jayashree

୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଡେଲାଙ୍ଗ : ଉତ୍କଳ ଗୌରବଙ୍କ ଶ୍ରାଦ୍ଧ ଦିବସ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ପୋରଡ଼ିଆ ନୋଡ଼ାଲ ହାଇସ୍କୁଲ ପରିସରରେ ମହାପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉକ୍ରଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସହିତ ସ୍ୱାଧୀନତା ସଂଗ୍ରାମୀ ଜୟୀ ରାଜଗୁରୁ ଓ ଚାଖି ଖୁଣ୍ଟିଆ ଚନ୍ଦନ ହଜୁରୀଙ୍କ ପ୍ରତିମୂର୍ତ୍ତି ବରେଣ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଉକ୍ରଳ ସ୍ୱାଭିମାନ ମଂଚ ଓ ପୁରାତନ ଛାତ୍ରଙ୍କ ପକ୍ଷରୁ ଉପରୋକ୍ତ ୫ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ସ୍ୱାଭିମାନ ମଂଚର ସଭାପତି ରାଧାକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧୀରେନ୍ଦ୍ର ନାଥ ଦାଶ, ସମ୍ମାନିତ ଅତିଥି ଭାବେ ଉପଦେଷ୍ଟା ଶ୍ରୀମନ୍ଦିର ପ୍ରଶାସକ ପ୍ରସନ୍ନ କୁମାର ହୋତା, ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଡକ୍ଟର ଅଦ୍ୱୈତ ଚରଣ ପାତ୍ର, ଜୟୀ ରାଜଗୁରୁ ସ୍ମୃତି ପରିଷଦର ଜଟାଧାରୀ ମିଶ୍ର, କଣାସ ମଠ ମହନ୍ତ ପୂର୍ଣ୍ଣଚନ୍ଦ୍ର ଦାଶ, ଡକ୍ଟର ପ୍ରଭାକର ତ୍ରିପାଠୀ, ଚାଖି ଖୁଂଟିଆ ସ୍ମୃତି ସଂସଦର ଭୀମସେନ ହଜୁରୀ, ସ୍ଥାନୀୟ ସରପଂଚ କୁନିମଣି ରାଉତରାୟ, ପୂର୍ବତନ ପ୍ରଧାନ ଶିକ୍ଷକ ଉମାକାନ୍ତ ସାହୁ, ପ୍ରାକ୍ତନ ଶିକ୍ଷାଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବଳିଆରସିଂହ ଓ ମହେନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ମହାପୁରୁଷଙ୍କ ଜୀବନୀ, ରାଷ୍ଟ୍ର ପାଇଁ ସେମାନଙ୍କର ଅବଦାନ ଉପରେ ଆଲୋକପାତ କରିବା ସହ ତାଙ୍କର ନୀତି, ଆଦର୍ଶ ଓ ଚିନ୍ତାଧାରାରେ ଆମେ ସମସ୍ତେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ କରିଥିଲେ । ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଦାନ କରିଥିବା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସମାନ୍ତରାୟ, ପ୍ରାକ୍ତନ ଛାତ୍ର ଦିଲୀପ କୁମାର ଧାଉଡ଼ିଆ, ଲଳାଟ ପାଇକରାୟ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅର୍ଜୁନ ପରମଗୁରୁ ଓ ପ୍ରଧାନ ଶିକ୍ଷକ ସୁଦର୍ଶନ ପରିଡ଼ାଙ୍କୁ ବରେଣ୍ୟ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ସମ୍ବର୍ଦ୍ଧନା କରିଥିବା ବେଳେ ସୂର୍ଯ୍ୟନାରାୟଣ ଜେନା ଓ ହୃଷିକେଶ ବଳିଆରସିଂହ ସଂଯୋଜନା କରିଥିଲେ । ପୁରାତନ ଛାତ୍ର ଭାବେ ମୁମ୍ବେଇ ମଲାଡ଼ ମଠାଧୀଶ ୧୦୦୮ ଶ୍ରୀ ମାଧବାଚାର୍ଯ୍ୟ ମହାରାଜ ବିଦ୍ୟାଳୟର ପାଠାଗାର ଗୃହ ଓ ଉପକରଣ ପାଇଁ ସହାୟତା ଦେବାକୁ ବ୍ଲକ ଅଧ୍ୟକ୍ଷଙ୍କୁ ଟେଲିଫୋନ୍‌ ମାଧ୍ୟମରେ ଜଣାଇବା ସହ ଅଗ୍ରୀମ ୧ ଲକ୍ଷ ଟଙ୍କା ପଠଡାଇଥିବା ବ୍ଲକ ଅଧ୍ୟକ୍ଷ ଶ୍ରୀ ସାହୁ ସୂଚନା ଦେଇଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ । ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ନୃତ୍ୟ ନାଟିକା ପ୍ରଦର୍ଶନ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.