ଭୁବନେଶ୍ୱର, (କେପିଏନ୍ଏସ୍) : ଚଳିତ ବର୍ଷ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ନୋବେଲ କୋଭିଡ଼-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଅନ୍ଲାଇନ୍ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଏହି ଦିବସଟି ପାଳନ କରାଯାଇଛି । ଏହି ଦୃଶ୍ୟଶ୍ରାବ୍ୟ କାର୍ୟ୍ୟକ୍ରମରେ ପର୍ୟ୍ୟଟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଲେଖାଗାର ହେଉଛି ଚଳନ୍ତି ଇତିହାସର ଗନ୍ତାଘର ବୋଲି କହିଥିଲେ । ଦଲିଲ୍ଦସ୍ତାବିଜ୍, ବହିପତ୍ର, ଚିଠିପତ୍ର, ଫାଇଲ୍ ଆଦି ପରି ପ୍ରାମାଣିକ ତଥ୍ୟ ଏବଂ କାଗଜପତ୍ରଗୁଡ଼ିକ ଅଭିଲେଖାଗାରରୁ ମିଳିଥାଏ । ତେଣୁ ଏହା ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏବଂ ସଚେତନ ଜନସାଧାରଣଙ୍କ ପାଇଁ ଏକ ନିର୍ଭରଯୋଗ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଗନ୍ତବ୍ୟସ୍ଥଳ । ସେଥିପାଇଁ ଅଭିଲେଖାଗାରକୁ ସଶକ୍ତ କରିବା ନିମନ୍ତେ ସବୁ ମହଲରୁ ସହଯୋଗର ଆବଶ୍ୟକତା ରହିଛି ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ, ଅଭିଲେଖାଗାର ହେଉଛି ଗୋଟିଏ ସଭ୍ୟତା ଓ ସଂସ୍କୃତିର ପ୍ରବକ୍ତା । ଇତିହାସର ପୁନରୁଦ୍ଧାର ସହିତ ସମକାଳୀନ ପ୍ରସଙ୍ଗ ତଥା ଭବିଷ୍ୟତର ନିର୍ଘଣ୍ଟ ପ୍ରସ୍ତୁତିରେ ଅଭିଲେଖାଗାରର ବଡ଼ ଭୂମିକା ରହିଛି । ବର୍ତ୍ତମାନର ଯୁଗ ହେଉଛି ସୂଚନା ବା ତଥ୍ୟର ଯୁଗ । ଏହି ସୂଚନା ବା ତଥ୍ୟର ଅନ୍ୟତମ ଭଣ୍ଡାର ହେଉଛି ଅଭିଲେଖାଗାର । ଯେକୌଣସି ଗବେଷକ, ଛାତ୍ର କିମ୍ବା ଆଗ୍ରହୀ ବ୍ୟକ୍ତି ଅଭିଲେଖାଗାରରେ ସଂରକ୍ଷିତ ତଥ୍ୟ ଭଣ୍ଡାରର ସହାୟତା ନେଇପାରେ । ସୂଚନା ପାଇବାର ଅଧିକାରରୁ ଆମ ଗଣତନ୍ତ୍ରରେ ମହତ୍ତ୍ୱ ପ୍ରଦାନ କରାଯାଇଥିବା ବେଳେ ନାଗରିକମାନେ ସୂଚନା ସଂଗ୍ରହ କରିପାରିବେ ଓ ଏହା ମଧ୍ୟ ସାର୍ବଜନୀନ ହୋଇପାରିବ । ରାଜ୍ୟ ଅଭିଲେଖାଗାରକୁ ଅଧିକ ସୁସଂଗଠିତ, ଶୃଙ୍ଖଳିତ ଏବଂ ଶକ୍ତିଶାଳୀ କରିବା ନିମନ୍ତେ ସମସ୍ତଙ୍କ ଉଦ୍ୟମର ଆବଶ୍ୟକତା ରହିଛି । ଅନ୍ୟତମ ଅତିଥି ବିଭାଗୀୟ ନିର୍ଦ୍ଦେଶକ ରଂଜନ କୁମାର ଦାସ ଅଭିଲେଖାଗାର ଯେତେ ମାତ୍ରାରେ ସଶକ୍ତ ଓ କ୍ରିୟାଶୀଳ ହେବ, ସେତିକି ପରିମାଣରେ ତାହା କ୍ଷମତାପନ୍ନ ହୋଇପାରିବ ଏବଂ ଅଧିକତର ସେବା ଯୋଗାଇ ଦେଇ ପାରିବ ବୋଲି କହିଥିଲେ ।
