ତବ୍ୟ ରଖି ଚଳିତ ଜିଲ୍ଲା ପରିଷଦ କାର୍ଯ୍ୟକାଳ ସମୟରେ ଜିଲ୍ଲାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଜିଲ୍ଲା ପରିଷଦ ପାଣ୍ଠିର ସୁବିନିଯୋଗ କରାଯାଇ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି ବୋଲି ପ୍ରକାଶ କରିବା ସହ କୋଭିଡ଼ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ନିଜ ନିଜ ଅଂଚଳରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ବୈଠକରେ ପଞ୍ଚଦଶ ଅର୍ଥ କମିଶନ ଅନାବଦ୍ଧ/ଆବଦ୍ଧ ଓ ରାଜ୍ୟ ପଞ୍ଚମ ଅର୍ଥ କମିଶନ ଅନୁଦାନର ପ୍ରକଳ୍ପ ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ ଏହାର ଅନୁମୋଦନ କରାଯାଇଥିଲା । ପ୍ରତ୍ୟେକ ବିଭାଗ ନିଜ ନିଜ ବିଭାଗ ତରଫରୁ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା, ପ୍ରକଳ୍ପର ସ୍ଥିତି, କାର୍ଯ୍ୟକାରିତା ଏବଂ ଅଗ୍ରଗତି ସଂପର୍କିତ ସବିଶେଷ ବିବରଣୀ ଜନ ପ୍ରତିନିଧିମାନଙ୍କୁ ପ୍ରଦାନ କରିବା ନିମନ୍ତେ ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ପ୍ରାଥମିକ ଶିକ୍ଷା, ଗଣଶିକ୍ଷା ଅଧୀନସ୍ଥ ବିଦ୍ୟାଳୟ କୋଠା, ଶିକ୍ଷକ ସ୍ଥିତି, ବିଦ୍ୟାଳୟ ଗୁଡ଼ିକରେ ଶୌଚାଳୟ ନିର୍ମାଣର ସ୍ଥିତି ଓ ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରାବାସ ନିର୍ମାଣ ଉପରେ ଆଲୋଚନା ହୋଇଥିଲା । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପାଣିର ବ୍ୟବସ୍ଥା, ଫସଲ ବୀମା, ଜିଲ୍ଲାରେ ଧାନ ସଂଗ୍ରହ କାର୍ଯ୍ୟ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ଓଭର୍‌ ହେଡ୍‌ ଟ୍ୟାଙ୍କ ନିର୍ମାଣ ଅଗ୍ରଗତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏତଦ୍‌ବ୍ୟତୀତ ବୈଠକରେ ମତ୍ସ୍ୟ ଓ ପଶୁସଂପଦ, କେନ୍ଦୁଲିଫ୍‌, ସାମାଜିକ ସୁରକ୍ଷା ଯୋଜନା, ଉଠା ଜଳସେଚନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଯୋଗାଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନେ ନିଜ ନିଜ ଅଂଚଳର ବିଭିନ୍ନ ସମସ୍ୟା ସଂପର୍କରେ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନିଜ ନିଜ ଜୋନ୍‌ର ସର୍ବାଙ୍ଗୀନ ଉନ୍ନତି, କୋଭିଡ୍‌ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବୈଠକରେ ଜିଲ୍ଲା ପରିଷଦ ସଭ୍ୟସଭ୍ୟାମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବୈଠକ ଶେଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.