ଲୋକ ଦେଖାଣିଆ ସାଂସଦଙ୍କ ମରୁଡି ସମୀକ୍ଷା : ଟିକ୍ରାପଡ଼ା ଅଞ୍ଚଳର ମୁରୁଡ଼ି ଅଞ୍ଚଳକୁ ପରିଦର୍ଶନ କଲେ ରାଜ୍ୟ ବିଜେପି ଦଳ, ଜଳ ସେଚନ ପ୍ରକଳ୍ପ ବ୍ୟବସ୍ଥା ଫେଲ୍‌ ନେଇ ଅସନ୍ତୋଷ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଚଳିତ ବର୍ଷ ବର୍ଷାର ଘୋର ଅଭାବ ଦେଖା ଦେଇଥିବାରୁ ଅନେକ ଚାଷୀ ଏବେ ଭାଙ୍ଗି ପଡିଛନ୍ତି । ଚାଷୀମାନେ ଧାର କରଜ କରି ଚାଷ କରିଥିଲେ । ହେଲେ ବର୍ଷାର ଅଭାବ ରହିଥିବା ବେଳେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଳକକୁ ମରୁଡି ଘୋଷଣା କରିବା ପାଇଁ ବିଜେପି ଦଳ ପକ୍ଷରୁ ଦାବୀ ହେଉଛି । ତେବେ ଦୀର୍ଘ ଦିନ ପରେ ଆଜି ସଇଁନ୍ତଲା ବ୍ଳକକୁ ବିଜେପି ଦଳର ପାଦ ପଡିଥିଲା । ଲୋକଙ୍କ ମଧ୍ୟରେ ଅନେକ ଆଲୋଚନା ସୃଷ୍ଟି କରିଛି । ଲୋକ ଦେଖାଣିଆ ଭାବେ ବିଜେପି ପକ୍ଷରୁ ମରୁଡି ସମୀକ୍ଷା କରାଯାଉଥିବା ନଜରକୁ ମଧ୍ୟ ଆସିଛି । ତେବେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଆଦେଶ କ୍ରମରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ଗ୍ରାମକୁ ବଲାଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓ, ପାଟଣାଗଡ଼ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂ, ମୁଖପାତ୍ର ବିରଞ୍ଚି ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, କିଷାନ ମୋର୍ଚ୍ଚା କଣ୍ଟାବାଞ୍ଜି ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷଣ ବାଗ, ସାଂସଦଙ୍କ ସଇଁନ୍ତଲା ବ୍ଳକ ପ୍ରତିନିଧି ଅକ୍ଷୟ ରଣା, ଜିଲ୍ଲା ସାଧାରଣ ସମ୍ପାଦକ ଅମିତ ସିଂ ନିନା, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ କୁମାର ଜୈନ, ବିଜେପି ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର, ଟିକ୍ରାପଡ଼ା ଜିଲ୍ଲାପରିଷଦ ସଭ୍ୟା କଳ୍ପନା ଚୌହାନ, ରାଜେଶ ସାହୁ, ବାସୁଦେବ ଚୌହାନ, ସାଂସଦଙ୍କ ଗୁଡ଼ଭେଲା ପ୍ରତିନିଧି ଦୀନବନ୍ଧୁ ବେହେରା ପ୍ରମୁଖ ଉକ୍ତ ଅଞ୍ଚଳକୁ ପରିଦର୍ଶନ କରିବା ସହ ଚାଷୀଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ଦୀର୍ଘ ଦିନ ପରେ ସାଂସଦ ସଙ୍ଗୀତାଙ୍କ ସଇଁନ୍ତଲା ବ୍ଲକ ଅଞ୍ଚଳରେ ପାଦ ପକାଇଥିବା ବେଳେ ବ୍ଳକର ଅନେକ ଗାଁକୁ ବିଜେପି ଦଳ ପରିଦର୍ଶନ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଚାଷୀ ମାନେ ଆଶା କରିଥିଲେ । ହେଲେ ବିଜେପି ନେତାଙ୍କ ବ୍ଳକର ଅନେକ ଗାଁରେ ପାଦ ପଡିନଥିବା ବେଳେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ସାଂସଦ ସଙ୍ଗୀତା କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ସହ ଫସଲ ବୀମା ଯୋଜନା କରିଥିବା ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ସରକାରଙ୍କ ଠାରେ ଦାବୀ କରିଛନ୍ତି ।

