୪ ବର୍ଷିଆ ୟୁଜି ପାଠ୍ୟକ୍ରମ ନେଇ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ପାଠ ପଢ଼ିବାକୁ ହେବ । ଏ ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଘୋଷଣା କରାଯାଇଛି । ଜାତୀୟ ଶିକ୍ଷାନୀତି ଅନୁସାରେ ପୂର୍ବରୁ ୟୁଜିସି ଏ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିଥିଲା । ସୋମବାର ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏଥିସହିତ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ଡିମ୍‌ଡ୍‌ ୟୁନିଭର୍ସିଟି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି । ସ୍ନାତକ ପାଇଁ ପ୍ରସ୍ତୁତ ହୋଇଥିବା କରିକୁଲମ ଆଣ୍ଡ୍‌ କ୍ରେଡିଟ୍‌ ଫ୍ରେମ୍‌ୱର୍କକୁ ଲାଗୁ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଏହି ନୂତନ ନିୟମାନୁସାରେ, ଏଣିକି ୩ ବର୍ଷ ପରିବର୍ତ୍ତେ ୪ ବର୍ଷ ଅଣ୍ଡରଗ୍ରାଜୁଏସନ (ୟୁଜି) ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀ ଅନର୍ସ ଡିଗ୍ରୀ ସାର୍ଟିଫିକେଟ ପାଇପାରିବେ । ତେବେ ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍‌ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢ଼ିବାକୁ ପଡ଼ିବ । କିନ୍ତୁ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ ବର୍ଷ ରଖାଯାଇଛି । ସେହିଭଳି ଯେଉଁ ଛାତ୍ରଛାତ୍ରୀ ପ୍ରାରମ୍ଭିକ ୬ଟି ସେମିଷ୍ଟାରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବେ ଏବଂ ଗ୍ରାଜୁଏସନ ସ୍ତରରେ ରିସର୍ଚ୍ଚ କରିବାକୁ ଚାହିଁବେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ । ଆଉ ଏହା ପରେ ତାଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ପ୍ରଦାନ କରାଯିବ । ଯେଉଁମାନେ ଏବେ ସ୍ନାତକରେ ନାମ ଲେଖାଇ ସାରିଛନ୍ତି ଏକବର୍ଷ ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ ବର୍ଷିକିଆ ସାର୍ଟିଫିକେଟ୍‌ ମିଳିବ । ଦୁଇବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ୍‌ ଦିଆଯିବ । ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରୀଛାତ୍ରଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ଓ ୪ ବର୍ଷିଆ ସ୍ନାତକ ଅନର୍ସ ଡିଗ୍ରୀଧାରୀଙ୍କ ପାଇଁ ବର୍ଷିକିଆ ପିଜି ପାଠ୍ୟକ୍ରମ ରହିବ ।

Leave A Reply

Your email address will not be published.