ଆଲୋଚନାର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଉକ୍ରଳ ବିଶ୍ୱବିଦ୍ୟାଳୟର ଦୂର ନିରନ୍ତର ଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଐତିହାସିକ ପ୍ରଫେସର ସୁସ୍ମିତ ପାଣି ଅଭିଲେଖାଗାର ବିଷୟରେ ବକ୍ତବ୍ୟ ରଖି ଦଲିଲ୍ଦସ୍ତାବିଜ୍ ଗୁଡ଼ିକ ଏବେ ଡିଜିଟାଲାଇଜ୍ ମାଧ୍ୟମରେ ସଂରକ୍ଷିତ ହାଇ ପାରୁଛି ଏବଂ ରେକଡର଼୍ ମ୍ୟାନେଜ୍ମେଣ୍ଟ ସିଷ୍ଟମ୍ ଜରିଆରେ ଆମ ହାତପାହାନ୍ତାରେ କିଛି କ୍ଷଣ ମଧ୍ୟରେ କିପରି କଂପ୍ୟୁଟର ସ୍କ୍ରିନ୍ରେ ଦଲିଲ୍ଗୁଡ଼ିକ ଆମେ ଦେଖିପାରୁଛେ ସେ ବିଷୟରେ କହିଥିଲେ । ପ୍ରସଙ୍ଗ କ୍ରମେ ଗ୍ରନ୍ଥ ସମୂହର ସୂଚୀପତ୍ର କିପରି ଅଭିଲେଖାଗାର ଏବଂ ପାଠାଗାର ପାଇଁ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଗୋଟିଏ ଅଭିଲେଖାଗାରର ଅନ୍ୟ ରାଜ୍ୟ ଅଭିଲେଖାଗାର ସହିତ ଏବଂ ଜାତୀୟ ଅଭିଲେଖାଗାର ସହିତ ସଂଯୋଗୀକରଣ କିପରି ଅଭିଲେଖାଗାରକୁ ଅଧିକ ସମୃଦ୍ଧ କରିଥାଏ ସେ ବିଷୟରେ ପ୍ରଫେସର ପାଣି ବର୍ଣ୍ଣନା କରିଥିଲେ । ପରିଶେଷରେ ଅଭିଲେଖାଗାରର କର୍ମକର୍ତ୍ତା କିଭଳି ଗବେଷକଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ରଖିବା ଉଚିତ ସେ ବିଷୟରେ କହିବା ସହିତ ଗବେଷକମାନଙ୍କର ଉତ୍ତରଦାୟିତ୍ୱ ବିଷୟରେ ମଧ୍ୟ କହିଥିଲେ ।
ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ.ଶେଖ୍ ସୁଲେମାନ୍ ଅଲ୍ଲୀ ଏହି ଦୃଶ୍ୟଶ୍ରାବ୍ୟ ସଭାରେ ପ୍ରାରମ୍ଭିକ ଭାଷଣରେ ପ୍ରତି ନାଗରିକଙ୍କୁ ଜଣେ ଜଣେ ଅଭିଲେଖାବିତ୍ ହେବା ପାଇଁ ଆହ୍ୱାନ ଦେବା ସହ ବିଶ୍ୱର କୋଣ ଅନୁକୋଣରେ ଥିବା ସମସ୍ତ ଅଭିଲେଖବିତ୍ଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।
ଶେଷରେ ରାଜ୍ୟ ଅଭିଲେଖାଗାରର ଉପେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।