ଖଲ୍ଲିକୋଟ : କୂଅରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର । ଦୁଇଦିନ ହେଲା ନିଖୋଜ ଥିଲେ ବୃଦ୍ଧ । ଗଞ୍ଜାମ ଜିଲ୍ଲା ତୁଳସୀପୁର ପଞ୍ଚାୟତର କଦଳୀବସନ୍ତ ଗାଁରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ, କଦଳୀବସନ୍ତ ଗାଁରେ କୂଅରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ତୁଳସୀପୁର ପଞ୍ଚାୟତର କଦଳୀବସନ୍ତ ଗାଁର ବାଞ୍ଛା ନାହାକ । ଦୁଇ ଦିନ ହେଲା ବାଞ୍ଛା ନିଖୋଜ ଥିଲେ । ଗୁରୁବାର ସକାଳୁ ଗାଁର ମହିଳା ମାନେ କୂଅରୁ ପାଣି ଆଣିବା ପାଇଁ ଆସି ମୃତଦେହ ଦେଖିଥିଲେ । ଏନେଇ ଗାଁ ଲୋକ ପୋଲିସ ଓ ଅଗ୍ନିଶମ ବାହିନୀକୁ ଜଣାଇଥିଲେ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ତାଙ୍କ ମୃତ୍ୟୁ କେମିତି ହେଲା ତାହା ସ୍ପଷ୍ଟ ଜଣାପଡ଼ିନାହିଁ । ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।