oum

ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ

jsm
  • ଗ୍ରାମୀଣ ଓଡ଼ିଶାର ରୂପାନ୍ତିକରଣକୁ ରାଜ୍ୟ ସରକାରଙ୍କ ସର୍ବାଧିକ ପ୍ରାଧାନ୍ୟ : ମନ୍ତ୍ରୀ ଶ୍ରୀ ଅମାତ

ଭୁବନେଶ୍ୱର : ଭାରତର ଆତ୍ମା ଗାଁରେ ରହିଛି । ମହାତ୍ମା ଗାନ୍ଧୀଙ୍କ ଏହି ଉକ୍ତିଟିକୁ ଓଡ଼ିଶା ସରକାର ସବୁଠାରୁ ଅଧିକ ଚରିତାର୍ଥ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗ୍ରାମୀଣ ଓଡ଼ିଶାର ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ଗ୍ରାମୀଣ ଗରିବ ଲୋକଟିର ମୁହଁରେ କେମିତି ସବୁଦିନ ପାଇଁ ହସ ଫୁଟି ରହିବ ତାହା ହେଉଛି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା । ସେହି ଅବଲୋକନରେ ‘ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ’, ‘ମୋ ଘର’, ‘ଆମ ଓଡିଶା ନବୀନ ଓଡିଶା’ ଭଳି ମହତ୍ୱାକାଂକ୍ଷୀ ଯୋଜନା ସମୂହର ଶୁଭାରମ୍ଭ । ଏହା ସହିତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)କୁ ସଫଳ ଭାବରେ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କଠାରୁ ଆଗୁଆ । ଜନସାଧାରଣ, ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହଯୋଗ ଓ କ୍ଷେତ୍ର ଅଧିକାରୀମାନଙ୍କର କ୍ରିୟାଶୀଳତା ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଏସ୍‌ଆଇଆର୍‌ଡି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀରେ ସଭାପତିତ୍ଵ କରି ପଞ୍ଚାୟତିରାଜ ଓ ପାନୀୟଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ପ୍ରକାଶ କରିଛନ୍ତି ।

ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ ପାର୍କ ଗୁଡ଼ିକ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମନ୍ୱୟ କରାଯାଇ ପ୍ରତିଷ୍ଠା କରାଯାଇଅଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକରେ ଏହାର ଏକ ସଫଳ ପରୀକ୍ଷଣ କରାଯାଇଅଛି । ଏହି ପ୍ରକଳ୍ପ ଗ୍ରାମୀଣ ମହିଳା ଉତ୍ପାଦନକାରୀଙ୍କୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ପରିଣତ କରିବା, ସ୍ଥାନୀୟ ବେକାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ବଜାର ଭିତ୍ତିକ ପ୍ରକ୍ରିୟା ମାଧ୍ୟମରେ ଗ୍ରାମୀଣ ଉତ୍ପାଦ ପାଇଁ ଉପଯୁକ୍ତ ବଜାର ଚାହିଦା ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏହି ପ୍ରକଳ୍ପର ନୂତନ ଭାବେ ପରିଯୋଜନା ତଥା କାର୍ଯ୍ୟକାରୀ କରିବା ପାଇଁ ଓରମାସକୁ ଦାୟିତ୍ୱ ଦିଆଯାଇଅଛି । ପ୍ରଥମ ପର୍ଯ୍ୟୟରେ ରାଜ୍ୟର ୭୫ଟି ବ୍ଲକ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୫ଟି ବ୍ଲକରେ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ସମନ୍ୱିତ ଚାଷ କ୍ଷେତ୍ରରେ ଏହି ପାର୍କ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଅମାତ ପ୍ରକାଶ କରିଛନ୍ତି ।

