
ରାଉରକେଲା, (ସସ୍ମିତା ପ୍ରଧାନ) : ଇଣ୍ଡିଆନ ରେଡକ୍ରସ ସୋସାଇଟିର ଓଡିଶା ଶାଖା ତରଫରୁ କ୍ଲଷ୍ଟର ସ୍ତରୀୟ ୩ ଦିନିଆ ସଚେତନତା କାର୍ଯ୍ୟକ୍ରମ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟକୁ ନେଇ ସେକ୍ଟର ୪ ରାଉରକେଲା କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲା ଯୁବ ରେଡକ୍ରସର ସଂପାଦକ ପିତାମ୍ବର ବେହେରା ମୁଖ୍ୟ ଅତିଥି ତଥା ଜିଲ୍ଲା ସଂଯୋଜକ ସୁମନ୍ତ କୁମାର ଦ୍ବିବେଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ୩ ଦିନିଆ ଶିକ୍ଷା ଓ ଟ୍ରେନିଂ କ୍ୟାମ୍ପ-୨୦୨୧ରେ ରେଡକ୍ରସର ଇତିହାସ ଓ ଏହାର କ୍ରମବିକାଶ, ତତ୍କାଳ ସେବା, ପ୍ରାକୃତିକ ବିପର୍ଯ୍ୟୟ, ଏଚଆଇଭି, ଏଡ୍ସ, ସଡକ ସୁରକ୍ଷା ଓ ରକ୍ତଦାନର ଗୁରୁତ୍ୱ ସଂପର୍କରେ ଆଲୋଚନା କରାଯାଇଥିଲା । ଏସବୁ କ୍ଷେତ୍ରରେ କିପରି ସୁସଂଗଠିତ ଭାବେ କାର୍ଯ୍ୟ କରି ନିଜ ସୁରକ୍ଷା ସହ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବ ସେ ସଂପର୍କରେ ଶିକ୍ଷା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ସହପଦାଧିକାରୀ କମଳ କୁମାର ଗୌଡ ଓ ତାଙ୍କ ଟିମ୍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆତ୍ମରକ୍ଷା କୌଶଳ ତଥା ଆରଜିଏଚ୍ ବ୍ଲଡବ୍ୟାଙ୍କର ପରାମର୍ଶଦାତା ଡାକ୍ତର ଏମ.ସୋରେନ ଏଚଆଇଭି, ଏଡସ୍ ଓ ରକ୍ତଦାନର ଗୁରୁତ୍ୱ ସଂପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ବିସୃତ ଭାବେ ବୁଝାଇଥିଲେ । ରାଉରକେଲା କଲେଜର ଯୁବ ରେଡକ୍ରସର ପରାମର୍ଶଦାତା ଅଧ୍ୟାପକ ରଶ୍ମିରଂଜନ ରାଉତ ଏହି କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା । ଏହି କ୍ଲଷ୍ଟର ସ୍ତରୀୟ କାର୍ଯ୍ୟକ୍ରମରେ ରାଉରକେଲାର ବିଭିନ୍ନ ମହାବିଦ୍ୟାଳୟ ଯଥା ରାଉରକେଲା ଆଇନ ମହାବିଦ୍ୟାଳୟ, ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟ, ହୃଷିକେଶ ରାୟ ମହାବିଦ୍ୟାଳୟ, ସୁଶିଳାବତୀ ସରକାରୀ ହାୟର ସେକେଣ୍ଡାରୀ ସ୍କୁଲ, ରାଉରକେଲା କଲେଜ, ରାଉରକେଲା, ରାଉରକେଲା ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏଥିସହ ପିଲାମାନଙ୍କ ମଧ୍ୟରେ ବକୃତା, ପ୍ରବନ୍ଧ, ଚିତ୍ରଙ୍କନ ଓ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଦିବସରେ କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଓ ବିଶେଷ ଜ୍ଞାନର ଅଧିକାରୀ ହୋଇପାରିବେ ବୋଲି ମତ ରଖିଥିଲେ । ଏହି ୩ ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନି କଲେଜର ଯୁବ ରେଡକ୍ରସର ପରାମର୍ଶଦାତା ଓ ସ୍ୱେଚ୍ଛାସେବୀ ଯୋଗଦେଇ ଥିଲେ । ରାଉରକେଲା କଲେଜର ସ୍ୱେଚ୍ଛାସେବୀ ଛାତ୍ରୀଛାତ୍ରୀ ସର୍ବଶ୍ରୀ ବିଶ୍ବଜିତ ବାରିକ, ଅନିତା ଜଗଦେବ, ଗୋବିନ୍ଦ ବାରିକ, ଗିରିଜା ଶଙ୍କର ସ୍ବାଇଁ, ମନମୋହନ ଦାସ, ସନ୍ତୋଷ କୁମାର ଗୌଡ, ବଳଦେବ ସୁନା, ସୁଶ୍ରୀ ମମତା ବଡାଇକ, ସୁଶ୍ରୀ ଦୀପିକା ଦାସ, ସୁଶ୍ରୀ ସୃତି ଗନ୍ତାଘରିଆ, ସୁଶ୍ରୀ ଅଞ୍ଜଳି ମୁଣ୍ଡା, ସୁଶ୍ରୀ ସୁସ୍ମିତା ତିର୍କୀ, ସୁଶ୍ରୀ ନମିତା ଦଳାଇ, ସୁଶ୍ରୀ ନାନସି ଜୁଲିଆନା ବାଖଲା ଓ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
