om academy

ଆଦର୍ଶ ପାଠାଗାରର ସାଧାରଣ ପରିଷଦର ବୈଠକରେ ଭଞ୍ଜଭବନ ସ୍ଥିତି ନେଇ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ଓ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖୁଥିବା ଭଞ୍ଜଭବନର ସ୍ଥିତିକୁ ନେଇ ବିଭିନ୍ନ ସାହିତ୍ୟ, ସାଂସ୍କୃତିକ, ସାମାଜିକ ଅନୁଷ୍ଠାନ ସହ ସାହିତ୍ୟିକ ଓ ବୁଦ୍ଧିଜୀବୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସ ଦ୍ୱାରା ପରିଚାଳିତ ଭଞ୍ଜଭବନ ପ୍ରେକ୍ଷାଳୟର ସ୍ଥିତି ଓ ସ୍ଥାୟୀତ୍ୱ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏଭଳି ସ୍ଥିତି ଉପୁଜିଛି । ଏଥିପାଇଁ ଆଜି ପୂର୍ବାହ୍ନରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିଦ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି ସାଧାରଣ ବୈଠକରେ ପ୍ରାକ୍ତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଓ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଅତିଥି ଭାବେ ଯୋଗଦେଇ ଏହି ସମସ୍ୟା ସମ୍ପର୍କରେ ମତ ରଖିଥିଲେ । ଅତିଥି ଶ୍ରୀ ନାୟକ କହିଥିଲେ ଯେ, ରାଉରକେଲାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ଉନ୍ନତିରେ ପାଠାଗାର ଓ ଭଞ୍ଜଭବନର ଯଥେଷ୍ଟ ଅବଦାନ ରହିଛି । ସମ୍ପ୍ରତି ଦେଖାଦେଇଥିବା ସମସ୍ୟା ଏତେ ବଡ ନୁହେଁ । ଏହାର ସମାଧାନ ସମ୍ଭବ । ଏଥିପାଇଁ ମୁଁ ଆବଶ୍ୟକ ପଦକ୍ଷେପ ନେବି । ସେହିପରି ଅନ୍ୟତମ ଅତିଥି ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମୁଁ ଆପଣଙ୍କ ପରିବାରର ଜଣେ ସଦସ୍ୟ ବୋଲି ଭାବନ୍ତୁ । ତେଣୁ ଏହି ସଂସ୍ଥା ପାଇଁ ଯାହା ଦରକାର ସେଥିପାଇଁ ପ୍ରୟୋଜନୀୟ ପଦକ୍ଷେପ ନେବି । ଏହି ଅବସରରେ ଉଭୟଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ୧୯୫୮ ମସିହାରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ପାଇଁ ସୃଷ୍ଟି ହୋଇଥିବା ଆଦର୍ଶ ପାଠାଗାରକୁ ଗତ ୦୭/୦୧/୧୯୭୪ ମସିହାରେ ସେକ୍ଟର ୫ ଠାରେ ୩ ଏକର୍‌ ୧୯ ଡିସିମିଲ୍‌ ଜମି ୩୦ ବର୍ଷ ପାଇଁ ଲିଜ ଦିଆଯାଇଥିଲା । ୨୦୦୪ ମସିହାରେ ଆଦର୍ଶ ପାଠାଗାର ଲିଜ୍‌ ନବୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍‌ଦ୍ୱାରା ଗଠିତ ଜମି ଆବଣ୍ଟନ ସମିତିକୁ ଆବେଦନ କରାଗଲା । ଇସ୍ପାତ କାରଖାନା ପରିଚାଳନା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଜମି ଆବଣ୍ଟନ ସମିତି ୨୦୧୦ ମସିହାରେ ୧ ଟଙ୍କା ପ୍ରିମିୟମ ବିନିମୟରେ ଆଗାମୀ ୩୩ ବର୍ଷ ପାଇଁ ଲିଜ ନବୀକରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କଲେ । ୨୦୧୧ ମସିହାରେ ଏହି ପ୍ରସ୍ତାବ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ, ଏକ ତ୍ରିପାକ୍ଷିକ ରାଜିନାମା ମାଧ୍ୟମରେ ଲିଜ ନବୀକରଣ କରିବା ପାଇଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ନିର୍ଦ୍ଦେଶନାମାକୁ ଉପେକ୍ଷା କରି କାରଖାନା କର୍ତ୍ତୃପକ୍ଷ ୬ ଲକ୍ଷ ଟଙ୍କା ନବୀକରଣ ଦେୟ ଦାବି କଲେ । ତାହା ପର୍ଯ୍ୟାୟ କ୍ରମେ ବଢି ବଢି ୨୦୨୦ ମସିହାରେ ୭୦ ଲକ୍ଷ ଟଙ୍କା ହେଲା । ତେବେ ପାଠାଗାର ତରଫରୁ କାରଖାନା କର୍ତ୍ତୃପକ୍ଷଙ୍କୁ ରାଜ୍ୟ ସରକାରଙ୍କ ଅନୁମୋଦନ ଅନୁଯାୟୀ ୦୭/୦୧/୨୦୦୪ ମସିହାରୁ ୩୩ ବର୍ଷ ପାଇଁ ୧ ଟଙ୍କା ପ୍ରିମିୟମରେ ଲିଜ ନବୀକରଣ କରିବା ପାଇଁ ବାରମ୍ବାର ଅନୁରୋଧ କରାଗଲା । ପରବର୍ତ୍ତୀ ସମୟରେ ୦୨/୦୭/୨୦୨୦ରେ ପାଠାଗାରର ବିଦ୍ୟୁତ୍‌ ସଂଯୋଗ କାଟି ଦିଆଗଲା । ବାରମ୍ବାର ଅନୁରୋଧ ସତ୍ତ୍ୱେ ବିଦ୍ୟୁତ୍‌ ସଂଯୋଗ ନହେବାରୁ ରାଜ୍ୟ ଖାଉଟି ଅଦାଲତର ଆଶ୍ରୟ ନିଆଗଲା । ଅଦାଲତଙ୍କ ନିର୍ଦ୍ଦେଶ ବଳରେ ୨୦୨୦ ନଭେମ୍ବର ମାସରେ ପୁନଃ ବିଦ୍ୟୁତ୍‌ ସଂଯୋଗ କରାଗଲା । ଶେଷରେ ଉକ୍ତ ଜମିରୁ ପାଠାଗାରକୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ସିଦ୍ଧାନ୍ତ ନିଆଗଲା ବୋଲି କୁହାଯାଉଛି । ଏଥିପାଇଁ ପାଠାଗାରକୁ ଏହି ଜମିରୁ ବେଦଖଲ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଇଷ୍ଟେଟ ଅଫିସର ପାଖରେ କେସ ଦାଖଲ କରିଥିଲେ । ଇଷ୍ଟେଟ ଅଫିସର ଏକ ତରଫା ଭାବେ ପାଠାଗାରକୁ ନିଜ ପକ୍ଷ ରଖିବାର ସୁଯୋଗ ନଦେଇ ଜାଗା ଖାଲି କରିବାକୁ ଆଦେଶ ଦେଲେ । ଏହି ଅନ୍ୟାୟ ଆଦେଶ ବିରୋଧରେ ପାଠାଗାର ମାନ୍ୟବର ଜିଲ୍ଲା ଜଜ୍‌ଙ୍କ ନିକଟରେ ଅପିଲ ଦାୟର କରିଥିଲା । ତେବେ ଏହି ଅପିଲକୁ ଜିଲ୍ଲା ଜଜ୍ ଖାରଜ କରି ଆସନ୍ତା ଜୁନ୍ ୩୦ ସୁଦ୍ଧା ଉକ୍ତ ଜମିକୁ ଆର୍‌ଏସ୍‌ପିକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ସେହି ଜମି ଉପରେ ଆଦର୍ଶ ପାଠାଗାର ଦ୍ୱାରା ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗଢି ଉଠିଥିବା ବିଭିନ୍ନ ସୌଧ ଯଥା ଭଞ୍ଜଭ ।ନ ପ୍ରେକ୍ଷାଳୟ, ଭଞ୍ଜ କଳା କେନ୍ଦ୍ର, ଆଦର୍ଶ ସାହିତ୍ୟ ଘର, ଆଦର୍ଶ ପାଠାଗାରର କାର୍ଯ୍ୟାଳୟ ଓ ଲାଇବ୍ରେରୀ ସମ୍ପର୍କରେ କୌଣସି ନିର୍ଦ୍ଦେଶନାମା ଇଷ୍ଟେଟ୍‌ ଅଫିସର ବା ଜିଲ୍ଲା ଜଜ୍‌ଙ୍କ ଦ୍ଵାରା ଆଦେଶରେ ଉଲ୍ଲେଖ କରାଯାଇନାହିଁ । ଏଣୁ ଏହି ଅସ୍ପଷ୍ଟ ରାୟ ବିରୁଦ୍ଧରେ ପାଠାଗାର ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇଥିବା ଜଣାପଡିଛି । ଏହି ସାଧାରଣ ବୈଠକରେ ଆର୍‌ଏସ୍‌ପି କତ୍ତୃପକ୍ଷଙ୍କର ଓଡ଼ିଆ ଭାଷା ଓ ସଂସ୍କୃତି ବିରୋଧୀ ପଦକ୍ଷେପକୁ ଦୃଢ଼ ନିନ୍ଦା କରାଯାଇଛି । ସର୍ବୋପରି ଓଡ଼ିଆ ଅସ୍ମିତା ସହିତ ଖେଳନ୍ତୁ ନାହିଁ, ଅନ୍ୟଥା ଯେକୌଣସି ଅଭାବନୀୟ ପରିସ୍ଥିତି ପାଇଁ କର୍ତ୍ତୁପକ୍ଷ ଦାୟୀ ରହିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ପୁଣି ଏହି ବୈଠକରେ ଆର୍‌ଏସ୍‌ପି କତ୍ତୃପକ୍ଷଙ୍କ ସହ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଅକ୍ଷୟ କୁମାର ସାମଲ, ଆଇନଜୀବୀ ବବିତା ମହାପାତ୍ର, ଶ୍ରୀମନ୍ତ ବେହେରା, ଗୋପିନାଥ ପଟ୍ଟନାୟକ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ, ଉପଦେଷ୍ଟା ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ବାଉରୀବନ୍ଧୁ ସାହୁ, ଡ. ବସନ୍ତ କୁମାର ଦାସ, ବିଜୟ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ରହି ମତ ରଖିଥିଲେ ।

Leave A Reply

Your email address will not be published.