ଟିଟିଲାଗଡରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଉଦ୍‌ଘାଟନ କରିଛନ୍ତ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗସ୍ତରେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ । ଟିଟିଲାଗଡ ଟାଉନରେ ସିସିଟିଭି ସର୍ଭିଲାନ୍ସ ସିଷ୍ଟମର ଶୁଭ ଉଦ୍‌ଘାଟନ କରିଛନ୍ତି ଅଧ୍ୟକ୍ଷ ତ୍ରିପାଠୀ । ଏହି ପ୍ରକଳ୍ପ ପାଇଁ ପରିଷଦ ପକ୍ଷରୁ ୬୧.୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ସର୍ଭିଲାନ୍ସ ସିଷ୍ଟମ ସହରର ୪୬ଟି ସ୍ଥାନରେ ୮୬ ଗୋଟି କ୍ୟାମେରା ସହିତ ଆସନ୍ତା ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଉପସ୍ଥିତ ଥିଲେ । ବୈଷୟିକ ଜ୍ଞାନକୌଶଳ ତଥା କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ସହରରେ ଟ୍ରାଫିକ୍ ସମସ୍ୟାର ସମାଧନ, ଅସାମାଜିକ କାର୍ଯ୍ୟକଳାପ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ଏହି କ୍ରମରେ ସର୍ଭିଲାନ୍ସ ସିଷ୍ଟମ ପୋଲିସ କର୍ମଚାରୀଙ୍କୁ ଅଧିକ ସହାୟତା ହେବ ବୋଲି ଶ୍ରୀ ତ୍ରିପାଠୀ ମତ ବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷେ ଟିଟିଲାଗଡ ଟାଉନହଲ୍ ପରିଦର୍ଶନ କରି ଏହାର ରକ୍ଷଣାବେକ୍ଷଣା ଓ ଉନ୍ନତିକରଣର ଅନୁଧ୍ୟାନ କରିଛନ୍ତି । ଏହାର ଉନ୍ନତିକରଣ ନିମନ୍ତେ ପରିଷଦ ପକ୍ଷରୁ ସମୁଦାୟ ୩ କୋଟି ୭୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ଏନେଇ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କହିଥିବା ବେଳେ ଯଥାଶୀଘ୍ର ଏହାର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଟପଦାଠାରେ ନୂତନ ଭବରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପର ଚିହ୍ନଟ ସ୍ଥାନ ଅନୁଧ୍ୟାନ କରିଛନ୍ତି ଅଧ୍ୟକ୍ଷ । ସହରବାସୀଙ୍କ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ୪.୧୮ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଲୋକ ପ୍ରତିନିଧିମାନଙ୍କ ସହିତ ଆଲୋଚନା ସମୟରେ ପାର୍କିଂ ଏବଂ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ଧ୍ୟାନ ଦେବା ପାଇଁ ଅଧ୍ୟୀକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଟିଟିଲାଗଡ଼ର ମହାରାଜା ପୋଖରି ପରିଦର୍ଶନ କରି ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଗସ୍ତ ସମୟରେ ଟିଟିଲାଗଡ ପୌରପରିଷଦ, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରୀ ଜାଲ, ଅତିରିକ୍ତ ଆରକ୍ଷୀ ଅଧ୍ୟୀକ୍ଷକ ବିଦ୍ୟୁତ ପଣ୍ଡା, ଉପଜିଲ୍ଲାପାଳ ଦୟାମୟ ପାଢୀ, ବଲାଙ୍ଗିର ଉପଖଣ୍ଡ ପୋଲିସ୍ ଅଧିକାରୀ, ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ ଅଜିତ୍ କୁମାର ମିଶ୍ର ଓ ପଶ୍ଚିମାଞ୍ଚ ଉନ୍ନୟନ କମିଟିର ହଂସରଜ ଜୈନ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.