୨୦୨୩-୨୪ ଆର୍ଥିକ ବର୍ଷରେ ମନରେଗା ଅଧୀନରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ଲକ୍ଷରୁ ଅଧିକ ପରିବାରକୁ ମଜୁରି ରୋଜଗାର ଯୋଗାଇ ଦେବା ସହ ୦.୭୮ ଲକ୍ଷ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରି ୮କୋଟିରୁ ଅଧିକ ଶ୍ରମ ଦିବସ ହାସଲ କରିବାରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସକ୍ଷମ ହୋଇଛି । ଚଳିତ ବର୍ଷ ୨୦ କୋଟି ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦାଦନ ରୋକିବା ନିମନ୍ତେ ବଲାଙ୍ଗିର, ବରଗଡ, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଅନ୍ତର୍ଗତ ୨୦ ଗୋଟି ଦାଦନ ପ୍ରବଣ ବ୍ଲକ ଗୁଡିକରେ ରାଜ୍ୟ ସରକାର “ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାଜ୍ୟ ସହାୟତା” ନାମରେ ବିଗତ ଦୁଇ ବର୍ଷରୁ ଏକ ସ୍ଵତନ୍ତ୍ର ଯୋଜନାକୁ କାର୍ଯ୍ୟକାରୀ କରିଆସୁଛନ୍ତି । ଚଳିତ ଆର୍ଥିକ ବର୍ଷରେ ଅଦ୍ୟାବଧି ୮୫ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇ ୧୫,୦୦୦ରୁ ଅଧିକ ପରିବାର ବର୍ଗଙ୍କୁ ୧୦୦ ଦିନ, ୭୫୨ ପରିବାରଙ୍କୁ ୨୦୦ ଦିନ ଓ ୧୭ ପରିବାରଙ୍କୁ ୩୦୦ ଦିନର କାମ ଯୋଗାଇ ଦିଆଯାଇଛି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି ।

ମୋ ଘର ଯୋଜନାର ଆରମ୍ଭର ଏକ ମାସ ମଧ୍ୟରେ ୩.୫୦ ଲକ୍ଷରୁ ଉର୍ଦ୍ଧ୍ଵ ପରିବାର ନାମ ପଞ୍ଜିକରଣ କରିସାରିଛନ୍ତି ; ସେଥିମଧ୍ୟରୁ ୫୦ ହଜାର ପରିବାର ବ୍ୟାଙ୍କ ଋଣ ପାଇବା ପାଇଁ ବ୍ୟାଙ୍କରେ ଯୋଗାଯୋଗ କରି ୪୫ ଜଣ ହିତାଧିକାରୀ ଋଣ ନେଇସାରିଛନ୍ତି ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।

ଗ୍ରାମୀଣ ଓଡିଶାକୁ ରୂପାନ୍ତର କରିବା, ଗ୍ରାମୀଣ ଭିତ୍ତିଭୂମିର ତ୍ଵରିତ ବିକାଶ ତଥା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ବଞ୍ଚାଇ ରଖିବା ନିମନ୍ତେ ଓଡିଶା ସରକାର ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ଆରମ୍ଭ କରିଛନ୍ତି । ସବୁବେଳେ ସୁରକ୍ଷିତ ଏବଂ ସ୍ଥାୟୀ ସମ୍ପତି ସୃଷ୍ଟି କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମାଞ୍ଚଳକୁ ପ୍ରାଧାନ୍ୟ ଦେଇଆସୁଛନ୍ତି । ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡିକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କର ମୁଖ୍ୟ ଭୂମିକା ଗ୍ରହଣ କରିବାର ଅବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ ଉଲ୍ଲେଖ କରିଛନ୍ତି ।

ଓରମାସର ମୁଖ୍ୟ ନିର୍ବାହୀ ଅଧିକାରୀ ଗୂହା ପୂନମ ତାପସ କୁମାର, ବିଭାଗୀୟ ନିର୍ଦ୍ଦେଶକ (ସ୍ବତନ୍ତ୍ର ପ୍ରକଳ୍ପ) ଅରିନ୍ଦମ ଡାକୁଆ, ବିଭାଗୀୟ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟିଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅଧିକାରୀମାନେ ଏହି ଦୁଇ ଦିନିଆ ସମ୍ମିଳନୀ ତଥା କର୍ମଶାଳାରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.