୬ ଶିଶୁ ସମେତ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ବେଲପଡା ପୋଲିସ

ବେଲପଡା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦାଦନ ଋତୁ ଏବଂ ବର୍ଷର ପ୍ରଥମ ବେଆଇନ ଦାଦନ ଚାଲାଣ କେସ ପଞ୍ଜିକୃତ ହୋଇଛି ବେଲପଡା ଥାନାରେ । ଦାଦନ ଶ୍ରମିକମାନେ କାମ କରିବା ପାଇଁ ନିଜ ସ୍ତ୍ରୀ, ପିଲାଛୁଆଙ୍କୁ ସାଙ୍ଗରେ ଧରି ବର୍ଷଟେ ପାଇଁ ଚାଲିଯାଉଛନ୍ତି ବାହାର ରାଜ୍ୟକୁ । କିଏ ମୁଣ୍ଡରେ ମୁଣ୍ଡାଇ, କିଏ ହାତରେ ଧରି ଆବଶ୍ୟକୀୟ ଜିନିଷପତ୍ର ନେଇ ନିଜ ଗାଁ, ମାଟିକୁ ଛାଡି ଅଜଣା ସ୍ଥାନକୁ ଚାଲିଯାଉଛନ୍ତି । ବେଲପଡା ପୋଲିସ ଦ୍ୱାରା ରବିବାର ୧୪ ଜଣ ଦାଦନ ଶ୍ରମିକ ସହ ୬ ଜଣ ଶିଶୁ ଉଦ୍ଧାର ହୋଇଥିବା ଜଣାପଡିଛି । ଉଦ୍ଧାର ଶ୍ରମିକ ମାନେ ବେଲପଡା ଥାନା ଡୁଙ୍ଗରିଗୁଡା ଗ୍ରାମର ୯ ଜଣ ପାଟଣାଗଡ଼ ଥାନା କର୍ଲାମାଲ ଗ୍ରାମର ୨ ଜଣ ଖପ୍ରାଖୋଲ ଥାନା ଭରୁଆମୁଣ୍ଡା ଗ୍ରାମର ୪ ଜଣ ଏବଂ ସୁଦୂର ଛତିଶଗଡ ରାଜ୍ୟର ୫ ଜଣ ବୋଲି ଜଣାପଡିଛି । ସୂଚନା ଅନୁସାରେ ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ବେଲପଡା ଥାନାଧିକାରୀ ଅନନ୍ତ ପଧାନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ପୋଲିସ ଟିମ୍‌ ସହ ଡୁଙ୍ଗରିଗୁଡା ବସଷ୍ଟାଣ୍ଡ ଠାରେ ଆତର୍କିତ ଭାବେ ଚଢ଼ାଉ କରି ୬ ଜଣ ଶିଶୁ ସମେତ ୧୪ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ଦାଦନ ସର୍ଦ୍ଦର ରତ୍ନ ବାଗଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ବେଲପଡା ଥାନାକୁ ଅଣାଯାଇଥିବା ବେଳେ ସେମାନଙ୍କୁ ପଚରାଉଚରା ପରେ ସେମାନଙ୍କୁ ବେଲପଡା ଥାନା ଡୁଙ୍ଗରିଗୁଡା ଗ୍ରାମର ଦାଦନ ସର୍ଦ୍ଦାର ରତ୍ନ ବାଗ ସେମାନଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଓ ପରେ କର୍ଣ୍ଣାଟକ ରାଜ୍ୟ ଅନ୍ତର୍ଗତ ବାଙ୍ଗାଲୁର ସିଟିକୁ ଇଟା ଭାଟିରେ କାମ କରେଇବା ପାଇଁ ବେଆଇନ ଭାବେ ଚାଲାଣ କରୁଥିବା ଜଣାପଡିଥିଲା । ବେଆଇନ ଦାଦନ ଚାଲାଣ କରୁଥିବା ନେଇ ବେଲପଡା ଥାନା କେସ୍‌ ନଂ ୨୬୫/୨୦୨୪ରେ ଭାରତୀୟ ପେନାଲ କୋର୍ଡ ଧାରା ୧୪୩/୧୪୫/୩୧୮(୨) ବିଏନ୍‌ଏସ୍‌ ୨୫ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ଅଧିନିୟମ ଅନୁଯାୟୀ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତ ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିବା ବେଳେ କେସ୍‌କୁ ନେଇ ଅଧିକ ତଦନ୍ତ ଚାଲିଥିବା ବେଲପଡା ଥାନା ଅଧିକାରୀ ଅନନ୍ତ ପଧାନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.