jayashree

ଆଜାଦି କା ଅମୃତ ମହୋତ୍ସବର ଭାରତ ରଙ୍ଗ ମହୋତ୍ସବ କାର୍ଯ୍ୟକ୍ରମକୁ ଆନ୍ଧ୍ର ରାଜ୍ୟପାଳଙ୍କ ଦ୍ଵାରା ଉଦ୍‌ଘାଟନ

• ପ୍ରଥମ ଦିବସରେ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ

ଭୁବନେଶ୍ୱର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଗୁରୁବାର ଭୁବନେଶ୍ୱରସ୍ଥିତ କିଟ୍ କ୍ୟାମ୍ପସ୍‌ର ଅଡିଟୋରିୟମରେ ପୂର୍ବ ଭାରତର ୩ଟି ରାଜ୍ୟର ଅନୁଷ୍ଠିତ ହେଉଥିବା ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଭାରତ ରଙ୍ଗ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଉକ୍ତ ଉତ୍ସବର ଉଦ୍‌ଘାଟକ ତଥା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତିର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଛନ୍ତି । ସେ ମହାତ୍ମାଗାନ୍ଧୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଅନ୍ୟ ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଗୁଣଗାନ କରିଛନ୍ତି । ଇଂରେଜମାନଙ୍କ ଦ୍ୱାରା ହୋଇଥିବା ଜୁଲ୍‌ମ ଓ ନିରୀହ ଲୋକମାନେ କିପରି ସହିଦ୍ ହୋଇଥିଲେ ତାହା ମନେ ପକାଇଥିଲେ । ଓଡ଼ିଶାରେ ଇଂରେଜମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ବିଭିନ୍ନ ଗଣହତ୍ୟା ଭଳି ମର୍ମନ୍ତୁଦ ଘଟଣାକୁ ମନେ ପକାଇ କ୍ଷୋଭ ପ୍ରକାଶ କରିଥିଲେ ଓ ଏଥିରେ ସହିଦ୍ ହୋଇଥିବା ବୀର ଓଡ଼ିଆମାନଙ୍କର ଜୟ ଗାନ କରିଥିଲେ ।

ଏହି ଅବସରରେ ଇଂରେଜମାନଙ୍କ ବିରୋଧରେ ଦୁର୍ଦ୍ଧର୍ଷ ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଅନ୍ୟତମ ଗଣ ଆନ୍ଦୋଳନ ପାଇକ ବିଦ୍ରୋହକୁ ମନେପକାଇ କହିଥିଲେ ଯେ ପାଇକମାନେ ହେଉଛନ୍ତି ପଦାତିକ ସୈନ୍ୟ । ଯାହାଙ୍କର ଦୃଢ଼ ନିଷ୍ଠା ଓ ମାତୃଭୂମିକୁ ଭଲପାଇବା ଏ ଜାତିରେ ତିଆରି କରିଥିଲା ପାଇକ ବିଦ୍ରୋହ ଭଳି ଏକ ଅନ୍ୟତମ ଗଣ ସଂଗ୍ରାମ । ଯାହା କି ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କ ମନରେ ଇଂରେଜମାନଙ୍କୁ ଓଡ଼ିଶାରୁ ବିତାଡ଼ିତ କରିବାର ଏକ ଆଶା ସଂଚାର କରିଥିଲା । ଏହି ପାଇକ ବିଦ୍ରୋହରେ ଇଂରେଜମାନେ ପାଇକମାନଙ୍କର ଦୃଢ଼ ମନୋବଳ ଓ ଯୁଦ୍ଧ କୌଶଳ ପାଖରେ ହତଚକିତ ହୋଇଯାଇଥିଲେ । ଏଥିରେ ଜନ ଧନ ହାନୀ ହେବା ସହିତ ସେମାନେ ନିଜ ପରିବାରଠୁ କିପରି ଦୂରରେ ରହି ବକ୍ସି ଜଗବନ୍ଧୁଙ୍କ ଡାକରାରେ ଆନ୍ଦୋଳନକୁ ତୀବ୍ର କରିଥିଲେ ତାହା ଉପରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଅଲୋକପାତ କରିଥିଲେ । ପାଇକ ବିଦ୍ରୋହ ଓଡ଼ିଆ ଜାତିର ଗର୍ବିତ ଇତିହାସକୁ ଆମକୁ ବାରମ୍ବାର ମନେ ପକାଇଦିଏ । ପାଇକମାନେ ଓଡ଼ିଆଙ୍କ ସାହସ, ଧୈର୍ଯ୍ୟ ଓ ପରାକ୍ରମର ଯେଉଁ ଅଦ୍ଭୁତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି, ତାହା ସର୍ବଦା ଓଡ଼ିଶାକୁ ଗର୍ବିତ କରିବ । ଯାହାକି ଆଜି ଅନୁଷ୍ଠିତ ହୋଇଥିବା ନାଟକ ‘ମହାସଂଗ୍ରାମର ମହାନାୟକ (ବକ୍ସି ଜଗବନ୍ଧୁ)’ ଜରିଆରେ ଦେଖିବାକୁ ମିଳିବ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ କହିଥିଲେ ।

ଉକ୍ତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମାର ନିର୍ଦ୍ଦେଶକ ପ୍ରଫେସର ରମେଶ ଚନ୍ଦ୍ର ଗୌର ସଭାର ସଭାପତିତ୍ୱ କରିବା ସହିତ ତାଙ୍କ ଅଭିଭାଷଣରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଆଜାଦି କା ଅମୃତ ମହୋତ୍ସବ ବିଷୟରେ ଆଲୋକପାତ କରିଥିଲେ । ଲୋକମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇବା ପାଇଁ ନାଟକ ଅନ୍ୟତମ ମାଧ୍ୟମ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଦୋଳଗୋବିନ୍ଦ ରଥ ଏବଂ କିଟ୍‌ର କୁଳପତି ସସ୍ମିତାରାଣୀ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପରେ ନାସ୍‌ନାଲ ସ୍କୁଲ୍ ଅଫ୍ ଡ୍ରାମା ଆନୁଲକୂଲ୍ୟରେ ଅନୁଷ୍ଠିତ ହେଇଥିବା ପ୍ରଥମ ଦିବସର ପ୍ରଥମ ନାଟକ ମହାସଂଗ୍ରାମର ମହାନାୟକ ଅଭିନୀତ ହୋଇଥିଲା । ଉକ୍ତ ନାଟକକୁ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରଚନା କରିଥିବା ବେଳେ ଓଡ଼ିଶାର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଧୀର ମଲ୍ଲିକ ନିର୍ଦ୍ଦେଶନା ଦେଇଥିଲେ । ଉକ୍ତ ନାଟକଟି ଶତାବ୍ଦୀର କଳାକାର ନାଟ୍ୟ ସଂସ୍ଥାର କଳାକାରମାନେ ଖୁବ୍ ନିଖୁଣ ଭାବରେ ଅଭିନୀତ କରିଥିଲେ, ଯାହାକି ଦର୍ଶକମାନଙ୍କ ମଧ୍ୟରେ ଖୁବ୍ ଚିତ୍ତାକର୍ଷକ ହୋଇଥିଲା ଓ ନାଟକ ଲୋକମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିଥିଲା ।

Leave A Reply

Your email address will not be published.