ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଭୋଇମଡ଼ା ଗ୍ରାମପଞ୍ଚାୟତର କିଲାଣି ଗାଁରେ ପାଣି ସମସ୍ୟା ସହ ଯାତାୟାତ ପାଇଁ ରାସ୍ତା ନାହିଁ । ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁଥିବା ପିଡିଏସ୍ ସାମଗ୍ରୀ ସହ ବିଭିନ୍ନ ଭତ୍ତା ଆଣିବାକୁ ଯିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମକୁ ରାସ୍ତା ନଥିବା ଯୋଗୁଁ ରୋଗ ବେମାର ହେଲେ ଆମ୍ବୁଲାନ୍ସ ଆସି ପାରୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଗ୍ରାମ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଭୋଇମଡ଼ା ପଞ୍ଚାୟତ ଅନ୍ତର୍ଗତ କିଲାଣି ଗ୍ରାମରେ ୧୬ ପରିବାର । ପ୍ରାୟ ୨୩୫ ଜଣ ଲୋକ ବସବାସ କରନ୍ତି । ସମସ୍ତେ ଚାଷ ଓ କୁଲି କାମ ଉପରେ ନିର୍ଭରଶୀଳ । ଏହି ଗାଁ ଜଙ୍ଗଲ ମଧ୍ୟରେ ରହିଥିବା ଯୋଗୁଁ ରାସ୍ତା ନାହିଁ । କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଉକ୍ତ ଗାଁକୁ ସଂଯୋଗ କରୁଥିବା ରାସ୍ତା ଖାଲଖମା ପରିପୂର୍ଣ୍ଣ । ରାସ୍ତାରେ ପଥର ବାହରିଥିବାରୁ ଗମନାଗମନ ପାଇଁ ଅସୁବିଧା ହେଉଥିବା କୁହାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଭଲ ରାସ୍ତା ନଥିବା ହେତୁ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରୁନାହିଁ । ଆମ୍ବୁଲାନ୍ସ ଆସିଲେ ତେଡ଼ା ଗ୍ରାମ ପର୍ଯ୍ୟନ୍ତ ଆସି ଅଟକିଯାଏ । ଫଳରେ ଗର୍ଭବତୀ କିମ୍ବା ଗୁରୁତର ରୋଗୀଙ୍କୁ ଗାଁଠାରୁ ଦୁଇ କିଲୋମିଟର ଦୂର ତେଡ଼ା ଗାଁ ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡ଼ୁଛି ବୋଲି ଲୋକେ କହିଛନ୍ତି । ଗ୍ରାମରେ ଥିବା ବିଦ୍ୟାଳୟ ବନ୍ଦ କରାଯାଇଥିବା ହେତୁ ପାଠ ପଢିବା ପାଇଁ ପ୍ରାୟ ୩ରୁ ୪ କିଲୋମିଟର ଦୂର ସିନ୍ଧୁବାଇ ବିଦ୍ୟାଳୟକୁ ପିଲାମାନେ ପାଠ ପଢିବାକୁ ଯାଇଛନ୍ତି । ଜଙ୍ଗଲ ଓ ଘାଟି ରାସ୍ତା ହେତୁ ଜୀବଜନ୍ତୁଙ୍କ ଭୟ ରହିଥାଏ । ଗ୍ରାମର ରାସ୍ତା ସମସ୍ୟା ନେଇ ବାରମ୍ବାର ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ ବୋଲି କିଲାଣି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ପକ୍କାରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।
Next Post