ରାଜ୍ୟ ସରକାର କହୁଥିବା ଚାଷୀଙ୍କ ପାଇଁ ଜଳସେଚନ ସୁବିଧା ସୁଯୋଗ ଫେଲ ମାରିଥିବା ନେଇ ସାଂସଦ ସଙ୍ଗୀତା ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଆଜି କିଛି ବୃଦ୍ଧ ବୟସର ଚାଷୀ ମାନେ ଉକ୍ତ ଗାଁକୁ ଆସିଥିବା ବିଜେପି ଦଳର ପ୍ରତିନିଧିଙ୍କୁ କାନ୍ଦି କାନ୍ଦି ଗୁହାରି କରିଥିଲେ ଯେ, ବିଲରେ ଆଉ ଧାନ ନାହିଁ, ବର୍ଷା ବି ନାହିଁ ତେବେ ଆପଣଙ୍କ ମାଧ୍ୟମରେ ଜଣାଉଛୁ ଯେ, ସରକାର ମରୁଡି ଘୋଷଣା କରିବା ସହ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏଥିରେ ଶତାଧିକ ଚାଷୀଙ୍କ ସମେତ ବିଜେପିର କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ । ସୂଚନା ମତେ, ବଲାଙ୍ଗିର ଜିଲ୍ଲା ଜଳସେଚନରେ ସବୁବେଳେ ଅବହେଳିତ । ତେଣୁ କେବଳ ବର୍ଷା ପାଣି ଉପରେ ନିର୍ଭରଶୀଳ ଥିବାରୁ ପ୍ରତିବର୍ଷ ମରୁଡ଼ିର ସମ୍ମୁଖୀନ ହେଉଛି । ଚଳିତ ବର୍ଷ ବି ସ୍ୱଳ୍ପ ବର୍ଷା ଯୋଗୁଁ ଏହି ଜିଲ୍ଲା ମରୁଡ଼ି ମୁହଁକୁ ଚାଲିଯାଉଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପକ୍ଷରେ ଜଳସେଚନ ପାଇଁ ରହିଥିବା ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଅଧାପନ୍ତରିଆ ହୋଇପଡ଼ିଛି । ଆଉ କିଛି ପ୍ରକଳ୍ପ ଅଚଳ ହୋଇପଡ଼ିଛି । ଏବେ ଚାଷ କାମ ଆଗେଇ ପାରୁ ନଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି । ଚଳିତ ବର୍ଷ ଶହ ଶହ ହେକ୍ଟର ଜମି ଚାଷ ନହୋଇ ପଡ଼ିଆ ପଡ଼ିଛି । ଏଠାରେ ଜଳସେଚନର ବହୁପ୍ରକାର ବ୍ୟବସ୍ଥା ଥିଲେ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ଚାଷକୁ ଛାଡ଼ି ଚାଷୀ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛି ।

ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ମରୁଡ଼ି ଆଶଙ୍କା ନିଶ୍ଚିତ ଥିବାରୁ ଜିଲ୍ଲାପାଳ କୃଷି ବିଭାଗ ଓ ଜଳସେଚନ ବିଭାଗ ଜରିଆରେ ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି । ସମୀକ୍ଷା ସମୟରେ କେତେ ପ୍ରକଳ୍ପ ଧାନ ଚାଷକୁ ମରୁଡ଼ିରୁ ରକ୍ଷା କରିପାରିବ, ତାହାକୁ ନେଇ ବିଚାର ବିମର୍ଷ ଚାଲିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ୍‌ରେ ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପ ଅଛି । ୯୬୨ଟି ଗଭୀର ନଳକୂପରୁ ୨୧ହଜାର ୧୭୦ ହେକ୍ଟର, ୮୫୭୩ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପରୁ ୪୮୩୨୦ ହେକ୍ଟର ଓ ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ୩୫୦ ହେକ୍ଟର ଏପରି ମୋଟ ୯୫୭୦ଟି ପ୍ରକଳ୍ପରୁ ୬୯ହଜାର ୮୪୦ ହେକ୍ଟର ଧାନ ଚାଷକୁ ମରୁଡ଼ି ଦାଉରୁ ରକ୍ଷା କରାଯିବାର ବ୍ୟବସ୍ଥା ଅଛି । ହେଲେ ଗତ ୨୪ ତାରିଖ ଦିନ ହୋଇଥିବା ଜିଲ୍ଲାପାଳଙ୍କ ଏକ ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ, ୯୬୨ଟି ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୪୩୧ଟି ପ୍ରକଳ୍ପ କାମ କରୁ ନଥିବା ବେଳେ ୫୩୧ଟି ପ୍ରକଳ୍ପ ଚାଲିଛି । ସେହିପରି ୮୫୭୩ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ମଧ୍ୟରୁ ୭୩୩୫ଟି ଚାଲିଛି ଓ ୧୨୩୮ଟି ଅଚଳ ରହିଛି । ସେହିପରି ୩୫ଟି ମାଇକ୍ରୋ ଉଠା ଜଳସେଚନ ପ୍ରକଳ୍ପରୁ ମାତ୍ର ଗୋଟିଏ ପ୍ରକଳ୍ପ ଅଚଳ ଅଛି । ତେବେ ରାଜ୍ୟ ସରକାର ବଲାଙ୍ଗିର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.